Unknown

 

 

 

 

 

 

 

 

 

 

 

‘ବେଦୀ’ ଇତ୍ୟାଦି ଗଳ୍ପ

ଡକ୍ଟର କୃଷ୍ଣଚରଣ ବେହେରା

 

ଏବଂ ଅନ୍ୟାନ୍ୟ ସାହିତ୍ୟ–କୃତି :

 

ପ୍ରଗତି ସାହିତ୍ୟ, କଥା ସାହିତ୍ୟ, ଅଶ୍ଳୀଳତା ବିପକ୍ଷରେ, ଓଡ଼ିଆ ଉପନ୍ୟାସ, କେତୋଟି ସାହିତ୍ୟିକ ଅଭିଭାଷଣ–ସାହିତ୍ୟାଲୋଚନା; ଚା’-କପରେ ଝଡ଼, ଚଉବନ ଭାନୁବାଇଲେନ୍, ଯୋଜନା-ଯଜ୍ଞ ପାଲା, ପିପାସାର ପ୍ରାର୍ଥନା–କବିତା; ଯଥା ନଳସ୍ୟ ଦମୟନ୍ତୀ–ଏକାଙ୍କିକା; କଥାଟିଏ କହୁଁ ଗୀତଟିଏ ଗାଉଁ–ଶିଶୁ ସାହିତ୍ୟ ଇତ୍ୟାଦି ।

Image

 

ଉତ୍ସର୍ଗ-ଲିପି

 

ଶ୍ରୀମତୀ ଜୟନ୍ତୀ ଦେବୀ ସୁଚରିତାସୁ !

 

‘ବେଦୀ’ ଗଳ୍ପକୁ ଘେନି ଗୋଳଯୋଗଟାଏ ହୋଇଗଲା ପରେ ମୋର ଗଳ୍ପ-ଲେଖାକୁ ତମେ ପସନ୍ଦ କରୁନାହଁ–ଏହା ମୁଁ ଜାଣେଁ । ତଥାପି ମୁଁ ଗଳ୍ପ ଲେଖି ଲେଖି ଚାଲିଛି । ଷୋଳ-ବରଷ ତଳେ ତମେ ଯେତେବେଳେ ଆସିଲ, କବିତା-ଲେଖା ପ୍ରାୟ ଛାଡ଼ିଦେଲି । ଏବେ ପୁଣି ଗଳ୍ପ-ଲେଖା ଛାଡ଼ିଦେଲେ, ମୁଁ ବଞ୍ଚିବି କିପରି ?

 

ଗଳ୍ପ ଲେଖିବା ସଙ୍ଗେ ସଙ୍ଗେ ତମ ପ୍ରତି ମୁଁ କ’ଣ ବିଶ୍ୱସ୍ତ ରହିପାରି ନାହିଁ ? ମୋ ପ୍ରତି ପ୍ରସନ୍ନ ହୁଅ ଦେବୀ, ତମେ ପସନ୍ଦ ନ କଲେ–ତୁଷ୍ଟ ବା ପ୍ରସନ୍ନ ନ ହେଲେ, ଆମର ସନ୍ତାନ-ତ୍ରୟୀ ଭଳି ତିନିଗୋଟି ଗଳ୍ପ-ଗ୍ରନ୍ଥ ମୁଁ ଲେଖିଥାନ୍ତି କିପରି ? ଭବିଷ୍ୟତ୍‍କୁ ପୁଣି ଅଧିକରୁ ଅଧିକ ଗଳ୍ପ ଲେଖିବି ବା କିପରି ?

 

–ଇତି ତମର ‘ଭାରି ଗୋଟେ ଲେଖକ’–

ରଜ ପର୍ବ–୧୯୭୧

Image

 

ସୂଚୀପତ୍ର

 

୧.

ବେଦୀ

୨.

ସ୍ୱର୍ଗ

୩.

ରଥ, ରଥୀ ଓ ରଥକାର

୪.

ତୃତୀୟ ନୟନ

୫.

ବେବି

୬.

ବନ୍ଧୁକ କନ୍ଦୁକ

୭.

ଗାରଡ଼

୮.

ସାନ-ବଡ଼ ସମାନ

୯.

‘ଓଡ଼ିଆ’ ଏକ ଓଟର ନାମ

୧୦.

ଗୋଟିଏ ଗଳ୍ପର ଖସଡ଼ା

୧୧.

ଦୁଇଟି ମିନି ଗଳ୍ପ

୧୨.

ଦେହ ଓ ଦେହୀ

Image

 

ଏହି ଗଳ୍ପଗୁଡ଼ିକ ପୂର୍ବରୁ ଶତରୂପା, ଝଙ୍କାର, ପୌରୁଷ, ସମାଜ, ଗୋପବନ୍ଧୁ ଶ୍ରାଦ୍ଧ ବିଶେଷାଙ୍କ, ନବରବି, ଜୀବନରଙ୍ଗ ପ୍ରଭୃତି ପତ୍ରପତ୍ରିକାରେ ପ୍ରକାଶ ପାଇଥିଲା । ଗ୍ରନ୍ଥର ପାଣ୍ଡୁଲିପି ପ୍ରସ୍ତୁତ କରିବାରେ ସହାୟତା କରିଛନ୍ତି ମୋର ଝିଆରୀ କଲ୍ୟାଣୀୟା ଶ୍ରୀମତୀ ଶିଖା ଦତ୍ତ ।

 

–ଲେଖକ

Image

 

ବେଦୀ

 

କମନୀୟ କୋଣାର୍କର ପବିତ୍ର ପରିସର ।

 

ଚତୁର୍ଦ୍ଦିଗରେ ସ୍ୱଚ୍ଛ ଶାରଦୀୟ ଜ୍ୟୋତ୍ସ୍ନା–ଲହରୀ ଖେଳୁଛି । ସମୁଦ୍ରର ଶୀତଳ ବକ୍ଷ ସ୍ପର୍ଶ କରି କାହିଁ କେତେ ଦୂରରୁ ତୁହାକୁ ତୁହା ପବନ ବହିଆସୁଛି ଏବଂ ଝାଉଁଗଛ ଓ ମନ୍ଦିରଗାତ୍ରରେ ବାଜି ବାଜି ସୃଷ୍ଟି କରୁଛି କଳଗୁଞ୍ଜନ ।

 

ସେହି ମନ୍ଦିରର ନୈଶ ପରିବେଶ ମଧ୍ୟରେ ସେମାନେ ଆସି ଠିଆ ହେଲେ । ଲିଲି ଓ ତପୁ । ଜଣେ ରୂପ-ରସ-ଗନ୍ଧର ଗାୟତ୍ରୀ । ଆଉ ଜଣେ ଶୌର୍ଯ୍ୟ-ବୀର୍ଯ୍ୟର ସବିତା ।

 

ସେମାନଙ୍କୁ କିଏ ଯେପରି ମନ୍ତ୍ରମୁଗ୍ଧ କରି ପକାଇଛି ! ତପୁ ଲିଲିକୁ ଚାହିଁଲା, ଲିଲି ତପୁକୁ । ଦୁହିଁଙ୍କର ଦୁର୍ଲଭ ‘ଶୁଭଦୃଷ୍ଟି’ର ବିନିମୟ ହେଲା । ଦୁହିଁଙ୍କ ଓଠରେ ସଲଜ୍ଜ ମୃଦୁହାସ ।

 

ଅଭିସାର-ସ୍ଥଳ ସେହି ଅନିନ୍ଦ୍ୟ ଅମରାବତୀ–କୋଣାର୍କ । ଶାନ୍ତ, କାନ୍ତ, ନିର୍ଜନ, ନିରୁପମ ମୁହୂର୍ତ୍ତରେ ସେମାନେ ଦୁଇଜଣ ।

 

ତପୁ ଧୀରେ ଧୀରେ ଲିଲିକୁ ଆବରଣମୁକ୍ତ କଲା । ତାହାର ଝୀନ ଶାଟିକା, କାଞ୍ଚଲି, କଚ୍ଛପଟ ଆଦି ଗୋଟିକ ପରେ ଗୋଟିଏ ଫିଟାଇ ଦେଲା । ଖାଲି ତା’ ଆଗରେ ଉଭା ହୋଇ ରହିଲା–ଲିଲିର ଉଲଗ୍ନ ଓ ପରିପୁଷ୍ଟ ତନୁଶ୍ରୀ ।

 

ତା’ପରେ ଲିଲିର ପାଲି । ତପୁର ଧୋତି, ଉତ୍ତରୀୟ, ଅଙ୍ଗରଖା, ଅନ୍ତର୍ବାସ–ଗୋଟିଏ ପରେ ଗୋଟିଏ ସବୁ ସେ ଫିଟାଇ ପକାଇଲା । ତା’ ଆଗରେ କେବଳ ତପୁର ନଗ୍ନ ଶରୀର–ଅବମୁକ୍ତ ପୁରୁଷକାର ।

 

ଦୁହେଁ ଦୁହିଁଙ୍କି ଏକ ଧ୍ୟାନରେ ନିଷ୍ପଲକ ନୟନରେ ବହୁକ୍ଷଣ ଚାହିଁ ରହିଲେ । ଆଖି ଆଗରେ ଦେହ, ଆଉ ଦେହ–କୋଣାର୍କର ସେହି ସମଗ୍ର ପରିସର ଓ ପରିବେଶ ମଧ୍ୟରେ ଖାଲି ନଗ୍ନ ଦେହ–ସବୁଜ ଓ ସତେଜ–ଉଜ୍ଜ୍ୱଳ ଓ ଜୀବନ୍ତ–ଆକାଶ ପରି ମୁକ୍ତ, ନିର୍ମଳ ଓ ନିରାଭରଣ–କାଳିମାର ରେଖା ନାହିଁ–ପାପର ସ୍ପର୍ଶ ନାହିଁ–ଅଶ୍ଳୀଳତାର ଚିହ୍ନବର୍ଣ୍ଣ ନାହିଁ–ନିର୍ଦ୍ଦୋଷ, ନିଷ୍କଳଙ୍କ ଓ ନିର୍ମୋକଶୂନ୍ୟ ଦେହ ।

 

ତପୁର ଆଖି ଆଗରେ କୋଣାର୍କ ମନ୍ଦିରର କେଉଁ ଏକ ରୂପସୀ ଶାଳଭଞ୍ଜିକାର ଚିତ୍ର ଭାସିଉଠିଲା ଯେପରି ! ଠିକ୍‍ ସେହିପରି ସ୍ଫୀତ, ଉଦ୍ଧତ ବକ୍ଷଦେଶ । ଯୌବନର କି କମନୀୟ କାରୁକାର୍ଯ୍ୟ ସେ ! ବିଶ୍ୱର ସମସ୍ତ ସ୍ୱପ୍ନ ଓ ବିସ୍ମୟ ଯେପରି ଠୁଳ ହୋଇଛି ସେଇଠି ! ଯୁବ-ସୃଷ୍ଟିର ସକଳ କାମନା-ବାସନା ଯେପରି ଘୂରିବୁଲୁଛି ତାକୁଇ କେନ୍ଦ୍ର କରି ! ସତେ କି ବିଶାଳ ବିପୁଳ ଦୁଇଟି ଗୋଲାର୍ଦ୍ଧ ! ଜଳଭାଗ ଅଛି, ଅଛି ସ୍ଥଳ ଭାଗ–କଠିନତା ଅଛି, ଅଛି କୋମଳତା–ଅଗ୍ନି ଅଛି, ଅଛି ବରଫ । ସୂର୍ଯ୍ୟ, ଚନ୍ଦ୍ର, ମରୁତ୍‍, ବ୍ୟୋମ, କୋଟି କୋଟି ଜୀବଜନ୍ତୁ ତହିଁରେ ଆତଯାତ ହେଉଛନ୍ତି । ଏ ବିଶ୍ୱ ସୃଷ୍ଟିର ଦୃତ୍‍ପିଣ୍ଡ ରୂପେ ତାହା ସତତ ଅସ୍ଥିର–କମ୍ପମାନ ।

 

ବକ୍ଷ ତଳକୁ ତନୁ-ବଲ୍ଲରୀ ଆସ୍ତେ ଆସ୍ତେ ସରୁ ହୋଇ ଯାଇଛି । ଜଣେ ନିପୁଣ ଶିଳ୍ପୀ-ହସ୍ତରେ ଯେପରି ଅଙ୍କିତ ତାହାର ସିଂହକଟୀ ! ତା’ ଉପରେ ସୁବିନ୍ୟସ୍ତ ନାଭିବିନ୍ଦୁ । ନାଭିବିନ୍ଦୁଠାରୁ ତଳକୁ ତଳକୁ ଲମ୍ବିଯାଇଛି–ସରୁ ସରୁ ରୋମାବଳୀ–ଠିକ୍‍ ଏକ ସରଳରେଖାରେ । ସୁଗୋଲ ଜଘନ ଦୁଇଟିର ମଧ୍ୟସ୍ଥଳରେ ରୋମାବଳୀ–ରେଖା ଗହଳ ଓ ଘନକୃଷ୍ଣ ହୋଇଉଠିଛି । ପୃଥିବୀର ସର୍ବଶ୍ରେଷ୍ଠ ଲୋଭନୀୟ ଧନକୁ ତାହା ଅତି ଯତ୍ନରେ ଆବୃତ୍ତ କରି ରଖିଛି ଯେପରି !

 

ଆବୃତ୍ତ ହୋଇଥିବାରୁହିଁ ଜଘନଦ୍ୱୟର ସେ ମଧୁର ମିଳନ-ପୀଠଟି ଅତି ରୋମାଞ୍ଚକର–କୌତୂହଳଉଦ୍ଦୀପକ । ଆଲୋକ ଓ ଅନ୍ଧକାରର ସମନ୍ଵୟ ହୋଇଛି ସେଇଠି–କଳ୍ପନା ଓ ବାସ୍ତବତାର ସମବାୟ । ତପୁ ପ୍ରଲୁବ୍ଧ ହୋଇ ଚାହିଁ ରହିଲା । ତାହାର ସମସ୍ତ ପ୍ରବୃତ୍ତି ନିବୃତ୍ତି ଲାଭ କରିବା ଲାଗି ଉଦ୍‍ଗ୍ରୀବ ହୋଇ ସେଇଠିକି ଧାବିତ ହେଲା ଯେପରି !

 

କି ଶକ୍ତି ଏ ? –ତାହାର ମନକୁ ମଥିତ କରୁଛି । କି ତନ୍ତ୍ର ଏ ? –ତାହାର ପିତୃତ୍ୱକୁ ଆବାହନ ଜଣାଉଛି ।

 

ନିଜର କମ୍ପିତ ବାହୁ ଯୋଡ଼ିକ ତପୁ ଲିଲି ଆଡ଼ିକୁ ପ୍ରସାରିତ କଲା ।

 

ଲିଲି ସଲଜ୍ଜ ଦୃଷ୍ଟିରେ ଚାହିଁ ଦେଖୁଥିଲା–ତପୁର ଉଲ୍ଲଗ୍ନ ଅଙ୍ଗ-ପ୍ରତ୍ୟଙ୍ଗ । ଏକ ବଳିଷ୍ଠ ଓ ସୁଗଠିତ ପୁରୁଷର ଅଙ୍ଗ । ବିଶାଳ ବାହୁ ଯୋଡ଼ିକର ମାଂସପେଶୀ ସ୍ପଷ୍ଟ ବାରି ହୋଇ ପଡ଼ୁଛି । ତା’ ମଧ୍ୟରେ ଯେପରି ଫୁଟି ଉଠିଛି–ଯୁବ-ସୃଷ୍ଟିର ସମସ୍ତ ବଳବୀର୍ଯ୍ୟ ! ସେହି ବଳିଷ୍ଠ ବାହୁବନ୍ଧନୀ ମଧ୍ୟରେ ନିଜର ସତୃଷ୍ଣ ଶରୀରକୁ ନିପୀଡ଼ିତ କରିବା ଲାଗି ଲିଲି ମନ ଲାଳାୟିତ ହେଲା ।

 

ଆଉ ତପୁର ସେହି ପ୍ରଶସ୍ତ ବକ୍ଷଦେଶ ବେଶ୍‍ ମାଂସଳ ଓ ମସୃଣ । ଲିଲି ଭାବିଲା–କେତେ ସାହସ ତା’ ତଳେ ସଞ୍ଚିତ ହୋଇ ରହିଛି–କେତେ ଆଶା ଓ ବିଶ୍ୱାସ । ନାରୀଜାତି ତା’ ଉପରେ ଆସ୍ଥା ସ୍ଥାପନ କରିପାରେ–ତାକୁ ନିର୍ଭର କରି ବଞ୍ଚିପାରେ । ସେ ଛାତି ଲକ୍ଷ ଯୁବତୀର ଭରସା–କୋଟି ନାରୀର ଅବଲମ୍ବନ ।

 

ଆହୁରି ତଳ ଆଡ଼କୁ ଚାହିଁ ଲିଲି ଦେଖିଲା–ସୁପୁରୁଷର ସେହି ଲମ୍ବ ମାଂସଳ ଉପସ୍ଥ । ଯେପରି ଦୃଢ଼ ଓ କଠିନ, ସେହିପରି ନରମ ଓ କୋମଳ । ତପୁ ଶରୀରସ୍ଥ ସ୍ନାୟୁଗୁଡ଼ିକର ସମସ୍ତ ତଡ଼ିତ୍‍ ପ୍ରବାହ ଯେପରି ସେଇଠି ମିଳିତ ହୋଇଛି ! ଉଦଗ୍ର କାମନାର ଉଦ୍ଦୀପନାର ତାହା ଉଷ୍ଣ ଓ ରକ୍ତାଭ । ସୃଷ୍ଟିର ପବିତ୍ର ପ୍ରେରଣାରେ ତହିଁରେ ଅସମ୍ଭବ ଚାଞ୍ଚଲ୍ୟ ଓ ବେପଥୁ ।

 

ଦୂରରୁ କୈଳାଶ ପର୍ବତ-ଶୃଙ୍ଗ ଦେଖିଲା ପରି ଲିଲିର ମନେ ହେଲା । କୈଳାଶର ଶିବଲିଙ୍ଗ ଏ, ମଙ୍ଗଳମୟ ଜନନେନ୍ଦ୍ରିୟ–ଦୀର୍ଘ, ବିପୁଳ ଓ ବିସ୍ତୀର୍ଣ୍ଣ । ଏଥିରେ ଗଙ୍ଗାର ପବିତ୍ରତା ଅଛି–ଅଛି ସର୍ପର ଉଗ୍ରତା । ଏହା ତ୍ରିଶୂଳର ଶୌର୍ଯ୍ୟ ଓ ଡମ୍ବରୁର ଉଦ୍ବୋଧନ ଧାରଣ କରେ । ଶକ୍ତି ସହିତ ମିଳିତ ହୋଇ ବିଶ୍ୱପ୍ରଜନନ ପାଇଁ ଏହା ଯେପରି ବ୍ୟସ୍ତ ଓ ବ୍ୟାକୁଳ !

 

ଲିଲି ମନ ଆନ୍ଦୋଳିତ ହେଲା, ଆଉ ଶିହରଣ ଦେଖାଦେଲା ତାହାର ସାରା ଶରୀରରେ-। ସେ ମୁହୂର୍ତ୍ତକ ମଧ୍ୟରେ ତପୁର ପ୍ରସାରିତ ବାହୁ-ଯୁଗଳ ମଧ୍ୟରେ ନିଜକୁ ସମର୍ପଣ କରିଦେଲା-

 

ତପୁ କହିଲା–କି ସୁନ୍ଦର ଆଉ ପବିତ୍ର ଆମର ଏ ଦେହ ! ଯଥାର୍ଥରେ ଏହା ପ୍ରେମର ପୂଜା-ବେଦୀ ସ୍ୱରୂପ । ଏ ଦେହକୁ ତ ଅବହେଳା କରି ହେବ ନାହିଁ ! ଆସ ଲିଲି, ଏହି ପୂଜା-ବେଦୀ ଉପରେ ହିଁ ଆମେ ପରସ୍ପର ପ୍ରତି ଆମର ପ୍ରେମ-ଅର୍ଘ୍ୟ ନିବେଦନ କରିବା !

Image

 

ସ୍ୱର୍ଗ

 

ଅନେକ–ଅନେକ ଯୁଗର ତଳର କଥା । ଏ ହେଉଛି କଳିଯୁଗ, ତା’ ପୂର୍ବରୁ ଦ୍ୱାପର, ତା’ ପୂର୍ବରୁ ତ୍ରେତୟା ଏବଂ ତା’ ପୂର୍ବରୁ ସତ୍ୟ ଯୁଗ । ସେହି ସତ୍ୟ ଯୁଗର ଆରମ୍ଭ କାଳ………

 

ମର୍ତ୍ତ୍ୟମଣ୍ଡଳରେ ମଣିଷର ସୃଷ୍ଟି ହୋଇଛି । ସତ୍ୟ ଯୁଗର ମଣିଷ–ସାଧୁ, ସଚ୍ଚୋଟ ଓ ସତ୍ୟବାନ୍‍ । ମା’ ଲକ୍ଷ୍ମୀ ସେତେବେଳେ ବୈକୁଣ୍ଠରେ–ମା’ ଅନ୍ନପୂର୍ଣ୍ଣା ମଧ୍ୟ କୈଳାଶବାସିନୀ । ପୃଥିବୀରେ ବିଳାସ-ବ୍ୟସନ, ଧନରତ୍ନ, ଅନ୍ନ-ବ୍ୟଞ୍ଜନାଦିର ପ୍ରଚଳନ ସେତେବେଳ ପର୍ଯ୍ୟନ୍ତ ହୋଇନାହିଁ । ଫଳମୂଳ ଆହାର କରି, ସବୁବେଳେ ଭଗବାନଙ୍କ ନାମ ନେଇ ସରଳ ସୁନ୍ଦର ଜୀବନ ଯାପନ କରୁଥିଲା ମଣିଷସମା ।

 

ଏହିଭଳି ଗୋଟିଏ ପୁରୁଷ କଟିଗଲା । ସେତେବେଳେ ମଣିଷ-ସମାଜରେ ରୋଗ, ଶୋକ, ଅକାଳମୃତ୍ୟୁ ନଥିଲା । ତେଣୁ ଶହ ଶହ ବର୍ଷପରେ ଏକା ସାଙ୍ଗରେ ଗୋଟିଏ ‘ପୁରୁଷ’ର ମୃତ୍ୟୁ ସମୟ ଆସି ପହଞ୍ଚିଲା । ତହୁଁ ମଣିଷମାନେ ଏକତ୍ର ସଶରୀର ସ୍ୱର୍ଗକୁ ଯିବାଲାଗି ସ୍ଥିର କଲେ-

 

ଗାଙ୍ଗେୟ ଉପତ୍ୟକା ଦେଇ ଦେବତାତ୍ମା–ହିମାଳୟ ପର୍ବତ-ପଥରେ ମଣିଷ-ସମାଜର ସ୍ୱର୍ଗଯାତ୍ରା ଆରମ୍ଭ ହେଲା । ସ୍ୱର୍ଗର ପ୍ରବେଶପଥରେ ଦଣ୍ଡାୟମାନ ଥିଲା ଦ୍ୱାରପାଳ । ଲକ୍ଷ୍ୟ କଲା–ଅଗଣିତ ଜୀବ କଳରୋଳ କରି କରି ସ୍ୱର୍ଗଆଡ଼କୁ ମାଡ଼ି ଆସୁଛନ୍ତି । ଶଙ୍କିତ ହୋଇ ସେ ଇନ୍ଦ୍ରଙ୍କ ନିକଟକୁ ଯାଇ ଜଣାଇଲା–ବଡ଼ ବିପଦ ଦେବରାଜ !

 

ଦେବରାଜ ଚମକି ପଡ଼ିଲେ !

 

ଦ୍ୱାରପାଳ ନିବେଦନ କଲା–କୋଟି କୋଟି ଜୀବ ପିମ୍ପୁଡ଼ି ଧାର ଭଳି ସ୍ୱର୍ଗଆଡ଼କୁ ମାଡ଼ି ଆସୁଛନ୍ତି । ଅସୁରବାହିନୀ ହେବେ କି କ’ଣ !

 

ଇନ୍ଦ୍ର ଭୟ ଓ ଆତଙ୍କରେ କହିଉଠିଲେ–ଅସୁରବାହିନୀ ! କୁଆଡ଼େ ଗଲେ ସେନାପତି ? ଶୀଘ୍ର ଦେବସୈନ୍ୟଙ୍କୁ ପ୍ରସ୍ତୁତ କରାଅ ।

 

ଠିକ୍‍ ଏତିକି ବେଳେ ଦେବର୍ଷି ନାରଦ ଆସି ସେଠାରେ ଉପସ୍ଥିତ ହେଲେ । ସବୁ କଥା ଶୁଣି ସେ କହିଲେ–ସେହି କୋଟି କୋଟି ଜୀବ ଅସୁର ନୁହନ୍ତି, ଦେବରାଜ ! ସେମାନେ ମଣିଷ; ସତ୍ୟ ଯୁଗର ମର୍ତ୍ତ୍ୟ-ମାନବ । ସେମାନେ ଅପାପ-ବିଦ୍ଧ, ସଶରୀର ସ୍ୱର୍ଗକୁ ଆସିବାଲାଗି ସଂକଳ୍ପ କରିଛନ୍ତି । ଦେବ-ଅସ୍ତ୍ର ସେମାନଙ୍କର କୌଣସି କ୍ଷତି କରିପାରିବ ନାହିଁ ।

 

ଇନ୍ଦ୍ର କହିଲେ, “ତେବେ ଉପାୟ କ’ଣ ? ଏତେଗୁଡ଼ାଏ ମଣିଷ ଯଦି ସଶରୀରେ ସ୍ୱର୍ଗକୁ ଆସନ୍ତି, ତା’ହେଲେ..…”

 

ଦେବ-ସମାଜ ଓ ସ୍ୱର୍ଗର ସିଂହାସନ କଥା ଭାବି ସମସ୍ତେ ଶଙ୍କାକୁଳ ହୋଇପଡ଼ିଲେ । ବହୁ ବିଚାର-ଆଲୋଚନା ପରେ କୌଣସି ଉପାୟ ନ ମିଳିବାରୁ ସମସ୍ତେ ଯାଇ ନାରାୟଣଙ୍କ ନିକଟରେ ଶରଣାପନ୍ନ ହେଲେ ।

 

ଭଗବାନ ନାରାୟଣ ସବୁ କଥା ଶୁଣି ଟିକିଏ ହସିଲେ । ତା’ପରେ ସମସ୍ତଙ୍କୁ ଅଭୟ ପ୍ରଦାନ କରି କହିଲେ–“ଆଚ୍ଛା, ଦେଖିବା !’’

 

ନାରାୟଣ ପ୍ରଥମେ ମା’ ଅନ୍ନପୂର୍ଣ୍ଣାଙ୍କୁ ଏହାର କିଛି ପ୍ରତିକାର କରିବା ଲାଗି ପଠାଇଲେ-

 

ଅନ୍ନପୂର୍ଣ୍ଣା ଆସି ପଥମଧ୍ୟରେ ଗୋଟିଏ ଗୃହ ନିର୍ମାଣକରି ତହିଁରେ ଚର୍ବ୍ୟ-ଚୋଷ୍ୟ-ଲେହ୍ୟ-ପେୟ-ଅନ୍ନ-ବ୍ୟଞ୍ଜନାଦିର ଛପନ-କୋଟି ଭଣ୍ଡାର ସଜାଡ଼ି ରଖିଲେ । ମଣିଷଦଳ ସେଠାରେ ପହଞ୍ଚିବା ମାତ୍ରେ ସେ ସସ୍ନେହ ନିମନ୍ତ୍ରଣ ଜଣାଇଲେ–ତମେମାନେ ସୁଦୂର ପଥ ଅତିକ୍ରମ କରି ଶ୍ରାନ୍ତ-କ୍ଳାନ୍ତ । ଆସ, ଆଜି ମୋର ଆତିଥ୍ୟ ଗ୍ରହଣ କର ।

 

ମଣିଷଦଳ ସେଠାରେ ଅଟକି ଯାଇ ପ୍ରଶ୍ନବାଚୀ ଦୃଷ୍ଟିରେ ପରସ୍ପରକୁ ଚାହିଁବାରେ ଲାଗିଲେ । ଅନ୍ନ-ବ୍ୟଞ୍ଜନାଦିର ଗନ୍ଧରେ ସମସ୍ତେ ଲୋଭାକୃଷ୍ଟ ହୋଇପଡ଼ିଲେ । କେତେକଙ୍କ ତୁଣ୍ଡରୁ ଲାଳ ବହିବାରେ ଲାଗିଲା !

 

କିନ୍ତୁ ତନ୍ମଧ୍ୟରୁ କେତେକଙ୍କର ମୋହ ଭଙ୍ଗ ହେଲା । ସେମାନେ କହିଲେ–ନା, ନା, ସ୍ୱର୍ଗ ଯାତ୍ରା ପଥରେ ବିଶ୍ରାମ କରିବା ଉଚିତ ନୁହେଁ, ଚାଲ ।

 

ସେମାନେ ଆଗେଇ ଚାଲିଲେ ।

 

ଯେଉଁମାନେ ମା’ ଅନ୍ନପୂର୍ଣ୍ଣାଙ୍କ ପୁରରେ ଅଟକି ଗଲେ, ସେମାନେ ମହା ଆନନ୍ଦରେ ପେଟ ପୂରାଇ ଅନ୍ନ-ବ୍ୟଞ୍ଜନାଦି ଭୋଜନ କଲେ; ପରମ ତୃପ୍ତିରେ ବିଶ୍ରାମ କରୁ କରୁ ପଚାରିଲେ–“ମା, ଆମେ ଯଦି ଏଠାରେ ରହିଯାଉଁ, ଏହିଭଳି ଆମକୁ ଖାଇବାକୁ ଦେବ ତ ?”

 

ଅନ୍ନପୂର୍ଣ୍ଣା ଉତ୍ତର ଦେଲେ–‘ନିଶ୍ଚୟ !’

 

ସେମାନେ ସବୁ ସେହିଠାରେହିଁ ରହିଗଲେ ।

 

ନାରାୟଣ ତା’ପରେ ମା’ ଲକ୍ଷ୍ମୀଙ୍କୁ ପଠାଇଲେ । ଲକ୍ଷ୍ମୀ ଆସି ପଥ ମଧ୍ୟରେ ଗୋଟିଏ ହେମମୟ ହର୍ମ୍ୟ ନିର୍ମାଣ କଲେ । ହୀରା, ନୀଳା, ମଣି, ମାଣିକ୍ୟରେ ପରିପୂର୍ଣ୍ଣ ଐଶ୍ୱର୍ଯ୍ୟମୟ ଲକ୍ଷ୍ମୀପୁର । ଯେଉଁ ମଣିଷମାନେ ସ୍ୱର୍ଗ ଉଦ୍ଦେଶ୍ୟରେ ଆଗେଇ ଚାଲିଥିଲେ, ସେମାନେ ସେଇଠି ଅଟକି ଗଲେ । ଲକ୍ଷ୍ମୀପୁର ଦେଖି ସେମାନଙ୍କର ଆଖି ଝଲସିଗଲା ।

 

ଲକ୍ଷ୍ମୀ ଆହ୍ୱାନ କଲେ–“ଆସ, ଏ ସବୁ ଐଶ୍ୱର୍ଯ୍ୟ ତମରି ପାଇଁ ! ଚାଲ, ପୁରମଧ୍ୟରେ ପ୍ରବେଶ କର !’’

 

ସେହି ଅଗ୍ରଗାମୀ ମଣିଷମାନଙ୍କ ମଧ୍ୟରୁ ହଳେ ଲକ୍ଷ୍ମୀପୁରରେ ପ୍ରବେଶ କଲେ ।

 

ସେତେବେଳକୁ ପଥ ମଧ୍ୟରେ ନାରାୟଣଙ୍କ ନିର୍ଦ୍ଦେଶରେ ଆହୁରି ଗୋଟାଏ ସୁରମ୍ୟ ପ୍ରାସାଦ ନିର୍ମିତ ହୋଇ ସାରିଥିଲା । ଶୋକ-ପାସୋରା ଅପୂର୍ବ ଭବନ; ଚତୁର୍ଦ୍ଦିଗରେ ବର୍ଣ୍ଣବହୁଳ ପୁଷ୍ପ-ଉଦ୍ୟାନ । ମନ୍ଦ ମଳୟରେ ସ୍ନିଗ୍ଧ ସୁରଭି ସମୁଦାୟ ପୁରଟିରେ ଖେଳିବୁଲୁଛି । ଆମ୍ରକୁଞ୍ଜରୁ ଭାସିଆସୁଛି କୋକିଳର କୁହୁ । ସୁସଜ୍ଜିତ ପୁରର ଦ୍ୱାର ଦେଶରେ ଉଭା ହୋଇଛନ୍ତି ରୂପସୀ ଅପ୍‍ସରାର ଦଳ । ସେମାନଙ୍କ ହାତରେ ପୁଷ୍ପମାଳା, ବନ୍ଦାପନାଥାଳୀ, ଆଉ ମଣିମୟ ପାନପାତ୍ର ।

 

ଅଗ୍ରଗାମୀ ଅବଶିଷ୍ଟ ମଣିଷମାନଙ୍କୁ ସେମାନେ ପ୍ରୀତି-ପୂର୍ଣ୍ଣ ନିମନ୍ତ୍ରଣ ଜଣାଇଲେ–“ଆସନ୍ତୁ, ଏହି ସ୍ୱପ୍ନମୟ ପୁରରେ ବିଶ୍ରାମ ଗ୍ରହଣ କରନ୍ତୁ । ଆପଣମାନଙ୍କର ସେବା କରିବା ଲାଗି ଆମେ ଏଠାରେ ଉପସ୍ଥିତ ରହିଛୁଁ ।’’

 

ମଣିଷଦଳ ଠିଆ ହୋଇଗଲେ । ଲୀଳା-ଚପଳ ଭଙ୍ଗୀରେ ଅପ୍‍ସରାଗଣ ମଧ୍ୟ ମଧୁର ସମ୍ଭାଷଣ କଲେ–“ଆସନ୍ତୁ, ଆପଣମାନେ ତୃଷାର୍ତ୍ତ, ଆମ ହାତରୁ ଏହି ସୁରା ପାନ କରନ୍ତୁ । ପୁଷ୍ପ-ଚନ୍ଦନ ଗ୍ରହଣ କରନ୍ତୁ ।’’

 

ଜଣ ଜଣ କରି ମଣିଷମାନେ ସେହି ଅପ୍‍ସରା-ଭବନକୁ ପ୍ରବେଶ କରିବାକୁ ଲାଗିଲେ ।

 

ସର୍ବଶେଷରେ ନାରାୟଣ କହିଲେ, “ଏଥର ଦେଖତ, ଇନ୍ଦ୍ର ! ଆଉ କେହି ସ୍ୱର୍ଗ ଆଡ଼କୁ ଆସୁଛି କି ନା !’’

 

ଦେବରାଜ ଇନ୍ଦ୍ର ଶାନ୍ତିର ନିଃଶ୍ୱାସଟିଏ ମାରି ଉତ୍ତର ଦେଲେ–“ନା !’’

 

ନାରାୟଣ ପୁଣି କହିଲେ–“ଭଲଭାବରେ ପଥକୁ ନିରୀକ୍ଷଣ କର !’’

 

ଇନ୍ଦ୍ର ତୀକ୍ଷ୍ଣ ଦୃଷ୍ଟିରେ କ୍ଷଣକାଳ ଅନୁସନ୍ଧାନ କଲା ପରେ ଚମକି ଉଠିଲେ–“ହଁ ନାରାୟଣ, କ’ଣ ଗୋଟିଏ ପଥ ମଧ୍ୟରେ ହଲଚଲ ହେଉଛି ! ବୋଧହୁଏ ମଣିଷ ଜଣେ ।’’

 

ନାରାୟଣ କହିଲେ–“ବେଶ୍‍, ଏଥର ଯାଅ, ସ୍ୱର୍ଗଦ୍ୱାର ଉନ୍ମୁକ୍ତ କର ! ତୁମେ ନିଜେ ପାରିଜାତମାଳା ହାତରେ ଧରି ତାକୁ ସମ୍ବର୍ଦ୍ଧନା ଜ୍ଞାପନ କର, ସେ ଆସୁ; ସମ୍ମାନ ସହକାରେ ତାକୁ ସ୍ୱର୍ଗକୁ ପାଛୋଟି ଆଣ ।’’

 

ସେହି ମଣିଷଟିର ପଦଧୂଳିରେ ସ୍ୱର୍ଗ ପବିତ୍ର ହେଲା ।

 

* ଭାରତୀୟ ଜ୍ଞାନପୀଠ ପୁରସ୍କାର-ପ୍ରାପ୍ତ ଶ୍ରୀ ତାରାଶଙ୍କର ବନ୍ଦ୍ୟୋପାଧ୍ୟୟଙ୍କର ପ୍ରସିଦ୍ଧ ‘ଗଣଦେବତା’ ଉପନ୍ୟାସସ୍ଥ ଗୋଟିଏ ଗଳ୍ପ ଅବଲମ୍ବନରେ ।

Image

 

ରଥ, ରଥୀ ଓ ରଥକାର

 

ପୂଜା-ବେଦୀ ଉପରେ ନିବେଦିତ ପୁଷ୍ପାର୍ଘ୍ୟ ପରି ନଟନାରୀ ମଦନିକାର ମଦିର ଆଲିଙ୍ଗନ ପାଶରେ ସମ୍ପୂର୍ଣ୍ଣ ଆତ୍ମ-ସମର୍ପଣ କରିଥିଲେ କବି ବଳରାମ ।

 

ବଳରାମଙ୍କ ମସ୍ତକର ମସୃଣ କେଶଗୁଚ୍ଛ ମଧ୍ୟରେ ନିଜର ଚମ୍ପକ-ଅଙ୍ଗୁଳିଚାଳନା କରୁ କରୁ ମଦନିକା ପ୍ରକାଶ କଲା–“ଆଜି ବୋଧହୁଏ କୌଣସି-କାରଣରୁ କବି କ୍ଳାନ୍ତ ଓ ବିବ୍ରତ ।’’

 

କବି ନିରୁତ୍ତର । କେବଳ ଦୀର୍ଘନିଃଶ୍ୱାସ ତ୍ୟାଗ କରି ମଦନିକାର ସେହି ଯାମଳ ଭୂଧର ସମ ବିପୁଳ ବକ୍ଷଦେଶର ମଧ୍ୟଭାଗରେ ମୁଖ ଲୁଚାଇ ନିଦ୍ରା ଯିବାର ଛଳନା କଲେ ।

 

ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ନବୀନା ନଟନାରୀ ମଦନିକାର ସୁସଜ୍ଜିତ ଦ୍ୱିତଳ ପ୍ରାସାଦ । ତାହାରି ଏକ ଶାନ୍ତ ସୁନ୍ଦର ପ୍ରକୋଷ୍ଠକୁ ଅଶାନ୍ତ-ଚିତ୍ତ କବି ବଳରାମ ଉଷ୍ଣ ଦୀର୍ଘଶ୍ୱାସରେ ବ୍ୟଥାକୁଳ କରି ପକାଉଥିଲେ । ମୁକ୍ତ ବାତାୟନ ପଥରେ ଭାସି ଆସୁଥିଲା–ଘଣ୍ଟ, କାହାଳୀ, ମୃଦଙ୍ଗ, କଂସାଳର ଉଦାତ୍ତ ଧ୍ୱନି ।

 

ଆଜି ପବିତ୍ର ଶ୍ରୀଗୁଣ୍ଡିଚା ।

 

ହରି ଶବ୍ଦରେ ଆଦୂରସ୍ଥ ବଡ଼ଦାଣ୍ଡର ବିରାଟ ଜନ-ସମୁଦ୍ର ଉଦ୍ବେଳିତ ହୋଇ ଉଠୁଥିଲା । ବୋଧହୁଏ ପହଣ୍ଡି ବିଜେ ଶେଷ ହୋଇଛି ; ଠାକୁରମାନେ ରଥ ଉପରକୁ ଉଠିବେ । ଦଇତାମାନେ ଯେପରି ଅସ୍ତବ୍ୟସ୍ତ ହୋଇ ପଡ଼ୁଥିଲେ !

 

ମଧସ୍ରାବୀ ମୃଦୁ କଣ୍ଠରେ ମଦନିକା କହିଲା–“ଆଜି ପରି ପୁଣ୍ୟ ଦିବସରେ ଜଣେ ନଟନାରୀ ନିକଟରେ ପୁଣି ଏ ଅନୀତି କାହିଁକି କବି ?’’

 

ବଳରାମଙ୍କ ମୁଖମଣ୍ଡଳରେ ଏକ ଶୁଷ୍କ ହାସ୍ୟର ତରଙ୍ଗ ଖେଳିଗଲା ।

 

ଅନୀତି ! ଗଜପତି ପ୍ରତାପରୁଦ୍ରଦେବଙ୍କ ମନ୍ତ୍ରିସୁତ ମହାକବି ବଳରାମ ମହାପାତ୍ର ରୂପସୀ ମଦନିକା ନିକଟରେ ଅନୀତି କରୁଛନ୍ତି !–ପୁଣି ପବିତ୍ର ଶ୍ରୀଗୁଣ୍ଡିଚା ଦିବସରେ ! ଧର୍ମ ଓ ଯୌନତା କି ସମ୍ପର୍କହୀନ ? ଅନାଚାର ଓ ଆଧ୍ୟାତ୍ମିକତା କ’ଣ ପରସ୍ପର ବିରୋଧୀ ?

 

ବଳରାମ କହିଲେ–‘ସାଧାରଣ ଦୃଷ୍ଟିରେ ସକଳ ପ୍ରକାର ଅନୁରାଗ ହିଁ ଅନୀତି, ମଦନିକା-! ସକଳ ପ୍ରକାର ପ୍ରେମର ପ୍ରକୃତି ଅସାମାଜିକ ! –ତାହା ନାରୀପ୍ରେମ ହେଉ, କିମ୍ବା ରାଷ୍ଟ୍ରପ୍ରେମ ହେଉ, ଅଥବା ହେଉ ବିଭୁପ୍ରେମ !

 

ନଟନାରୀ ମଦନିକା ନିକଟରେ କବିବାଣୀ ଯେପରି ଅସ୍ପଷ୍ଟ ଓ ଦୁର୍ବୋଧ୍ୟ ହୋଇ ଉଠୁଥିଲା ! ତଥାପି ଅସ୍ପଷ୍ଟ ଦୂର ପର୍ବତର ସୌନ୍ଦର୍ଯ୍ୟ ପରି ତାହା ମଦନିକାର ସୁକୋମଳ ପ୍ରାଣକୁ ସ୍ପନ୍ଦନାୟିତ କରିଦେଉଥିଲା ।

 

କୁଙ୍କୁମ-ଚନ୍ଦନ-ଚର୍ଚ୍ଚିତ ମଦନିକାର ଚାରୁଚପଳ ମୁଖମଣ୍ଡଳକୁ ବାରମ୍ବାର ଚୁମ୍ବନ କରୁ କରୁ ବଳରାମ କହିଲେ–“ପିପାସାର ଏ ପ୍ରାର୍ଥନା ନିଷ୍ପ୍ରେମ ନୁହେଁ ମଦନିକା ! ଏହା ଅଗ୍ନି ହୋଇ ପ୍ରଜ୍ୱଳିତ ହୁଏନା, ପୁଷ୍ପ ହୋଇ ପ୍ରସ୍ଫୁଟିତ ହୁଏ । ମୋର ଦେହମନରେ ଏହା ଯେଉଁ ଉଦଗ୍ର ଉଦ୍ୟମ–ଯେଉଁ ପ୍ରବଳ ପୌରୁଷର ସଞ୍ଚାର କରେ, ତାହାରି ଫଳଶ୍ରୁତି ହିଁ ହେଉଛି ମୋର ସାରସ୍ୱତ ସୃଷ୍ଟିସମୂହ ଏବଂ ମୋର ଜଗନ୍ନାଥୈକପ୍ରାଣତା !’’

 

ମଦନିକାର ମୃଣାଳ-କୋମଳ ବାହୁବନ୍ଧନ ବଳରାମଙ୍କ ଶାଳପ୍ରାଂଶୁ ଶରୀରରେ ନିବିଡ଼ତର ହେଲା । ବଳରାମ ପୁଣି କହିଲେ–“ଏହି ତଥାକଥିତ ଅନୀତି ପାଇଁ ମୁଁ ଆଦୌ ବ୍ୟସ୍ତ ବା ବିବ୍ରତ ନୁହେଁ; ମଦନିକା ! ଆଜି ଶ୍ରୀଗୁଣ୍ଡିଚାର ପୁଣ୍ୟ ପ୍ରଭାତରୁ ଗୋଟିଏ କଥା କମଳ-କୋରକର କଦର୍ଯ୍ୟ କୀଟ ପରି ମୋର ମର୍ମସ୍ଥଳକୁ ବାରମ୍ବାର ବିଦ୍ଧ କରିବାରେ ଲାଗିଛି ।’’

 

ସହାନୁଭୂତିପୂର୍ଣ୍ଣ କଣ୍ଠରେ ମଦନିକା ଜିଜ୍ଞାସା କଲା–“କବିଙ୍କ ମର୍ମବେଦନାର ଉପଶମ ଲାଗି ଏ ଦୀନହୀନା ନଟନାରୀ କ’ଣ କୌଣସି ସାହାଯ୍ୟ କରି ପାରିବ ନାହିଁ ?’’

 

ମଦନିକାର ଚଟୁଳ ଚିବୁକରେ ଆପଣା ଅଙ୍ଗୁଳି ସ୍ପର୍ଶକରି ବଳରାମ ଉତ୍ତର ଦେଲେ–“ନିଶ୍ଚୟ ! ସେଇଥିଲାଗି ତ ଆଜି ପୂର୍ବାହ୍‍ଣରୁ ତୁମ ନିକଟକୁ ଧାଇଁଆସିଛି । କିନ୍ତୁ ସାମୟିକ ଉପଶମ ପରିବର୍ତ୍ତେ ମୁଁ ଚାହେଁ ମର୍ମବେଦନାର ଉତ୍ପାଟନ । ଚାହେଁ–ବିଭୁକୃପା !’’

 

ତାଙ୍କର ହୃଦୟ-ପଞ୍ଜର କମ୍ପିତ କରି ବାରମ୍ବାର ଦୀର୍ଘଶ୍ୱାସ ବହିର୍ଗତ ହେବାରେ ଲାଗିଲା-। ସେ କହିବାରେ ଲାଗିଲେ–“ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କରୁଣାଲାଭରୁ ମୁଁ କାହିଁକି ବଞ୍ଚିତ ହେଉଛି, ବୁଝି ପାରୁନାହିଁ, ମଦନିକା ! ପ୍ରଭୁଙ୍କ ଚରଣସେବା ଉଦ୍ଦେଶ୍ୟରେ ମୁଁ ରଚନା କଲି ଏତେ ସଂଖ୍ୟକ କାବ୍ୟ-କବିତା । ବିଶେଷତଃ ବହୁ ସାଧନା, ବହୁ ଅଧ୍ୟବସାୟ ଫଳରେ ନିର୍ମାଣ କଲି ରାମାୟଣରୂପୀ କାବ୍ୟ-କୋଣାର୍କ । କିନ୍ତୁ କାହିଁ ମୋର ରାଜକୀୟ ସ୍ୱୀକୃତି ? କାହିଁ ଅନୁମୋଦନର ଅଭିଜ୍ଞାନ-?’’

 

ମଦନିକା କହିଲା–“ପ୍ରକୃତରେ, ଉପଯୁକ୍ତ ସ୍ୱୀକୃତି ବା ଅନୁମୋଦନ ବିନା କବି-ଜୀବନ ବିଡ଼ମ୍ବିତ ହୁଏ । କିନ୍ତୁ ଉତ୍କଳୀୟ ଜନଗଣର ହୃଦୟ-ସିଂହାସନରେ କବି ବଳରାମ ଆଜି ସଗୌରବ ଅଧିଷ୍ଠିତ–ଏହା ତ କେହି ଅସ୍ୱୀକାର କରିପାରିବେ ନାହିଁ !’’

 

ବଳରାମ ଉତ୍ତର ଦେଲେ–“ତଥାପି ଗଜପତି ମହାରାଜାଙ୍କ ଶୁଭେଚ୍ଛା ଓ ସଂପ୍ରୀତି ମୁଁ ଲାଭ କରିପାରିଲି ନାହିଁ । ତାଙ୍କର ସଭା-ପଣ୍ଡିତ-ମଣ୍ଡଳୀରେ ମୋର ସ୍ଥାନ ନାହିଁ । ମୁଁ ଶୂଦ୍ର–ମୁଁ ପ୍ରାକୃତ ଭାଷାର କବି । କବିଡିଣ୍ଡିମ ଜୀବଦେବ ଆଚାର୍ଯ୍ୟଙ୍କ ଅପେକ୍ଷା ମୁଁ ଅଧିକ ଗ୍ରନ୍ଥ ରଚନା କରିଥିଲେ ହେଁ ଏବଂ ସେଥିପାଇଁ ଉତ୍କଳ-ଖଣ୍ଡରେ ତାଙ୍କଠାରୁ ଅଧିକ ପରିଚିତ ହୋଇଥିଲେ ହେଁ ଆଜି ମୋ ଭାଗ୍ୟରେ ଏ ବିଡ଼ମ୍ବନା । ଏହା ବିଭୁକୃପାର ଅଭାବ ବ୍ୟତୀତ ଆଉ କ’ଣ ହୋଇପାରେ-?’’

 

ବଡ଼ଦାଣ୍ଡର ଜନ-କୋଳାହଳ କ୍ରମେ ତୀବ୍ରତର ହେଉଛି । ପୂର୍ବ ବାତାୟନ ପଥରେ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ସୁସଜ୍ଜିତ ଚୂଡ଼ା ଦୃଷ୍ଟିଗୋଚର ହେଲାଣି । ବୋଧହୁଏ ରଥଟଣା ଆରମ୍ଭ ହେଉଛି । ମଦନିକାର ବାହୁବନ୍ଧନରୁ ନିଜକୁ ମୁକ୍ତକରି କବି ବଳରାମ ଅକସ୍ମାତ୍‍ ଉଠିପଡ଼ିଲେ ।

 

“ମୁଁ ଅବିଳମ୍ବେ ବାହୁଡ଼ି ଆସିବି, ମଦନିକା ! ଯାଏଁ, ରଥାରୂଢ଼ ଦେବତାଙ୍କଠାରେ ମୋ ପ୍ରାଣର ଆକୁଳ ପ୍ରାର୍ଥନା ଥରେ ନିବେଦନ କରିଦେଇ ଆସେଁ ।’’ –କହୁ କହୁ ବଳରାମ ବହିର୍ଗତ ହୋଇଗଲେ ।

 

ମଦନିକା ବିସ୍ମୟବିମୂଢ଼ା ହୋଇ କବିଙ୍କ ବହିର୍ଗମନ-ପଥକୁ ଚାହିଁ ରହିଲା । ଆଜି ଶ୍ରୀମନ୍ଦିରର ପାଷାଣ-ପ୍ରାଚୀର ମଧ୍ୟରୁ ବାହାରି ଦେବତା ଆସିଛନ୍ତି ସମାଜର ବଡ଼ଦାଣ୍ଡ ଉପରକୁ । ଭକ୍ତ ଓ ଭଗବାନଙ୍କର ଏହି ଅବାଧ ମୁକ୍ତ ମିଳନର ଅବକାଶ ବାସ୍ତବିକ ବଡ଼ ତାତ୍ପର୍ଯ୍ୟପୂର୍ଣ୍ଣ । ଆପଣାର ପ୍ରିୟ ଭକ୍ତମାନଙ୍କର ଅବସ୍ଥା ଭଗବାନ ସ୍ୱଚକ୍ଷୁରେ ଦେଖିବେ–ସ୍ୱକର୍ଣ୍ଣରେ ଶୁଣିବେ । ସେଇଥିପାଇଁ ତ ଜଗନ୍ନାଥଙ୍କର ଏ ବାତ୍ସାରିକ ରଥଯାତ୍ରା । ମଦନିକା ନିନ୍ଦିଘୋଷର ଚୂଡ଼ାକୁ ଚାହିଁ ଭକ୍ତିରେ ମସ୍ତକ ଅବନତ କଲା ।

 

ବହୁ କଷ୍ଟରେ ବଡ଼ଦାଣ୍ଡର ଲୋକାରଣ୍ୟ ଅତିକ୍ରମ କରି ବଳରାମ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ନିକଟରେ ଉପସ୍ଥିତ ହେଲେ । ଭକ୍ତି-ଭାବରେ ସେ ତନ୍ମୟ, ଆତ୍ମହରା ହୋଇ ପଡ଼ିଥିଲେ । ଚକ୍ଷୁଦ୍ୱୟ ତାଙ୍କର ଥିଲା ଅଶ୍ରୁପୂର୍ଣ୍ଣ । ଘର୍ମାପ୍ଲୁତ ସମସ୍ତ ଶରୀରଟି ମନ୍ଦ ପବନରେ ତାଳବୃନ୍ତ ଭଳି କମ୍ପିତ ହେଉଥିଲା ।

 

ସମ୍ମୁଖରେ ରଥାରୂଢ଼ ଶ୍ରୀଜଗନ୍ନାଥ । ବଡ଼ ବଡ଼ ଚକାଡୋଳା ମେଲି ସେ ଯେପରି ଅଗଣିତ ଭକ୍ତ-ସମାଜର ହୃଦୟ-କନ୍ଦର ପ୍ରତି ଦୃଷ୍ଟିନିକ୍ଷେପ କରୁଛନ୍ତି । ଅଭୟବାଣୀ ଯେପରି ଝରିପଡ଼ୁଛି ତୁଣ୍ଡରୁ ! ବାହୁଯୁଗଳରେ ଯେପରି ଆନ୍ତରିକ ଆଲିଙ୍ଗନ-ମୁଦ୍ରା ।

 

ବଳରାମ ଉନ୍ମତ୍ତ ଭଳି କାହାରିକୁ ଭ୍ରୂକ୍ଷେପ ନକରି ନନ୍ଦିଘୋଷ ଉପରକୁ ଉଠିଗଲେ । ଉଚ୍ଚକଣ୍ଠରେ ସେ ‘ଜୟ ଜଗନ୍ନାଥ’–‘ଜୟ ଜଗନ୍ନାଥ’ ଉଚ୍ଚାରଣ କରୁଥାଆନ୍ତି । ସ୍କନ୍ଧଦେଶରେ ଶୁଭ୍ର ଉତ୍ତରୀୟ ତାଙ୍କର ସ୍ଥାନଚ୍ୟୁତ । ମସ୍ତକର ଘନକୃଷ୍ଣ କେଶରାଶି ବିପର୍ଯ୍ୟସ୍ତ । ସୁଠାମ ଗୌର ତନୁର ସ୍ଥାନେ ସ୍ଥାନେ କୁଙ୍କୁମ ଓ ଅଳକ୍ତର ଚିହ୍ନ ଏବେ ମସୃଣ ଗଣ୍ଡଦେଶରେ ତାମ୍ବୁଳର ସିଠା ।

 

ସେବକ ପଣ୍ଡାମାନଙ୍କ ମଧ୍ୟରେ ଚହଳ ପଡ଼ିଗଲା–ଦିଅଁ ଅଶୁଚି ହେଲେ–ନନ୍ଦିଘୋଷ ଅପବିତ୍ର ହେଲା ! ଲମ୍ପଟ ମନ୍ତ୍ରିସୁତ ସଦ୍ୟ ଗଣିକାଳୟରୁ ଆସି ରଥ ଉପରେ ଉଠିଚି । ଧର–ବାଧା ଦିଅ ତାକୁ !

 

କେତେଜଣ ବଳରାମଙ୍କୁ ବେଢ଼ିଗଲେ । ଅଦୂରରେ ଛେରା ପହଁରାରେ ବ୍ୟସ୍ତ ଥିଲେ ଗଜପତି ପ୍ରତାପରୁଦ୍ର ଦେବ । ସଙ୍ଗେ ସଙ୍ଗେ ତାଙ୍କୁ ସମ୍ବାଦ ଦିଆଗଲା । ରାଜସମ୍ମତି ଘେନି ସେବକ ପଣ୍ଡାମାନେ ବଳାତ୍କାରରେ ବଳରାମଙ୍କୁ ରଥ ଉପରୁ ବହିଷ୍କାର କରିଦେଲେ ।

 

ଲାଞ୍ଛିତ, ଅପମାନିତ ହୋଇ ବଳରାମ ଆଉ ସେଠାରେ ରହି ପାରିଲେ ନାହିଁ । ବ୍ୟଥାକୁଳ ଚିତ୍ତ ତାଙ୍କର ବାହୁନି ଉଠିଲା ।

 

ଭକ୍ତି ଓ ଭୁକ୍ତି ମଧ୍ୟରେ କ’ଣ ସମବାୟ ବା ସହାବସ୍ଥାନ ସମ୍ଭବ ନୁହେଁ ? ସେ ଅପବିତ୍ର ପତିତ ହୋଇପାରନ୍ତି । କିନ୍ତୁ ଦେବତାଙ୍କ ନିକଟରେ ଭକ୍ତି-ନିବେଦନ କରିବାର ଅଧିକାର କ’ଣ ତାଙ୍କର ନାହିଁ ? କିଏ ତାହା ହେଲେ ଶ୍ରୀଜଗନ୍ନାଥଙ୍କୁ ‘ପତିତପାବନ’ ନାମରେ ଆଖ୍ୟାତ କରିଛି ?

 

ଉଚ୍ଚ ସ୍ୱରରେ ଜଗନ୍ନାଥ-ଜଣାଣ ଗାନ କରୁ କରୁ କବି ବଳରାମ ମହୋଦଧି ଦିଗରେ ଅଗ୍ରସର ହେଲେ । ସୁଲଳିତ କଣ୍ଠର ସେହି କାରୁଣ୍ୟମୟ ଜଣାଣରେ ଆକୃଷ୍ଟ ହୋଇ ବଡ଼ଦାଣ୍ଡର ଜନସମୁଦ୍ର ମଧ୍ୟରୁ ବହୁ ଭକ୍ତ ତାଙ୍କର ଅନୁଗମନ କରିବାରେ ଲାଗିଲେ ।

 

ଅଳ୍ପ ସମୟ ମଧ୍ୟରେ ସେଠାରେ ଯେପରି ଏକ ବିପତ୍‍ପାତ ସଂଘଟିତ ହୋଇଗଲା ! ଏକ ଅନାକାଙ୍‌କ୍ଷିତ, ଅପ୍ରୀତିକର ପରିସ୍ଥିତି । ଉଦ୍ବେଳିତ ଜନସମୁଦ୍ରରେ ଯେପରି ଭଟ୍ଟା ପଡ଼ିଆସିଲା-! ବ୍ୟାହତ ହେଲା–ରଥଟଣା କାର୍ଯ୍ୟ । ସେବକ ପଣ୍ଡାମାନଙ୍କ ମଧ୍ୟରେ ଭାଳେଣି ପଡ଼ିଗଲା-। ଗଜପତି ପ୍ରତାପରୁଦ୍ରଦେବ ବିବ୍ରତ ହୋଇପଡ଼ିଲେ ।

 

କିଛିକ୍ଷଣ ପରେ କୋଟ୍ଟପାଳ ଆସି ସମ୍ବାଦ ଦେଲା–ସମୁଦ୍ରକୂଳରେ ମନ୍ତ୍ରିସୁତ ବଳରାମଙ୍କ ନିକଟରେ ଜନସମାଗମ କ୍ରମେ ବୃଦ୍ଧି ପାଉଛି । ବଳରାମ ଉଚ୍ଚ କଣ୍ଠରେ ଜଣାଣ ଗାଉଛନ୍ତି ଏବଂ ଜନତା ଉତ୍କର୍ଣ୍ଣ ହୋଇ ତାହା ଶୁଣିବାରେ ଲାଗିଛି । ବଡ଼ଦାଣ୍ଡରୁ ସମୁଦ୍ରକୂଳ ଆଡ଼କୁ ପିମ୍ପୁଡ଼ିଧାର ଭଳି ଲୋକେ ଚାଲିଛନ୍ତି ।

 

ପ୍ରଶସ୍ତ ବଡ଼ଦାଣ୍ଡ ଉପରେ ତିନିଟି ଯାକ ରଥ ନିଶ୍ଚଳ ହୋଇ ଦଣ୍ଡାୟମାନ ରହିଛି ।

 

ନନ୍ଦିଘୋଷ ଉପରୁ ବଳରାମଙ୍କୁ ବହିଷ୍କାର କରିବା ହୁଏତ ଉଚିତ କାର୍ଯ୍ୟ ହୋଇନାହିଁ । ଭକ୍ତର ଅପମାନ ଯେ ଭଗବାନଙ୍କର ଅପମାନ ! ଗଜପତି ପ୍ରତାପରୁଦ୍ରଦେବ ମନେମନେ ବିଶେଷ ଅନୁତପ୍ତ ହେଲେ ।

 

ଉପାୟାନ୍ତର ନ ଦେଖି ପରିଶେଷରେ ପ୍ରତାପରୁଦ୍ରଦେବ ପାତ୍ରମନ୍ତ୍ରୀଙ୍କ ଗହଣରେ ସମୁଦ୍ରକୂଳ ଉଦ୍ଦେଶ୍ୟରେ ଗତି କଲେ ।

 

ମହୋଦଧିର ବିସ୍ତୀର୍ଣ୍ଣ ବେଳାଭୂମି । ଅନତିଦୂରରେ ଗୋଟିଏ ବାଲିକୁଦ ଉପରେ କବି ବଳରାମ ବସି ରହିଛନ୍ତି । ସମ୍ମୁଖରେ ସଯତ୍ନ ନିର୍ମିତ ତିନିଗୋଟି ବାଲୁକା-ରଥ । ଆଶା, ଆକୁତି ଓ ଆତ୍ମବିଶ୍ୱାସର ବାହନ ! ସେଥିମଧ୍ୟରେ ସେ ଆପଣାର ପ୍ରାଣପ୍ରିୟ ଦେବତାମାନଙ୍କୁ ସମାଦରେ ପ୍ରତିଷ୍ଠିତ କରାଇଛନ୍ତି । ଦୁଇ ଆଖିରୁ ତାଙ୍କର ଲୋତକର ଧାର ଛୁଟୁଛି । ସେହି ବାଲୁକାରଥ ସମ୍ମୁଖରେ ଯୋଡ଼ହସ୍ତ ହୋଇ ସେ ଉଚ୍ଚକଣ୍ଠରେ ଜଣାଣ ବୋଲିବାରେ ଲାଗିଛନ୍ତି–

 

“ହରି ହୋ, ବାଲିରେ ତ୍ରିରଥ କରିଛି ମୁହିଁ ।

ସନ୍ତୋଷେ ବିଜୟ କର ଗୋସାଇଁ ।।

ନାଥ ତୁ ସାରଥିପଣେ ସେ ଥାଉ ।

ରଥୀ ବୋଲାଇ ଯେଣେ ତେଣେ ବାଉ ।।

ହରି, ହୋ ହାତକେ ବାଗ ଆର ହାତେ ଛାଟ ।

ଦାସ ବଳରାମର ତୁହି ଆଣ୍ଟ ।।

ହୋ, ଇନ୍ଦ୍ରଜାଲ ମାୟା କରୁ କି ମୋତେ ?

ଏ ମାୟା କଲେ କି ଡରଇଁ ତୋତେ ?

ନାଥ ମୁଁ ତୋ’ତହୁଁ ନିର୍ଭୟ ଜାଣ ।

ମୋତେ ଦେଖାଇଣ ଲୋଡ଼ୁ ଯେ ଟାଣ ।।

ହରି ହୋ, ତୋହ ମାୟାକୁ ନ ଡରଇଁ ମୁହିଁ ।

ଦାସ ବଳିଆ ତୋ ବୋଲେ ନ ଥାଇ ।।’’

 

ଏହା ଯେ ଭକ୍ତିଭାବର ମହାସମୁଦ୍ର ! ଏଥିରେ ଅବଗାହନ କରିବାର ସୌଭାଗ୍ୟ କେତେଜଣଙ୍କର ଥାଏ ? ଗଜପତି ପ୍ରତାପରୁଦ୍ରଦେବ ଅଭିଭୂତ ହୋଇପଡ଼ିଲେ । ଭକ୍ତ ଭଗବାନଙ୍କୁ ଆପଣାର କରିପାରେ, ଏବଂ ତାହାରି ବଳରେ ଭଗବାନଙ୍କ ଅନୁଗ୍ରହକୁ ସେ କିପରି ନିଜର ଅଧିକାର ବୋଲି ମନେକରେ, ତାହା ସ୍ୱଚକ୍ଷୁରେ ଦେଖି ରାଜା ମୁଗ୍ଧ-ଚକିତ ହୋଇଗଲେ ।

 

ବଳରାମ ସେହିପରି ଭାବବିହ୍ୱଳ ହୋଇ ଏକମନରେ ଗାଇବାରେ ଲାଗିଥାଆନ୍ତି–

 

“ହରି ହୋ, ମୁହିଁ ଦୀନ ଦୁଃଖୀ ହୀନ ପାମର ।

ନ ବସିଲି ସାଧୁଗୋଷ୍ଠୀ ସଙ୍ଗର ।।’’

ନାଥ ମୁଁ କିଛି ହିଁ ଜାଣଇଁ ନାହିଁ ।

ତୋହରି ସେବା କରଇଁ ଗୋସାଇଁ ।।

ହରି ହୋ, ନ-ଜାଣିଲା ଲୋକେ କହି ନ ଦେଉ ।

ବଳିଆ ଦାସକୁ ଦଣ୍ଡ ଦିଆଉ ।।

ହରି ହୋ, ମୁହିଁ ଯେବେ ନିଶ୍ଚେ ହୁଅନ୍ତି ତୋର ।

କିପାଇଁ କ୍ଷେତ୍ରୁ ଯେ ହୋନ୍ତି ବାହାର ।।

ନାଥ ହୋ, ଏବେ ଯେ ଜାଣିଲି ମୁହିଁ ।

ତୋହର ଦୟା ଆଉ ମୋତେ ନାହିଁ ।।

ତୁ ସିନା ମୋତେ ଛାଡ଼ିବୁ ଗୋସାଇଁ ।

ବଳରାମ ତୋତେ ଛାଡ଼ିବ ନାହିଁ ।।’’

 

ମନ୍ତ୍ରିସୁତ ବଳରାମଙ୍କ କବିଖ୍ୟାତି ପୂର୍ବରୁ ଗଜପତିଙ୍କର କର୍ଣ୍ଣଗୋଚର ହୋଇଥିଲା । ଏବେ ତାଙ୍କର ହୃଦ୍ବୋଧ ହେଲା ବଳରାମ ପ୍ରକୃତରେ ଜଣେ ଉଚ୍ଚକୋଟିର ଭକ୍ତ-କବି । ଗଭୀର ଭକ୍ତି ଓ ଭାବନିଷ୍ଠା ବଳରେ ସେ ବାସ୍ତବିକ ଠାକୁରଙ୍କୁ ଅତି ଆପଣାର କରି ପାରିଛନ୍ତି ।

 

ବଳରାମଙ୍କ ନିକଟକୁ ଯାଇ ପ୍ରତାପରୁଦ୍ରଦେବ କହିଲେ–ତୁମକୁ ଅପମାନିତ କରାଯାଇଥିବାରୁ ମୁଁ ଦୁଃଖିତ ଓ ଅନୁତପ୍ତ । ଚାଲ, ବର୍ତ୍ତମାନ ନନ୍ଦିଘୋଷ ତୁମ ଅପେକ୍ଷାରେ !

 

ବଳରାମ ନୀରବରେ କେବଳ ଅଶ୍ରୁତର୍ପଣ କରୁଥିଲେ ।

 

ଗଜପତି ପୁଣି କହିଲେ–ଭକ୍ତି ବଳରେ ତୁମେ ଏଠାରେ ଠାକୁରମାନଙ୍କୁ ବାଲିରଥରେ ବନ୍ଦୀ କରି ରଖିଛ, କବି ! ଶତ ଶତ ଭକ୍ତଜନଙ୍କୁ ମଧ୍ୟ କବିତ୍ୱ ବଳରେ ମନ୍ତ୍ରମୁଗ୍ଧ କରି ଏଠାକୁ ଟାଣି ଆଣିଛ । କିନ୍ତୁ ତେଣେ ବଡ଼ଦାଣ୍ଡରେ ରଥଗୁଡ଼ିକ ନିଶ୍ଚଳ ହୋଇ ରହିଛି । ଚାଲ, ଭକ୍ତକବିଙ୍କ ଅନୁଗ୍ରହରେ ଦେବତାଙ୍କର ରଥଯାତ୍ରା ସୁସମାହିତ ହେଉ ।

 

ସ୍ୱନିର୍ମିତ ରଥ ପାର୍ଶ୍ୱରୁ ବାଲୁକା ଉଠାଇ କବି ବଳରାମ ଆପଣା ମସ୍ତକରେ ବୋଳି ହେଲେ । ନୟନ-ଯୁଗଳରେ ତାଙ୍କର ସେହିପରି ଲୋତକର ବନ୍ୟା । କିନ୍ତୁ ସେ ଲୋତକ ପୁଲକର–ପରମ ପ୍ରାପ୍ତିର ଲୋତକ !

Image

 

ତୃତୀୟ ନୟନ

 

ରାତି ଅଧ । ଚଇତ ଶୁକ୍ଳ ଚତୁର୍ଦ୍ଦଶୀ ରାତି । ଚାନ୍ଦ ଆସି ମଥା ଉପରେ ହେଲାଣି । ଚାରିଆଡ଼େ ଜୋଛନାର ଜୁଆର ଖେଳିଯାଇଛି । ସାରା ଗାଆଁଟା ନିଶବଦ ହୋଇଗଲାଣି । କେବଳ ଅଲେଖ ଟୁଙ୍ଗୀରୁ ଖଞ୍ଜଣିର ତାଳେ ତାଳେ ମିଳିତକଣ୍ଠର ଭଜନ ସ୍ପଷ୍ଟ ଶୁଣାଯାଉଛି–

 

ଜୀବନ ଯାହାକୁ କହି

ଜଳେ ଯେସନେ ନଳିନୀ ଖେଳଇ,

ସୁମନରେ

ଜୀବ ସଙ୍ଗେ ନାହିଁ ଦେହୀ ।।

 

ଘର ଅଗଣାରେ ସଞ୍ଜପହରୁ ଜଳୁଥିବା ଧୁନି ଲିଭି ଲିଭି ଆସୁଛି । ଅନ୍ନପୂର୍ଣ୍ଣା ଧୁନିରେ କାଠ ଦୁଇଖଣ୍ଡ ପକାଇ ନିଆଁ ତେଜି ଦେଲା । ଦାଣ୍ଡକୁ ଥରେ ଚାହିଁଦେଇ ମନକୁ ମନ କହିଲେ–ରାତି ଅଧ ହେଲା; ଏମାନେ ଗଲେ କୁଆଡ଼େ ?

 

ଭୀମଙ୍କର ଧ୍ୟାନ ଭାଙ୍ଗିଗଲା । ଧୁନି ପାଖରେ ବସି ବହୁ ସମୟ ହେଲା ସେ କ’ଣ ଭାବୁଥିଲେ ପଚାରିଲେ–“ଧରମା, ଶ୍ରୀ ଗୁରୁଙ୍କ କଥା କହୁଛ ? ସେ ଦୁହେଁ ଟୁଙ୍ଗୀରେ ଥିବେ । ଆଜି ତ ଚତୁର୍ଦ୍ଦଶୀ । ସାରା ରାତି ଭଜନ-ଚଉତିଶାରେ ମାତି ରହିବେ । ଘରକୁ ଆସିଲା ଭଳି ତ ଲାଗୁ ନାହିଁ !’’

 

ଶିରି ଶିରି ପବନରେ ବହିଆସୁଛି କେଉଁ ଏକ ନାମ–ଅଜଣା ଫୁଲର ମଧୁର ଗନ୍ଧ । ଦୂର ଆମ୍ବ ବଗିଚାରୁ କୋଇଲିର କୁହୁ-ସ୍ୱର ରହି ରହି ଶୁଣାଯାଉଛି । ତା’ ସଙ୍ଗେ ଭାସିଆସୁଛି–ଖଞ୍ଜଣୀ ଭଜନର ମିଳିତ ତାନ–

 

କହେ ଭୀମ ଭୋଇ ମୂଢ଼

କରତା ପୁରୁଷ ସଂସାରେ ବଡ଼,

ସୁମନ ରେ

କାଳଦଣ୍ଡ ସ୍ୱାମୀ ଫେଡ଼ ।।

 

ଭୀମଙ୍କର ଦେହ ରୋମାଞ୍ଚିତ ହୋଇଉଠିଲା । କାଳଦଣ୍ଡ ! ସେ ତ ଅଭିମନ୍ୟୁ ପାଇଁ ଚକ୍ରବ୍ୟୂହ । କିଏ ଆଉ ତହିଁରୁ ଉଦ୍ଧାର ପାଏ ? କର୍ତ୍ତା ପୁରୁଷ ବିନା ଅଜ୍ଞାନ ମୂଢ଼ ଭୀମ ଭୋଇ ତାହା ଫେଡ଼ିବ କିପରି ?

 

‘ଅଲେଖ’, ‘ଅଲେଖ’ ବୋଲି ଉଚ୍ଚାରଣ କରି ଭୀମ ହଠାତ୍‍ ଏକ ଭାବ-ଆବେଗରେ ଠିଆହୋଇ ପଡ଼ିଲେ । ଅନ୍ନପୂର୍ଣ୍ଣା ପାଖକୁ ଧାଇଁଆସି ତାଙ୍କ ବାହୁ ଧରି ପକାଇଲେ । ପଚାରିଲେ–“ଏ ନିଶବଦ ଅଧରାତିରେ ପୁଣି ବାହାରୁଛ କୁଆଡ଼େ ?’’

 

ଭୀମ କହିଲା–“ଏଇଭଳି ନିଶବଦ ଅଧରାତିରେ ତ ବାହାରିବାକୁ ପଡ଼େ ଶ୍ରୀମା ! କିନ୍ତୁ ଏକା ଏକା ନୁହେଁ, ସାଙ୍ଗରେ ତୁମ ଭଳି ସହଧର୍ମିଣୀ ଥିବା ଲୋଡ଼ା । ଆଖିରେ ମୁଁ କିଛି ଦେଖିପାରୁ ନଥିଲେ ବି ଭଲଭାବରେ ଅନୁଭବ କରୁଛି–ଏ ଚଇତ ଶୁକ୍ଳ ଚତୁର୍ଦ୍ଦଶୀ ରାତିର ମହିମା । ଚାଲ, ଦାଣ୍ଡରେ ଟିକିଏ ବୁଲି ଆସିବା !’’

ବାହାରେ ଶାନ୍ତ ଶୀତଳ ଜୋଛନା ରାତି । ଅପୂର୍ବ ରସ, ଗନ୍ଧ ଓ ରାଗିଣୀର ସମାହାର । ଭୀମ ତାହା ଉପଭୋଗ କରିବାରେ ଲାଗିଲେ ନିଜର ସମସ୍ତ ସମର୍ଥ ଇନ୍ଦ୍ରିୟ ଦେଇ ।

କାୟା ସଙ୍ଗେ ଛାୟା ପରି ଅନ୍ନପୂର୍ଣ୍ଣା ତାଙ୍କର ହାତ ଧରି ପାଖେ ପାଖେ ଚାଲିଥିଲେ । କହିଲେ–“ଆଉ ଆଗକୁ ଯିବା ନାହିଁ । ତେଣେ ଘରଦ୍ୱାର ମୁକୁଳା ପଡ଼ିଛି । ଚାରିଆଡ଼େ ତ ଆମର ଶତ୍ରୁ । ଟିକିଏ ସତର୍କ ହୋଇ ନ ଚଳିଲେ……”

ଭୀମ ହସିଲେ, କହିଲେ–“ଶତ୍ରୁ ଆମର ଆଉ କରିବ କ’ଣ ? ଆଉ ତ କରିବା ପାଇଁ କିଛି ବାକି ନାହିଁ ! ମାଡ଼-ଗାଳି, ନିନ୍ଦା-ଅପମାନ, କୁତ୍ସା-ହିଂସୁକତା–ଆଉ କେଉଁଟା ବାକି ରହିଲା ?

ହାସ୍ୟ ଭର୍ତ୍ସନା ଗାଳି ଗର୍ବ ଠସାକୁ

ଗଳାରେ ପିନ୍ଧିଛି ମାଳ ।

ଟାକି ଟାକି ମୁହିଁ ଆଗତକୁ ଚାହିଁ

ବହି ଯାଉଅଛି କାଳ ।।’’

ଅନ୍ନପୂର୍ଣ୍ଣା କହିଲେ–“ଆସ, ଦାଣ୍ଡରେ ଝଙ୍କା ବଉଳ ମୂଳେ ଟିକିଏ ବସିବା !’’

ଭୀମ କହିବାରେ ଲାଗିଲେ–“ଯଦି ଏଇ ବାଦ-ଛିଦ୍ର, ହିଂସା-କପଟରେ କେତେକ ଲୋକ ଆନନ୍ଦ ବା ତୃପ୍ତି ପାଉଛନ୍ତି, ତା’ହେଲେ ଆମର କିଛି ଚିନ୍ତା ନାହିଁ ଶ୍ରୀମା ! ସେମାନଙ୍କ ଆନନ୍ଦରେ ଆମର ସୁଖ । ସବୁ ସେଇ ମହିମା ଗୋସାଇଁଙ୍କ କୃପା । ଏଇ ନିନ୍ଦା; ଅପମାନ, ମାଡ଼-ଗାଳି ଭିତରେ ସେ ବୋଧହୁଏ ପରୀକ୍ଷା କରୁଛନ୍ତି ।’’

ସେମାନେ ଯାଇ ବଉଳ ମୂଳେ ପିଣ୍ଡି ଉପରେ ବସିଲେ । ଝଙ୍କା ବଉଳଗଛର ପତ୍ର ଫାଙ୍କେ ଫାଙ୍କେ କଇଁଫୁଲିଆ ଜୋଛନା ଲୁଚକାଳି ଖେଳୁଥାଏ । ଆମ୍ବବଗିଚାର କୋଇଲିଟି ହଠାତ୍‍ କାହିଁକି ତୁନି ହୋଇ ଯାଇଥାଏ । ଅଲେଖ ଟୁଙ୍ଗୀରୁ ଏଥର ଏକୁଟିଆ ଧରମା କଣ୍ଠର ଭଜନ ଶୁଣାଯାଉଥାଏ–

କ୍ଷିତି ମଧ୍ୟେ ପାପଭରା ହୋଇଲାଣି ଯେତେ

ଖଣ୍ଡନ ହେବ କି ରୂପେ ରେ ବଉଳ

ହେତୁ ନାହିଁ କାର ଚିତ୍ତେ ।।

ହାସ୍ୟ ବଳି କରିଲେଣି ସତ୍ୟାଦି ଧର୍ମକୁ

ହିଂସାବାଦେ ଦିନ ନେଲେରେ ବଉଳ

କଳିଯୁଗେ ଦେଖୁ ଦେଖୁ ।।

ଭୀମ ଦୀର୍ଘନିଃଶ୍ୱାସ ପକାଇଲେ । କହିଲେ–“ଆମର ବିବାହ କଥା ଏକ୍ଷଣି ମନେ ପଡ଼ୁଛି ଶ୍ରୀମା ! ତୁମେ ଉଚ୍ଚବର୍ଣ୍ଣର ବିପ୍ରକନ୍ୟା । ମୁଁ ଜଣେ ସାମାନ୍ୟ କନ୍ଧ–ଶୂଦ୍ରାଦପି ଶୂଦ୍ର । ଆମ ଭିତରେ ପୁଣି ବିବାହ କିପରି ହେବ ! ପାତ୍ରପୁର ବିଶୋୟୀ, ପୁରୋହିତ ସେତେବେଳେ କମ୍‍ କନ୍ଦଳ ଭିଆଇଛନ୍ତି ? ତୁମର ସବୁ ମନେଥିବ, ଖଲିଆପାଲି ଗାଁ ଲୋକେ ତ ଆମକୁ ବାସନ୍ଦ କରି ରଖିଲେ ମାସ ମାସ କାଳ !

ଅନ୍ନପୂର୍ଣ୍ଣା ଯୋଗ ଦେଲେ–“ଓଃ…ସେ କି ଦହଗଞ୍ଜ ! କି ହଇରାଣ ହରକତ ! ଅଲେଖ ପ୍ରଭୁ ହିଁ ଆମକୁ ସେ ସଙ୍କଟରୁ ରକ୍ଷା କଲେ ।’’

ଭୀମ କହିଲେ–“ଗୋଟିଏ ତ ମଣିଷ ଜାତି ! ବାଉନ କୋଟି ଭଣ୍ଡାରକୁ ଛପନ କୋଟି ଜୀବ । ସମସ୍ତଙ୍କ ଭିତରେ ସେଇ ବ୍ରହ୍ମ ବିରାଜମାନ । ତହିଁରେ ପୁଣି ଏତେ ଜାତିଭେଦ କାହିଁକି ? ଛୁଆଁ ଅଛୁଆଁ କାହିଁକି ? ‘ଛପନା କୋଟିଏ ଯେତେ ଜୀବ’ଛନ୍ତି, ମୋର ଆତ୍ମା ପ୍ରାୟ ଦିଶେ !’

କିଛିକ୍ଷଣ ତୁନି ରହି ଭୀମ ପୁଣି କହିବାରେ ଲାଗିଲେ–“ଚଉଦ୍ୱାର ଭଇରୀପୁର କୁଜୀବର–ମଠର ସାଧୁ ସୁନ୍ଦରା ଦାସଙ୍କର ଆଜି ଅନ୍ତର୍ଦ୍ଧାନ ତିଥି । ତାଙ୍କରି ଗୋଟିଏ ଚମତ୍କାର କଥା ମୋର ମନେ ପଡ଼ୁଛି–ବିଭିନ୍ନ ଜାତିର ଲୋକଙ୍କ ଲୁଗା ଖରାରେ ଶୁଖାଯାଇଛି । ଲୁଗାଗୁଡ଼ିକ ଏକାଠି ଲାଗିଗଲେ ପିନ୍ଧିବା ଲୋକର ଜାତି ମାରା ହେବ । କିନ୍ତୁ ସୂର୍ଯ୍ୟ ତ କିଛି ବାଛବିଚାର ନ କରି ସବୁ ଲୁଗାକୁ ସମାନ ଭାବରେ ଶୁଖାଇଦିଏ !’’

ଅନ୍ନପୂର୍ଣ୍ଣା କହିଲେ–“ସତ କଥା । ଜାତିଭେଦ ଏଇ ନଟକୂଟିଆ ମଣିଷ ଗଢ଼ିଛି ନିଜର ସ୍ୱାର୍ଥ ପାଇଁ–ସୁବିଧା ପାଇଁ । ନୋହିଲେ, ସବୁ ଜୀବ ସମାନ ।’’

ଭୀମ କହିଲେ–“ହଁ, ସକଳ ଘଟେ ନାରାୟଣ । ଆମର ଶାସ୍ତ୍ର ପୁରାଣ ମଣିଷ ମଣିଷ ଭିତରେ ଏପରି ଭେଦଭାବ କଥା କେଉଁଠି କହିଲା ଭଳି ଲାଗୁନାହିଁ । ବୁଦ୍ଧ କହିନାହାନ୍ତି–ଚୈତନ୍ୟ କହିନାହାନ୍ତି–ସୁନ୍ଦରା ଦାସ ବାବାଜି, କି ଗୁରୁ ମହିମା ଗୋସାଇଁ କେହି କହି ନାହାନ୍ତି । ପଠାଣ ଆଉ କିରସ୍ତାନ ପାଦ୍ରୀମାନେ ମଧ୍ୟ ସେପରି ଭେଦଭାବ ମାନୁ ନାହାନ୍ତି ।’’

ଅନ୍ନପୂର୍ଣ୍ଣା ଯୋଗ ଦେଲେ–“ତେବେ ବି ଆମ ଲୋକମାନଙ୍କର ଆଖି ଫିଟୁ ନାହିଁ । ‘ଜାତି-ବର୍ଣ୍ଣ’ ବୋଲି ନିଜ ନିଜ ଭିତରେ ଭିଡ଼ା-ଓଟରା ଲଗାଇଛନ୍ତି ।’’

ଭୀମ ଉତ୍ତେଜିତ ହୋଇ କହି ଉଠିଲେ–“ରହିବ ନାହିଁ ଶ୍ରୀମା, ଏ ଜାତିଭେଦ ଆଉ ବେଶୀ ଦିନ ରହିବ ନାହିଁ । ସର୍ବେ ହୋଇବେ ଏକାକାର । ସେଇ ବିଚିତ୍ର ବିନ୍ଧାଣିର କରଣୀ । ସମସ୍ତେ ଦିନେ ଚେତିବେ–ହେଜିବେ । ଏଇ ଆମରି କନ୍ଧସମାଜକୁ ଦେଖ !

ଡୁଙ୍ଗୁରି ମୁଠାରେ ଧରମାକୁ ଲୁଚାଇ ରଖିଥିଲେ–ମେରିଆ ପୂଜାରେ ବଳିଦେବା ପାଇଁ । କିରସ୍ତାନପାଦ୍ରୀଙ୍କ ସାହାଯ୍ୟରେ ଧରମାକୁ ଉଦ୍ଧାର କରି ମୁଁ ଆଣି ଆଶ୍ରା ଦେଲି ବୋଲି କନ୍ଧଭାଇମାନେ ମୋତେ ଛି-ଛିକାର କଲେ–ଯେଉଁଠି ଦେଖିଲେ, ଖେଦି ଗୋଡ଼ାଇଲେ । କିନ୍ତୁ ଶେଷରେ ହେଲା କ’ଣ ? ସରକାରୀ ଆଇନ ବଳରେ ମେରିଆ ପ୍ରଥା ବନ୍ଦ ହୋଇଗଲା । କନ୍ଧସମାଜ ଏତେଦିନକେ ଚେତିଲା ।’’

ଅନ୍ନପୂର୍ଣ୍ଣା କହିଲେ–“ଆମ ଧରମା ଭଳି ଭକ୍ତ ତ କୋଟିକରେ ଗୋଟିଏ ! ଆହା…ବିଚରା ଅରକ୍ଷିତ । ମେରିଆ ପୂଜାରେ ତାକୁ ପୁଣି ଜିଅନ୍ତା ଟିକି ଟିକି କରି କାଟି ଥାଆନ୍ତେ ? ଅଲେଖ ଠାକୁରେ ତାହାର ମଙ୍ଗଳ କରନ୍ତୁ !’’

ଭୀମ ନିରୁତ୍ତର । ଚାନ୍ଦ ସେତେବେଳକୁ ପଶ୍ଚିମ ଦିଗକୁ ଢଳି ପଡ଼ିଲାଣି । ସଫା ଜହ୍ନ ଆଲୁଅରେ ଭୀମଙ୍କ ମୁଖମଣ୍ଡଳରେ ଗାମ୍ଭୀର୍ଯ୍ୟର ଚିହ୍ନ ସ୍ପଷ୍ଟ ବାରି ହୋଇପଡ଼ୁଛି । ଅନ୍ନପୂର୍ଣ୍ଣା ସ୍ୱାମୀଙ୍କର ସେଇ ଶାନ୍ତ ସମାହିତ ମୁଖମଣ୍ଡଳକୁ ଚାହିଁ ରହିଲେ । ଉଚ୍ଚ ବିସ୍ତୀର୍ଣ୍ଣ କପାଳରେ ତାଙ୍କର ସତେକି ଗୋଟାଏ ଆଭା ଫୁଟିଉଠୁଛି । ସେ ଆଭା ଆଖିକୁ ଝଲସାଇ ଦିଏ ନା, ପ୍ରାଣକୁ ଶାନ୍ତି ଦିଏ–ମନୋରାଜ୍ୟକୁ ଆଲୋକିତ କରେ । ଚକ୍ଷୁ ଦୁଇଟି ତାଙ୍କର ମୁଦ୍ରିତ । ଷଡ଼ରି ପୁର ଅହେତୁକ ଶିକାର ନ ହେବାକୁ ସେ ଯେପରି ଆପଣାର ସେଇ ଅସଲ ଇନ୍ଦ୍ରିୟଦ୍ୱାରଟି ସାରା ଜୀବନ ରୁଦ୍ଧ କରି ଦେଇଛନ୍ତି ।

 

କିନ୍ତୁ ତାହା ତ ସାଧାରଣ ଚର୍ମ ଚକ୍ଷୁ । ଅନ୍ନପୂର୍ଣ୍ଣା ଅନୁଭବ କଲେ–ବରାବର ମୁକ୍ତ ଜାଗ୍ରତ ରହିଛି ସ୍ୱାମୀଙ୍କର ମର୍ମଚକ୍ଷୁ–ସେଇ ତୁଳନାହୀନ ତୃତୀୟ ନୟନ–ଯାହାର ତେଜରେ ସକଳ ପାପ-ତାପ ପୋଡ଼ି ପାଉଁଶ ହୁଏ ଏବଂ ଯାହାର ଆଲୋକରେ ଫୁଟିଉଠେ ନୂତନ ନିରାମୟ ଜୀବନର ମହିମା !

 

ଅଲେଖ ଟୁଙ୍ଗୀରୁ ଖଞ୍ଜଣୀଭଜନର ସ୍ରୋତ ସେଇଭଳି ଛୁଟି ଚାଲିଛି । ନିଶବଦ ରାତିରେ ଅଜଗର ପରି ଶୋଇଥିବା ଗାଆଁର ବୁକୁ କମ୍ପାଇ ଏଥର ଶ୍ରୀଗୁରୁ ଗାଉଛି :–

 

ଶରଣ ବାଞ୍ଛିତ କାନ୍ଦି କାନ୍ଦି ଭକ୍ତ

ଗଡ଼ିଗଲେଣି ସକଳ ।

ଦୋଷ ଅପରାଧ କ୍ଷମା କରି ଗୁରୁ

ଜାଗ୍ରତରେ ପ୍ରତିପାଳ ।।

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ

ଦେଖୁ ଦେଖୁ କେବା ସହୁ ।

ମୋ ଜୀବନ ପଛେ ନର୍କେ ପଡ଼ିଥାଉ

ଜଗତ ଉଦ୍ଧାର ହେଉ ।।

 

ଭୀମଙ୍କର ସାରା ଶରୀରରେ ଶିହରଣ ଖେଳିଗଲା । ଆବେଗଭରା କଣ୍ଠରେ ସେ କହିଲେ–“ଶୁଣୁଛ ଶ୍ରୀମା, ଏହା ମୋ ପ୍ରାଣର ବାଣୀ–ମୋ ଜୀବନର ବେଦମନ୍ତ୍ର । ଶ୍ରୀଗୁରୁ ଏ ପଦସବୁ ବେଶ୍‍ ଆଚ୍ଛା କରି ଶିଖି ପକାଇଛି ।’’

 

ଅନ୍ନପୂର୍ଣ୍ଣା କହିଲେ–“ବାପ ଗୁଣେ ପୁଅ ! ତମ ଭଳି ଶ୍ରୀଗୁରୁ ହେତୁ ରଖିପାରେ ବହୁତ । ସେ ଓ ଧରମା ଦୁହେଁଯାକ ମିଳି ତୁମର ଅନେକ ଭଜନ ଚଉତିଶା ମୁଖସ୍ଥ କରି ପକାଇଛନ୍ତି । ଶ୍ରୀଗୁରୁର କଣ୍ଠସ୍ୱରଟି ମଧ୍ୟ ବଡ଼ ମଧୁର । ଶୁଣ, ଶୁଣ କି ସୁନ୍ଦର ଗାଉଛି !’’

 

ଦୁଇଜଣଯାକ ବହୁକ୍ଷଣ କାନ ଡେରି ଶ୍ରୀଗୁରୁ କଣ୍ଠର ସ୍ତୁତି ତନ୍ମୟ ହୋଇ ଶୁଣିବାରେ ଲାଗିଲେ । ଆମ୍ବବଗିଚାରେ କୁଆ ଯେତେବେଳେ କା–କା କଲେ, ସେମାନଙ୍କର ତନ୍ମୟତା ଭାଙ୍ଗିଲା-। ଅନ୍ନପୂର୍ଣ୍ଣା ଦେଖିଲେ–ପୂର୍ବଦିଗରେ ସିନ୍ଦୂରା ଫାଟି ଆସିଲାଣି । ଏଣେ ପଶ୍ଚିମରେ ଦୂର ପାହାଡ଼ ପଛରେ ଚାନ୍ଦ ଲୁଚିଯାଉଛି । ଶିରି ଶିରି ଥଣ୍ଡାପବନରେ ଦେହ ଶୀତେଇ ଉଠୁଛି । ଭୀମଙ୍କ ଦେହରେ ଗେରୁଆ ଘୋଡ଼ିହେଲା ଖଣ୍ଡିଏ ବେଢ଼ାଇ ଦେଇ ସେ ଉଠି ପଡ଼ିଲେ–ଘରର ବାସି ପାଇଟି ବେଇଗି ସାରିବାକୁ ହେବ ।

 

ଭୀମ କହିଲେ–“ମୋ ଲାଗି ଗୋମୟ, ଦାନ୍ତକାଠି ଆଦି ସଜ କର, ଶ୍ରୀମା ! ମୁଁ ଏଠି ଟିକିଏ ବସିଛି । ଫରଚା ପଡ଼ିଗଲେ, ମୋତେ ଡାକିବ ।

 

ଭୀମ ବଉଳଗଛକୁ ଆଉଜି ବସି ଆପଣା ଭାବନାରେ ବୁଡ଼ିଗଲେ ।

 

କାଲିପରି ଲାଗୁଛି । ଏଇଭଳି ଏକ ଚଇତରାତି ଶେଷ ବେଳକୁ ସେମାନେ ଯାଇ ପୁରୀ ବଡ଼ଦାଣ୍ଡରେ ପହଞ୍ଚିଲେ–ବଉଦ, ବଡ଼ମାଳ, ଦେବଗଡ଼, ରେଢ଼ାଖୋଲ, ପଦ୍ମପୁର, ପାଲଲହଡ଼ା ପ୍ରଭୃତି ଅଞ୍ଚଳରୁ ଶହ ଶହ ଭକ୍ତ–ସ୍ତ୍ରୀ, ପୁରୁଷ, ବାଳିକା, ବୃଦ୍ଧ ସମସ୍ତେ ବ୍ରହ୍ମ ପାଇଁ ବାଇ ହୋଇ ପ୍ରାୟ ଦେଢ଼ଶହ କୋଶ ରାସ୍ତା ସେମାନେ ରାତିଦିନ ଚାଲିଛନ୍ତି–ଥକି ପଡ଼ି ନାହାନ୍ତି–କେଉଁଠି ଅଟକି ଯାଇ ନାହାନ୍ତି–ଗଭୀର ଉତ୍ସାହ ଉନ୍ମାଦନାରେ ଚାଲି ଆସିଛନ୍ତି ।

 

ଭୀମ କହିଥିଲେ–ଯେ ଜଗନ୍ନାଥ, ସେହି ବୌଦ୍ଧ–ସେହି ବୈଷ୍ଣବ–ସେହି ମଧ୍ୟ ଅଲେଖ ଠାକୁର–ଶୂନ୍ୟ ବ୍ରହ୍ମ । ସେମାନଙ୍କ ଭିତରେ କିଛି ଭେଦଭାବ ନାହିଁ । “କୋଟି ଅବତାର ନୁହଁଇ ଗୋଚର ଭେଦ ନାହିଁ ବର୍ଣ୍ଣ ଚିହ୍ନ ।’’

 

ଭକ୍ତମାନେ ଯୁକ୍ତି କରିଥିଲେ–“ବ୍ରହ୍ମ ନିର୍ଗୁଣ ନିରାକାର–ଶୂନ୍ୟ ପୁରୁଷ, ଶୂନ୍ୟ ଦେହୀ, ତେବେ ଏ ଦାରୁ ପ୍ରତିମା କାହିଁକି ?’’

 

ଭୀମ ବୁଝାଇଲେ–“ଆରେ, ସେ ପିଲା ଭଣ୍ଡାଣ । ସରଗର ଚାନ୍ଦ ପାଇଁ ପିଲାଏ ଅଝଟ ହେଲେ, ଆମେ ତାଙ୍କୁ ମାଟିରେ ଗଢ଼ା ଚାନ୍ଦ ଧରାଇ, ଭଣ୍ଡାଇ ଦେଉଁ । ଏ ଦାରୁପ୍ରତିମା ସେଇପରି ସାଧାରଣ ଲୋକଙ୍କ ବୁଝିବା ପାଇଁ–ଆକାର ବାଟ ଧରି ନିରାକାରକୁ ପାଇବା ପାଇଁ । ଚୈତନ୍ୟ ଦାସ ଲେଖିଛନ୍ତି ପରା–

 

ଅଲେଖ ପୁରୁଷ ବୋଲି ଏକଇ ବଡ଼ଜନ

ତାର ତହୁଁ ଧରଇ ବିକାର କଳ୍ପମାନ ।।

 

ଏ ଦାରୁ ପ୍ରତିମା ହେଉଛି ନିରାକାର ଅଲେଖ ପୁରୁଷର ସେଇ ବିକାରକଳ୍ପ । ଏବେ ସିନା–ତାଙ୍କୁ ବ୍ରାହ୍ମଣମାନେ ନିଜର ଏକଚାଟିଆ ବଣିଜପସରା କରି ରଖିଛନ୍ତି, ସେ ଆମର–ସେ ସମସ୍ତଙ୍କର–ସେ ଜଗତର ନାଥ !’’

ଭକ୍ତମାନେ କହିଲେ–“ତାହାହେଲେ ଆମେ ସମସ୍ତେ ଯିବା, ଶ୍ରୀମନ୍ଦିର ଭିତରେ ପଶି ଜଗନ୍ନାଥ ଗୋସାଇଁଙ୍କୁ ଆମର ହାରି-ଗୁହାରି ଜଣାଇବା । ସେ ଜଗତର ନାଥ–ଆମରି ଶୂନ୍ୟ ବ୍ରହ୍ମ । ବ୍ରାହ୍ମଣମାନେ କାହିଁକି ଆମକୁ ମ୍ଳେଛ ଶୂଦ୍ର ବୋଲି କହି ମନ୍ଦିର ଭିତରେ ପଶିବାକୁ ଦେଉନାହାନ୍ତି, ତାହା ସେ ବୁଝନ୍ତୁ ।’’

ଭକ୍ତମାନେ ଉତ୍ତ୍ୟକ୍ତ ହୋଇ ପଡ଼ିଥିବାର ମନେକରି ଭୀମ ବୁଝାଇ ଥିଲେ–“କାହାରି ସଙ୍ଗେ ହିଂସା-ବାଦରେ ଆମର ଲୋଡ଼ା ନାହିଁ । ବ୍ରାହ୍ମଣମାନେ ଖରାପ ନୁହନ୍ତି । ସେମାନଙ୍କ ଭିତରେ ବି ବ୍ରହ୍ମ ବିଜେ କରିଛନ୍ତି । ଆରେ ବାବାମାନେ, ଏସବୁ ମାୟା–କଳିକାଳର ଖେଳ । ମହତ୍‍ ଲୋକେ ଭ୍ରଷ୍ଟ ହେଉଛନ୍ତି–ତୀର୍ଥ କ୍ଷେତ୍ରରେ ଅଧର୍ମ ବ୍ୟାପୁଛି ।

ଶ୍ରୀପୁରୁଷୋତ୍ତମ କପିଳାସ ଧାମ

ତହୁଁ ଉଠିଲାଣି ଧର୍ମ ।

ତୀର୍ଥମାନେ ସବୁ ଭ୍ରଷ୍ଟ ହୋଇଲେଣି

କାହିଁରେ ନାହିଁ ନା ବ୍ରହ୍ମ ।।’’

ତା’ପରେ ସେଇ ଭ୍ରଷ୍ଟ ତୀର୍ଥରେ ସତ୍ୟଧର୍ମକୁ ପୁଣି ସ୍ଥାପନା କରିବା ଲାଗି ଆରମ୍ଭ ହୋଇଥିଲା ସେମାନଙ୍କର ଶୁଭଯାତ୍ରା । ରାସ୍ତା ମଧ୍ୟରେ ଯୋରନ୍ଦା, କପିଳାସ, ହିନ୍ଦୋଳ, ଆଠଗଡ଼, ବାଙ୍କି, ଖଣ୍ଡଗିରି ପ୍ରଭୃତି ସ୍ଥାନରୁ ଅନେକ ଭକ୍ତ ମଧ୍ୟ ସେମାନଙ୍କ ସଙ୍ଗେ ଯୋଗ ଦେଇଥିଲେ ।

ଭୀମଙ୍କର ସ୍ପଷ୍ଟ ମନେ ପଡ଼ିଗଲା–ସୂର୍ଯ୍ୟୋଦୟ ବେଳକୁ ସେଦିନ ବଡ଼ଦାଣ୍ଡ ଲୋକଗହଳିରେ କମ୍ପି ଉଠିଥିଲା । ଚଉଦିଗରୁ ‘ଅଲେଖ’, ‘ଅଲେଖ’ ଧ୍ୱନି ଉଛୁଳି ପଡ଼ୁଥିଲା । ଭକ୍ତମାନେ ଆନନ୍ଦ-ଉତ୍ତେଜନାରେ କ୍ରମେ ଯେପରି ଅଣାୟତ୍ତ ହୋଇ ଉଠୁଥିଲେ । ଅଗଣି ପାତ୍ର, ହରି ପଣ୍ଡା, ଭରତ ଦାସ, ଗୋପାଳ ଭୋଇ, ବାସୁଦେବ ପଣ୍ଡା ପ୍ରମୁଖ କେତେଜଣ ବଛା ବଛା ଶିଷ୍ୟଙ୍କୁ ସାଙ୍ଗରେ ଘେନି ପ୍ରଥମେ ଭୀମ ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଶିଶୁପୁତ୍ର ଶ୍ରୀଗୁରୁକୁ କୋଳରେ ଧରି ଅନ୍ନପୂର୍ଣ୍ଣା ମଧ୍ୟ ପାଖେ ପାଖେ ରହିଥିଲେ ।

 

ଗଜପତି ଠାକୁର ରାଜାଙ୍କର ତ କିଛି ଆପତ୍ତି ନ ଥିଲା ! ପ୍ରବଳ ବାଧା ଆସିଲା ପୂଜାରୀ ପଣ୍ଡାମାନଙ୍କଠାରୁ । ସେମାନେ କିନ୍ତୁ ଟଳିଲେ ନାହିଁ । ଭରତ ଦାସ ପଖାଳ ହାଣ୍ଡି କାନ୍ଧରେ ଧରି ଭୀମଙ୍କର ଡାହାଣ କଡ଼ରେ ଥାଆନ୍ତି । ହରି ପଣ୍ଡା ଧରିଥାନ୍ତି ତାଙ୍କର ବାମ ବାହୁ । ଭୀମ ପାଟି କରି କହିଉଠିଲେ–“ଗୋସାଇଁମାନେ ! ଆମେ କାହାରି କିଛି ଅନିଷ୍ଟ କରିବାକୁ ଆସିନାହୁଁ । ଠାକୁର ଯେପରି ଆପଣଙ୍କର, ସେହିପରି ଆମର ମଧ୍ୟ । ଆମକୁ ଭିତରକୁ ଛାଡ଼ିଦିଅନ୍ତୁ ।

 

ତା’ପରେ……

 

ତା’ପରେ ଆଖି ପିଛୁଳାକେ ବିଜୁଳିବେଗରେ ଘଟିଗଲା ସେଇ ଘଟଣାମାନ । ଭୀମ ମଧ୍ୟ ସବୁକଥା ଜାଣିପାରିଲେ ନାହିଁ । ଖାଲି ସମୁଦ୍ର ଗର୍ଜନ ଭଳି ଶବଦ କୋଳାହଳ ଶୁଣାଯାଉଥାଏ-। ପୃଥ୍ୱୀ ଯାଉଥାଏ ଦୁଲୁକି । ଭକ୍ତମାନଙ୍କର ଦଳା ଚକଟାରେ ଭରତ ଦାସ କୁଆଡ଼େ ସେଇଠି ଟଳିପଡ଼ିଲେ । ସରକାରୀ ପୁଲିସ୍‍ ହାତରେ କେତେଜଣ ଭକ୍ତ ବନ୍ଧାହୋଇ ଗଲେ-। ହରି, ଅଗଣି, ବାସୁଦେବ ପ୍ରମୁଖ ଶିଷ୍ୟମାନେ ଭୀମ–ଅନ୍ନପୂର୍ଣ୍ଣାଙ୍କୁ ଟେକି ଟେକି ବାହାରକୁ ଘେନି ପଳାଇ ଆସିଲେ ।

 

ଆଃ…….କି.ଅନାଚାର ! କି କଷ୍ଟ, କଦର୍ଥନା ! ଖାଣ୍ଟି କଥା କହିଲେ–ଠିକ୍‍ ବାଟରେ ଚାଲିଲେ, ଭକ୍ତଙ୍କୁ କ’ଣ ଏଇପରି କଦର୍ଥନା ଭୋଗିବାକୁ ପଡ଼େ ? ଝଗଡ଼ା ବାଟ କ’ଣ ଭଲ ? ହିଂସାବାଦରେ କ’ଣ ମଣିଷପଣିଆ ? ଦୀର୍ଘ ନିଃଶ୍ୱାସଟାଏ ପକାଇ ଭୀମ ଡାକ ଛାଡ଼ିଲେ–ଗୁରୁ ବ୍ରହ୍ମ ମହିମା ଅଲେଖ !

ସେତେବେଳକୁ ଅଲେଖଟୁଙ୍ଗୀରୁ ଖଞ୍ଜଣିଭଜନ ବନ୍ଦ ହୋଇଗଲାଣି । ବଉଳଗଛ ଉପରେ କେତୋଟି ଚଢ଼େଇ ବସି କିଚିରି ମିଚିରି ଲଗାଇଛନ୍ତି । ଘର ଭିତରୁ ଅନ୍ନପୂର୍ଣ୍ଣା ଡାକିଲେ “ତୁମେ ଏବେ ଆସ ! ସ୍ନାନ-ଶଉଚ ଶେଷ କର ! ଶରଣ ପଡ଼ିବା ବେଳ ହୋଇଯାଉଛି ।’’

ଅଲେଖ ଟୁଙ୍ଗୀରେ ‘ବାଲ୍ୟ ଲୀଳା’ ସରିଯାଇଛି । ଧରମା, ଶ୍ରୀଗୁରୁ ଦୁହେଁ ସକାଳୁ ସକାଳୁ ଯୋରନ୍ଦା ଗାଦିକୁ ବାହାରି ଯାଇଛନ୍ତି–ଗୋବିନ୍ଦ ଦାସ ବାବାଙ୍କୁ ଭୀମଙ୍କର କେତେକ ନୂଆ ରଚନା ଭଜନ-ଚଉତିଶା ଦେଇ ଆସିବେ । ବଉଳମୂଳେ ପିଣ୍ଡି ଉପରେ ସକାଳର କଅଁଳ ଖରା ବିଛେଇ ହୋଇ ପଡ଼ିଛି । ହରି ପଣ୍ଡା ଓ ବାସୁଦେବ ପଣ୍ଡା ସେଠି ସଜ ହୋଇ ବସିଗଲେଣି ଲେଖାଲେଖି କରିବା ପାଇଁ । ଆଉ,ଆଉ ଭକ୍ତମାନେ ମଧ୍ୟ ଜଣକ ପରେ ଜଣେ ଆସି ଠୁଳ ହେଉଛନ୍ତି । କେବଳ ଭୀମଙ୍କ ଆସିବା ଲାଗି ଅପେକ୍ଷା ।

ଏତିକିବେଳେ ନରସିଂହ ଦାସ ବାବା ଆସି ପହଞ୍ଚିଲେ । ସେ ଏବେ ବାଲିଗୁଡ଼ା, ସୁବର୍ଣ୍ଣଗିରି ଅଞ୍ଚଳରେ ଅଲେଖଟୁଙ୍ଗୀ ଓ ‘ଧୁନିମନ୍ଦିର’ମାନ ପ୍ରତିଷ୍ଠା କରି ବାହୁଡ଼ିଛନ୍ତି । ସେହିସବୁ ସ୍ଥାନରେ ସତ୍ୟ ମହିମା ଧର୍ମପ୍ରତି ଜନସମାଜର ବିଶେଷ ଆଗ୍ରହ ପ୍ରକାଶ ପାଇଛି–‘ଅଲେଖ’ ନାମରେ ଲୋକେ ଭୋଳ ହୋଇ ଯାଇଛନ୍ତି–ଗ୍ରାମେ ଗ୍ରାମେ ଗୀତ ହେଉଛି ଭୀମ ଭୋଇଙ୍କର ଭଜନ-ଚଉତିଶା ।

 

ଜଗତେ ଉଡ଼ୁଛି ମହିମା-ବାନା !

 

ଭୀମ କହିଲେ–“ସତ୍ୟ ଧର୍ମର ହିଁ ଜୟ ହେଉଛି । ଆମେ ତହିଁରେ ନିମିତ୍ତ ମାତ୍ର–ପ୍ରଭୁଙ୍କର ସାମାନ୍ୟ ସେବାକାରୀ ।

 

ନରସିଂହ ‘ଗୁରୁ ବ୍ରହ୍ମ ମହିମା ଅଲେଖ’ ବୋଲି ଡାକ ଛାଡ଼ିଲେ ।

 

ଭୀମ ସାମାନ୍ୟ ଉତ୍ତେଜିତ ହୋଇପଡ଼ିଲେ–“ଆରେ, ଆମେ କାହାରିକୁ କର୍ମ ଛାଡ଼ିବାକୁ କହୁନାହୁଁ–ନିଜ ନିଜର ବେଉସା ବୃତ୍ତି ବନ୍ଦ କରିବାକୁ ବତାଉ ନାହୁଁ । ପିଣ୍ଡ ପାଇଁ ତ ମଣ୍ଡ ଦରକାର । ଘରସଂସାର କରି ମଧ୍ୟ ଧର୍ମପାଳନ କରାଯାଇପାରେ । ଧର୍ମପାଳନରେ ବାହ୍ୟ କ୍ରିୟାକାଣ୍ଡ, ଅଯଥା ମୂଲ କଉଡ଼ି, ପୁରୋହିତ ମଧ୍ୟସ୍ଥି ଲୋଡ଼ା ନାହିଁ । ଅନ୍ୟାୟ, ପାପାଚାରଠାରୁ ଦୂରରେ ରହି ଏକମାତ୍ର ଅଲେଖ ବ୍ରହ୍ମଙ୍କ ଶରଣ-ଭଜନାଦି କଲେ ହିଁ ହେଲା । ଏଇ ସାଧାରଣ ସରଳ କଥା ଆମେ କହୁଛୁଁ । ତେଣୁ ଆମ ଆଡ଼କୁ ଲୋକେ ଆପେ ଆପେ ଢଳିପଡ଼ୁଛନ୍ତି । ସତ୍ୟ ମହିମା ଧର୍ମ ହୋଇଛି ସାଧାରଣ ଜନଗଣର ଧର୍ମ ।’’

 

ଏତିକି କହି ଭୀମ ଉଚ୍ଛ୍ଵାସଭରା କଣ୍ଠରେ ଗାଇବାରେ ଲାଗିଲେ–

 

ପାପଭରା ହେଲାଣି ଛେଦି ।

କରୁଛନ୍ତି ଖେଳ ଗୁରୁ ଅନାଦି ।।

ମହିମା ଶବଦ ତିନିପୁର ମଧ୍ୟେ

ପିଣ୍ଡବ୍ରହ୍ମାଣ୍ଡରେ ଗଲାଣି ଭେଦି ।

ଜଗତ ଭଗତ ତପସ୍ୟା ନିମନ୍ତେ

ଅଶେଷ ବ୍ରହ୍ମାଣ୍ଡ କରିବେ ସିଦ୍ଧି ।।

 

ନରସିଂହ କହିଲେ–“ଆପଣଙ୍କର ଏଇ ସରଳ ମଧୁର ପଦାବଳୀ ସାହାଯ୍ୟରେ ହିଁ ଆଜି ସତ୍ୟ ମହିମା ଧର୍ମ ଚାରିଆଡ଼େ ବିଶେଷ ପ୍ରଚାରିତ ହୋଇପାରିଛି । ନିଜର ମାତୃଭାଷା ଛାଡ଼ି ଆପଣ ଓଡ଼ିଆଭାଷାରେ ଚମତ୍କାର ଭଜନ-ଚଉତିଶାମାନ ରଚନା କରିଛନ୍ତି ।’’

 

ହରିପଣ୍ଡା ଯୋଗ ଦେଲେ–“ସେଇ ପଦାବଳୀ ଭିତରେ ସତ୍ୟ ମହିମା ଧର୍ମର ନୀତି ନିୟମଗୁଡ଼ିକ ମଧ୍ୟ ଚମତ୍କାର ଭାବରେ ପ୍ରକାଶ ପାଇଛି ।

 

ଭୀମ କହିଲେ–“କନ୍ଧ କୁଇ ଭାଷା ମୋର ମାତୃଭାଷା ସତ, କିନ୍ତୁ ଓଡ଼ିଆ ମୋର ଜାତୀୟ ଭାଷା । ଏଇ ଭାଷାରେ ଶୂନ୍ୟ ବ୍ରହ୍ମଙ୍କ ମହିମା ବ୍ୟକ୍ତ କଲେ ଜନସମାଜ ନିକଟରେ ମୋର ପଦାବଳୀ ପହଞ୍ଚିପାରିବ ।’’

 

ନରସିଂହ କହିଲେ–“ତାହା ଠିକ୍‍ । ବାମଣ୍ଡା ରାଜା ଶ୍ରୀ ବାସୁଦେବ ସୁଢ଼ଳ ଦେବ ସେଇ କଥା କହନ୍ତି । ନିଜେ ମଧ୍ୟ ସେ ଓଡ଼ିଆ ଭାଷାରେ ଗ୍ରନ୍ଥ ଲେଖିଛନ୍ତି ।

 

ଭୀମ ପ୍ରକାଶ କଲେ–“କେବଳ ସେତିକି ନୁହେଁ । ତାଙ୍କର ବହୁ ପୂର୍ବରୁ ଖଡ଼ିଆଳର କବି ଚୈତନ୍ୟ ଦାସ ନିର୍ଗୁଣ ମାହାତ୍ମ୍ୟ ଓ ବିଷ୍ଣୁଗର୍ଭ ପୁରାଣ ଲେଖି ଯାଇଛନ୍ତି । ରେଢ଼ାଖୋଲର କବି ଭୀମା ଧୀବର ଲେଖିଛନ୍ତି–କପଟପାଶା ଆଉ ଭାରତ ସାବିତ୍ରୀ । କଳାହାଣ୍ଡିର କବି ତେଲେଙ୍ଗା ଗୋପାଳ ଲେଖିଛନ୍ତି ଅଧ୍ୟାତ୍ମ ରାମାୟଣ । ଏସବୁ ଓଡ଼ିଆ ଭାଷାରେ । ଓଡ଼ିଆ ଭାଷା ହିଁ ଏହି ବିସ୍ତୀର୍ଣ୍ଣ ଝାଡ଼ ଅଞ୍ଚଳର ଜାତୀୟ ଭାଷା ।’’

 

ନରସିଂହ କହିଲେ–“ତାହା ଛଡ଼ା, କୁଇ ଭାଷାରେ କଥାବାର୍ତ୍ତା କଲେ ମଧ୍ୟ କନ୍ଧସମାଜ ଓଡ଼ିଆ ଭାଷା ବୁଝନ୍ତି । ବାଲିଗୁଡ଼ା, ସୁବର୍ଣ୍ଣଗିରି ଅଞ୍ଚଳରେ ମୁଁ ତାହା ପ୍ରତ୍ୟକ୍ଷ କରି ଆସିଛି ।

 

ଦିବାକର ପଣ୍ଡା ଆଲୋଚନାରେ ଯୋଗ ଦେଲେ–“ଓଡ଼ିଆ ଭାଷା ପ୍ରାଚୀନ ପରିପୃଷ୍ଟ ଭାଷା । ଯୁଗ ଯୁଗ ହେଲା ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଚୈତନ୍ୟ ଦାସ ପ୍ରମୁଖ ଅନେକ କବି ଏଇ ଭାଷାରେ ଗ୍ରନ୍ଥ ରଚନା କରିଛନ୍ତି । ସତ୍ୟ ମହିମା ଧର୍ମର ଟମକ ନାଗରା ଏଇ ଓଡ଼ିଆ ଭାଷା ହିଁ ବଜାଇପାରିବ ।

 

ନରସିଂହ ଡାକ ଛାଡ଼ିଲେ–ଗୁରୁ ବ୍ରହ୍ମ ମହିମା ଅଲେଖ !

 

ଭୀମ ଭାବବିହ୍ୱଳ ହୋଇ ଗାଇବାରେ ଲାଗିଲେ–

 

ଜଗତରେ କବିପଣେ ବୋଲାଉଛି

ଦୋଷ ନାହିଁ ଦେବ ମୋତେ ।

ନିନ୍ଦା ହାନି ଲାଭ ପାପ ପରମାଦ

ପୂରି ରହିଛି ଜଗତେ ।।

ଅତି ଅନ୍ୟାଚାରେ ଏ ମାୟା-ସଂସାରେ

କେଉଁ ରୂପେ ନେବି ଦିନ ।

ପିଣ୍ଡ ବ୍ରହ୍ମାଣ୍ଡରେ ସକଳ ଠାବରେ

ଛନ୍ଦିଅଛ ତିନିଗୁଣ ।।

ରଞ୍ଚନା ଦେଖାଇ ପାଞ୍ଚନା କରାଇ

କରାଉଛ ଖଳବଳ ।

ଭବସିନ୍ଧୁ ଭାବସିନ୍ଧୁ ଦୁଇ ମିଶି

ପୂରି ରହିଅଛି ଜଳ ।।

ତହିଁର ଭିତରେ ଛାଡ଼ି ଦେଇଅଛ

ଏ ଜୀବକୁ ପିଣ୍ଡ ଦେଇ ।

ପାତକ ଲଗାଇ ଦୋଷ ନାହିଁ ଦେବ

ଅନ୍ତର୍ଗତେ ଥିବ ଚାହିଁ ।।

Image

 

ବେବି

 

A rose with all its sweetest leaves yet folded.

 

–Byron

 

ଆମ ବେବିର “ଚାରିଆଖିଆ” ମଣିଷଙ୍କୁ ଭାରି ଡର । ସେ ଡରଟା ଆରମ୍ଭ ହୋଇଛି ପିଇସାଙ୍କଠୁଁ । ସେ କହେ–ମୋ ବାବାର ଦି’ଟା ଆଖି, ବୋଉର ଦି’ଟା, ଅପାର ବି ଦି’ଟା, ଆଉ ବାବାରେ, ପିଇସାର ଏକାବେଳେ ଚାରିଟା !

 

କଲିକତାରେ କୁଆଡ଼େ ବେଶୀ ଚାରିଆଖିଆ ମଣିଷ ଅଛନ୍ତି । ସେଠି ଏତେ ଜିନିଷ ଦେଖିବାକୁ, ଏତେ କଥା ଜାଣିବାକୁ ଅଛି ଯେ, ମଣିଷ ଦୁଇଟା ମାତ୍ର ଆଖିରେ ଦେଖି ସବୁ ଶେଷ କରି ପାରେନା । ତେଣୁ ଅସଲ ଆଖି ଉପରେ ଆଉ ଦୁଇଟା ଅଧିକା କାଚଆଖି ତାକୁ ଲଗେଇବା ପାଇଁ ପଡ଼େ । ବେବିର ପିଇସା ସେଇ କଲିକତା ଆଡ଼େ କିଛିଦିନ ଥିଲେ; ତେଣୁ ତାଙ୍କର ଚାରିଟା ଆଖି । ଚାରିଆଖିଆ ମଣିଷଙ୍କର ଅଧିକା ଆଖି ଯୋଡ଼ାକୁ ବେବିର ଡର ନୁହେଁ ଯେ, ଡର ଖୋଦ୍‍ ପିଇସାଙ୍କୁ ।

 

ପିଇସା ଥରେ କଲିକତା ଯାଉଥିଲେ, ବେବିକି ଡାକିଲେ ସାଙ୍ଗରେ ଯିବାକୁ । ବେବିର କାନ୍ଦଣା ଦେଖେ କିଏ ? ସଙ୍ଗେ ସଙ୍ଗେ ବାବା, ବୋଉ, ଠାକୁ’ମା ସମସ୍ତଙ୍କ ଆଗରେ ନାଲିସ୍‍–ପିଇସା ମୋତେ କଲିକତା ଧରି ନେବେ । ବୋଉ, ମୁଁ ଯିବିନି–କେଭେଁ ଯିବିନି ।

 

କଲିକତାରେ ପିମ୍ପୁଡ଼ିଧାର ପରି ଦିନରାତି ଗାଡ଼ି ଚାଲେ ଏବଂ ଗାଡ଼ିଗୁଡ଼ାକ କୁଆଡ଼େ ଅମାନିଆଁ ହୋଇ ବେଳେ ବେଳେ ମଣିଷଙ୍କ ନାକ ଉପରେ ଚଢ଼ିଯାଆନ୍ତି । ବେବିର ଧାରଣା–ସେ ଏଡ଼ିକି ବକଟେ ହୋଇଥିଲା ବେଳେ ଯେବେ କଲିକତା ମାମୁ ଘରକୁ ଯାଇଥିଲା, ସେଇଠି ତା’ ନାକ ଉପରେ ଗାଡ଼ିଟିଏ ଚାଲିଯାଇଛି । ସେଥିପାଇଁ ସେ ନିଜ ଚେପ୍‍ଟା ନାକଟାକୁ ହାତରେ ଦେଖାଇ କହେ–ହେଇ, କଲିକତାରେ ମୋ ନାକ ଉପରେ ଗାଡ଼ି ମାଡ଼ି ଯାଇଥିଲା । ବୋଉ, ପିଇସା ମୋତେ କଲିକତାକୁ ନେଇ ଯିବେ । ମୁଁ କେଭେଁ ଯିବିନି !

 

ପିଇସାଙ୍କ ବିରୁଦ୍ଧରେ ବେବିର ସବୁଠାରୁ ବଡ଼ ଅଭିଯୋଗ ହେଉଛି–ପିଇସା କାହିଁକି ତା’ ଅପାକୁ (ପିଇସୀ) ଘେନି ପଳାଇଲେ ।

 

ଅପା ବାହାଘର ବେଳକୁ ବେବିର ଚାରି ପୂରି ପାଞ୍ଚ ଚାଲିଥାଏ । କିନ୍ତୁ ନିଜକୁ ଏତେ ଛୋଟ ବୋଲି ମାନିବାକୁ ବେବି କଦାପି ରାଜି ନୁହେଁ । ବଡ଼ମଣିଷଙ୍କ ପରି ନିଜ ଗୋଡ଼ରେ ଚାଲୁଛି–ନିଜ ହାତରେ ଖାଉଛି, ସେ କାହିଁକି ଛୋଟ ହେବ ? ଚାରିଟାବେଳେ ବାବା ସାଙ୍ଗରେ ବୁଲି ବାହାରିଲା ବେଳେ ଟ୍ରଙ୍କ୍ ଖୋଲି ସେ ନିଜ ଇଚ୍ଛା ମୁତାବକ ଫ୍ରକ୍‍ ବାଛେ । ନିଜେ ମୁଣ୍ଡ କୁଣ୍ଡାଇ ନ ପାରିଲେ ବି ଆରସି ପାନିଆ ଧରି ବସିପଡ଼େ । ଆଉ ନିଜର ଟିକି ରୁମାଲଟି ଧରି ବୋଉ ପାଖରେ ଅଳି କରେ–ବୋଉ, ସେଣ୍ଟ୍–ସେଇ କାନ୍ତାସେଣ୍ଟ୍ ! ସେଣ୍ଟ୍ ନହେଲେ ବେବି ଆଉ ଘରୁ ନ ବାହାରେ-

 

ସେ ଦିନ ବେବିର ସେଣ୍ଟ୍ ଲଗା ଦେଖି ଠାକୁ’ମା ଟିକିଏ ହସି ଦେଇଥିଲେ ଯେ, ସେଇଥିରୁ ଘରେ ଏକାବେଳେ ଖଣ୍ଡପ୍ରଳୟ !

 

ଶିଶିକଯାକ ସେଣ୍ଟ୍ ଭୂଇଁରେ ଗଲା । ସିଲ୍‍କ ଫ୍ରକ୍‍ଟା ଚିରା ହେଲା । ଆଉ କାନ୍ଦବୋବାଳିରେ ଉଛୁଳିଲା ଘର । କାହିଁକି ବୋଉ, ବାବା ସଭିଏଁ ବୁଲି ଗଲାବେଳେ ସେଣ୍ଟ୍ ଲଗାଇବେ, ମୁଁ କ’ଣ ଛୁଆ ହୋଇଛି କି ? ସେ ବୁଢ଼ୀଟା କାହିଁକି ହସିବ–ଟାହୁଲି କରିବ ? ବଜ୍ଜାତ୍‍ ବୁଢ଼ୀ ।

 

ପାଠ ପଢ଼ି ବସିଲାବେଳେ ବେବିର ପାକଳ ବୁଦ୍ଧି ଫିଟେ । ହାତୀ, ଘୋଡ଼ା, ଗାଈ, କୁକୁର ଛବି ସବୁ ଦେଖି କହେ–ଏଗୁଡ଼ାକ ମଲା ଜୀବଜନ୍ତୁ । ୟାଙ୍କ କଥା ଜମା ମୁଁ ପଢ଼ିବିନି । ମୁଁ ମାମୁ ଗାଁ ଚିଡ଼ିଆଖାନାରେ କେତେ ଜିଅନ୍ତା ହାତୀ, ଘୋଡ଼ା ଦେଖିଛି । ସେଇ ଜିଅନ୍ତା ଜୀବଜନ୍ତୁ ଯେଉଁ ବହିରେ ଅଛି, ବାବା ସେଇ ବହି ମୋତେ ଆଣିଦିଅ ।

 

ପୁଣି ମୁଦ୍ରଣ ଦୋଷରୁ ଓଡ଼ିଆବହିର ଯେଉଁ ଦୁର୍ଦ୍ଦଶା ! ଆକାର, ଇକାର, ଉକାର, ଯେଉଁଠି ଉଠିନାହିଁ ବା ଭାଙ୍ଗିଯାଇଛି, ବେବିର ପଢ଼ା ଅଟକିଲା ସେଇଠି । ରମା, ଗାଈ, ପାଣି, କୁକୁର ପ୍ରଭୃତି ଶବ୍ଦ ବହିରେ ହୋଇଛି, ରମ, ଗଈ, ପଣ, କକର । ଏ ଭୁଲ କଥାଗୁଡ଼ାକ ବେବି ଶିଖିବ କିମିତି ? ତେଣୁ ପାଠପଢ଼ା ବନ୍ଦ । ଆଉ କି କାମ ? ତେଣିକି ଖେଳ !

 

ଖେଳରେ ସାଙ୍ଗ ଜୁଟି ଯାଆନ୍ତି ରୀତା, ଶିବୁ ପ୍ରଭୃତି କେତେ ପିଲା । ଦଉଡ଼ାଦଉଡ଼ି ହୁଏ, ତିନିଚକିଆ ସାଇକେଲ, ଘୋଡ଼ା ଚଢ଼ା ହୁଏ । ବାଲିଘର ତୋଳା ହୁଏ, ମିଛିମିଛିକା ବାହାଘର ହୁଏ–ଇମିତି ଅସରନ୍ତି ଖେଳ । ସେଦିନ ବାହାଘର ଖେଳବେଳେ ବେବି କହିଲା–ମୋ ଅପା ବାହା ହବରେ, ଶଶୁରଘର ଯିବରେ, ମୁଁ ତା’ ସାଙ୍ଗରେ ଯିବିରେ !

 

କହିବା ସଙ୍ଗେ ସଙ୍ଗେ ବେବି ଆନନ୍ଦରେ ନାଚିବାକୁ ଲାଗିଲା । ଖେଳ ଛାଡ଼ି ସବୁପିଲା ତା’ ଚାରିପାଖରେ ରୁଣ୍ଡ ହୋଇଗଲେ । ଆଜି ସତେକି ନୂଆ କଥାଟାଏ ଘଟିଛି । ଶିବୁ ପଚାରିଲା, ତୋ ଅପାର ଶଶୁରଘର କେଉଁଠି ?

 

ବେବିର ଅକଲ୍‍ ଗୁଡ଼ୁମ । ସତେ ତ ! ଅପା ସାଙ୍ଗରେ ସେ ଶଶୁରଘର ଯିବ । କିନ୍ତୁ ଶଶୁରଘର କେଉଁଠି–କେଉଁ ଗାଁରେ, ସେ ତ ଜାଣେନା । ସଙ୍ଗେ ସଙ୍ଗେ ସେ ଦଉଡ଼ିଗଲା ଘରକୁ; ବୋଉଠାରୁ ବୁଝି ଆସି ପାଟିକରି କହିଲା–ଅପା ଶଶୁରଘର ଭଦ୍ରକ ଯିବିରେ, ଭଦ୍ରକ ଯିବି ।

 

ରୀତା କହିଲା–ତୋ ଅପା କ’ଣ ତୋତେ ସାଙ୍ଗରେ ନବ କିଲୋ ? ବେବି ଭାରି ସାହସ ଦେଖେଇ କହିଲା–ହଁ ନବନେଇଁ ? ନୋହିଲେ ମୁଁ ଏକା ବାସରେ ଚଢ଼ି ପଁ ପଁ କରି ଚାଲିଯିବି ।

 

ଉପର ମୁହଁରେ ରୀତାକୁ ଜବାବଟା ଦେଇଦେଲା ସିନା, ରୀତା କଥାଟା କିନ୍ତୁ ବେବି ସହଜେ ଭୁଲିପାରିଲା ନାହିଁ । ସତରେ ଅପା ଯଦି ତାକୁ ସାଙ୍ଗରେ ଶଶୁରଘର ନ ନିଏ !

 

ରାଗ-ରୋଷରେ ମୁହଁଟା ଫଣ ଫଣ କରି ବେବି ଯାଇ ପହଞ୍ଚିଲା ଅପା ପାଖରେ । ଅପା କୋଳରେ ବସିପଡ଼ି ସେ ଆରମ୍ଭ କଲା ନିଜ ଅଭିଯୋଗ–ଅପା, ରୀତା କହୁଛି–ତମେ ମୋତେ ସାଙ୍ଗରେ ଶଶୁରଘର ନବନି ।

 

ଅପା ସେତେବେଳେ ବେବି-ବୋଉଙ୍କ ସହିତ ବସି କ’ଣ ଗପ କରୁଥିଲେ । ବେବି କଥାରେ ମୁହଁ ତାଙ୍କର ଲାଜରେ ରଙ୍ଗା ପଡ଼ିଗଲା । ବେବି ବୋଉ ଏଣେ ହସି ହସି ବେଦମ୍‍ । ଅପା ଶେଷରେ କହିଲେ–ହଁ, ତୋତେ ନିଶ୍ଚେ ଶଶୁରଘର ନେଇଯିବି । ରୀତା ମିଛୋଇଟା ।

 

ବେବି ଆନନ୍ଦରେ ଫୁଲିପଡ଼ି କହିଲା–ହଁ, ଶଶୁରଘରେ ଆମେ ଦୁଧ, ଛେନା, କଦଳୀ ସବୁ ଖାଇବା । ଦୁଷ୍ଟ ରୀତାକୁ ଟିକିଏ ହେଲେ ଦେବାନି ।

 

ସେଦିନ ବାହାଘର । ପିଇସା ବରବେଶରେ ଆସିବେ ରାତିକି । ବେବି ସକାଳପହରୁ ଚାହିଁ ବସିଛି । ଅପାକୁ କହିଛି–ତାଙ୍କ ସାଙ୍ଗରେ ହଳଦୀ ଲଗାଇ ଗାଧୋଇବ । ଫୁଲନୋଳ ପିନ୍ଧିବ । ବେଦୀରେ ବସିବ । କିନ୍ତୁ ହାୟ, ସଞ୍ଜ ସାତଟା ନ ବାଜୁଣୁ ତା’ ଆଖିରେ ଇମିତି କାଳ ନିଦ ଘୋଟିଆସିଲା ଯେ, କେତେବେଳେ ବର ଆସିଛି–ବାହାଘର ହୋଇଛି, ସେ ବିଚାରୀ କିଛି ଜାଣେନା । ସକାଳୁ ଉଠି ଦେଖିଲାବେଳକୁ ତା’ ଶୋଇବାଘର ଖଟ ଉପରେ ଲାଟ୍‍ସାହେବ ପରି ବସିଛନ୍ତି ଜଣେ ଚାରିଆଖିଆ ମଣିଷ । ଆରେ ବାବା, ଭୟରେ ବେବି ଏକାବେଳେ ବୋଉ ପାଖକୁ ଛୁ !

 

ବୋଉ କହିଦେଲେ–ପିଇସା ପରା ! ଯା, ପାଖକୁ ଯା ! ନା, ନା–ବେବି କି ଆଉ ଧରାଛୁଆଁ ଦିଏ !

 

ବର ବିଦା ହେବା ବେଳ । ବେବି ଆଖିରେ ଆଉ ନିଦ ନାହିଁ । ଥରେ ଠକିଛି ଯେ ! ଅପା କଡ଼େ କଡ଼େ ଥାଏ । ବୋଉ, ଠାକୁ’ମା ଯେତେ ଭୁଲାଉଥାନ୍ତି–ତେବେ ବି ସେ କରଛଡ଼ା ହେଉ ନଥାଏ । ଶେଷରେ ଅପାକୁ ତା’ର ଯେତେବେଳେ ଲୁଗାପଟା ପିନ୍ଧାଇ ଗାଡ଼ିକୁ ଘେନିଗଲେ, ବେବି କି ଆଉ ଥୟ ଧରେ ? ଅପା ସାଙ୍ଗରେ ଶଶୁରଘର ଯିବାକଥା କୁଆଡ଼େ ଉଭେଇ ଗଲା । ଏକ୍ଷଣି ଖାଲି ବିକଳ କାନ୍ଦଣା, ରଡ଼ି, ଚିତ୍କାର–ମୋ ଅପା କୁଆଡ଼େ ଯିବ ? କାହିଁକ ଯିବ ? ପିଇସା କୁଆଡ଼େ ତାକୁ ନେଇଯାଉଛନ୍ତି ? ନା, ନା ଅପା ଯିବନି……

 

ଏତେ କାନ୍ଦି କାଟି ବେବି ବିଚାରୀ ଅପାକୁ ତା’ର ଅଟକାଇ ରଖିପାରିଲା ନାହିଁ । ଅପା ଚାଲିଗଲେ । ତା’ପରେ ବେବିର ସବୁ ରାଗ ଅଭିମାନ ଯାଇପଡ଼ିଲା–ସେଇ ଚାରିଆଖିଆ ପିଇସାଙ୍କ ଉପରେ । ପିଇସା ଅପାକୁ ଘେନି ପଳାଇଲେ । ସେ ବଡ଼ ଦୁଷ୍ଟ !

 

ଦିନ ଗଡ଼ିଯାଏ । ବେବି ବରାବର ତା’ ଅପାକୁ ଖୋଜେ । ଅପା ପୁଣି କେବେ ଆସିବ, ପଚାରେ । ବାବା, ବୋଉ ଭୁଲେଇ ନିଅନ୍ତି–କାଲି ଆସିବ ! ସେ କାଲିଟା କେବେ ହୁଏନା, କି ଅପା ଆସେନା । ଦିନେ ଦିନେ ବେବି ପିଇସା ଉପରେ ବଡ଼ ଖପ୍‍ପା ହୋଇ ଗାଳି-ଗୁଲଜ କରେ–ପିଇସା ଭାରି ଦୁଷ୍ଟ, ପାଜି ! ଅପାକୁ ମୋଟେ ଛାଡ଼ି ଦଉନାହାନ୍ତି । ଆଉ ଆସିବେ ସେ ଆମ ଘରକୁ ? ଆସିଲେ ତାଙ୍କୁ ଖାଇବାକୁ ଦବାନି, ବୋଉ ! ଦାଣ୍ଡ ଦରଜା କିଳି ଦେଇ ଖେଦିଦବା ।

 

ଏଇ ଭୟରେ କି କ’ଣ, ବାହାଘଗର ପରଠୁଁ ପିଇସା ଆଉ ବେବି ଘରକୁ ଯାଇନାହାନ୍ତି-

Image

 

ବନ୍ଧୁକ ଓ କନ୍ଦୁକ

 

ଆପଣ ଉସମାନ୍‍କୁ ଜାଣନ୍ତି କି ?

 

ଉସମାନ୍‍–ସାତ ବରଷର ସେଇ ଧଡ଼ିଆ-ସନ୍ତିଆ ପିଲାଟି ! ଭରତପୁର ସ୍କୁଲରେ ତୃତୀୟ ଶ୍ରେଣୀରେ ପାଠ ପଢ଼େ । ଶାନ୍ତଶିଷ୍ଟ ପିଲାଟିଏ; କିନ୍ତୁ ସ୍କୁଲରେ ଚଗଲା, ଚଳନ୍ତା ଶଗଡ଼ରେ ହାତ ଦେବା ପିଲା ରବି ପଣ୍ଡା ସାଙ୍ଗରେ ତାହାର ଭାରି ମନମେଳ । ଅନେକ ସମୟରେ ମୁହିଁଙ୍କି ସାଙ୍ଗରେ ଖେଳୁଥିବାର କିମ୍ବା ବୁଲୁଥିବାର ଆପଣ ଦେଖିଥିବେ ।

 

ସ୍କୁଲକୁ ନଯାଇ ଆଜି ସକାଳୁ ଘରେ ଉସମାନ୍‍ ଅନଶନ ଆରମ୍ଭ କରିଛି ।

 

ମହାତ୍ମା ଗାନ୍ଧୀ ଖୁବ୍‍ ବଡ଼ ବଡ଼ କଥାରେ ଅନଶନ କରି କାର୍ଯ୍ୟ ହାସଲ କରୁଥିଲେ ବୋଲି ଉସମାନ୍‍ ଜାଣିଛି । ତାହାର ଏଇ ସାମାନ୍ୟ କଥାଟା ଅନଶନ ଦ୍ୱାରା ପୂରଣ ହୋଇ ନ ପାରିବ କାହିଁକି ?

 

ତାହାର ଏକ ବନ୍ଧୁକ ଲୋଡ଼ା, ମାତ୍ର ପଞ୍ଚସ୍ତରୀ ପଇସା ବା ଗୋଟିଏ ଟଙ୍କାର ବ୍ୟାପାର । ଅନଶନ କରି ବନ୍ଧୁକଟି ବାପାଙ୍କଠାରୁ ସେ ନିଶ୍ଚୟ ଆଦାୟ କରିବ ।

 

ବାପା ଜଣେ ସ୍ୱଳ୍ପ ବେତନଭୋଗୀ କିରାଣି । ଆଠପ୍ରାଣୀ କୁଟୁମ୍ବୀ ଘରକୁ ଦରମା ଗଣ୍ଡାକ ପେଟ-ପିଠିକି ନିଅଣ୍ଟ । ସେଥିରେ ଅଦରକାରୀ ତୁଚ୍ଛା ବନ୍ଧୁକଟାଏ କିଣି ଟଙ୍କାଟିଏ ସେ ପାଣିରେ ପକାଇ ଦେବେ କିପରି ?

 

ଉସମାନ୍‍ କହିଲା–“ବନ୍ଧୁକ ଅଦରକାରୀ ହେବ କାହିଁକି ? ସାନବଡ଼ ପ୍ରତ୍ୟେକ ଲଢ଼େଇରେ ତ ହରଦମ୍‍ ବନ୍ଧୁକ ଦରକାର ! ଚୀନ୍‍ ପାକିସ୍ତାନ ସାଙ୍ଗରେ ଲଢ଼େଇ କଲାବେଳେ ଆମର ବନ୍ଧୁକ ଦରକାର ପଡ଼ୁଛି । ଆଉ ରବି ପଣ୍ଡା ସାଙ୍ଗରେ ଲଢ଼େଇ କରିବା ଲାଗି ମୋର ବନ୍ଧୁକ ଦରକାର ନାହିଁ ?’’

 

ବାପା ନିରୁତ୍ତର ।

 

ସେଦିନ ସ୍କୁଲରେ ଖେଳଛୁଟି ବେଳେ ଉସମାନ୍‍ର ପଢ଼ାସାଙ୍ଗ ରବି ପଣ୍ଡା ପେଣ୍ଟ୍ ପକେଟ୍‍ରୁ କଳାରଙ୍ଗର ସାନ ଚକଚକିଆ ବନ୍ଧୁକଟା ବାହାର କଲା । କୁହା ନାହିଁ, ପୁଚ୍ଛା ନାହିଁ ଉସମାନ୍‍ ଆଗରେ ବୀରର ଭଙ୍ଗୀରେ ଠିଆ ହୋଇଯାଇ ସେ ପାଟି କଲା–‘ତୋତେ ଗୁଳି ଫଏର୍‍ କରିବି, ହୁସିଆର !’

 

ରବି ତୁଣ୍ଡରୁ କଥା ନ ସରୁଣୁ ବନ୍ଧୁକରୁ ଠୋ କରି ଜୋର୍‍ ଆବାଜଟାଏ ଶୁଣାଗଲା । ଉସମାନ୍‍ ସତକୁ ସତ ଭୟରେ ଚମକି ପଡ଼ିଲା । ତା’ପରେ ରବିଠାରୁ ମାଗିଆଣି ବନ୍ଧୁକଟିକୁ ଉସମାନ୍‍ କିଛି ସମୟ ହାତରେ ଧରି ଦେଖିବାରେ ଲାଗିଲା । ଶେଷରେ ରବିକି କହିଲା–‘ମୁଁ ମୋ ବନ୍ଧୁକ ଆଣେଁ, ତୋତେ ଗୁଳି ଫଏର୍‍ କରିବି । ରୀତିମତ ଆମେ ଲଢ଼େଇ କରିବା !’

 

ସେଇଭଳି ଚକଚକିଆ କଳାରଙ୍ଗର ସାନ ବନ୍ଧୁକଟିଏ ଉସମାନ୍‍ର ନିହାତି ଦରକାର । ବାପା ସିନା ବାରଣ କରୁଛନ୍ତି; କିନ୍ତୁ ସଂସାରରେ କେଉଁ ଜିନିଷଟା ଅଦରକାରୀ ?

 

ସେଦିନ ମିଣ୍ଟୁ ମହାପାତ୍ର ସାଙ୍ଗରେ ଉସମାନ୍‍ ତାଙ୍କ ଘରକୁ ବୁଲି ଯାଇଥିଲା । ମିଣ୍ଟୁର ବାପା ଲମ୍ବା ଲମ୍ବା ଛୁରି ସବୁ କିଣି ଘରେ ସଜାଇ ରଖିଥିବାର ସେ ନିଜ ଆଖିରେ ଦେଖି ଆସିଛି । ଗଲା ପାର୍ବଣ ଯାତ୍ରାରୁ ଉସମାନ୍‍ର ବାପା ତ ଦେଢ଼ଟଙ୍କା ଦେଇ ଖଇରା ରଙ୍ଗର ପିତଳ ଗୋବା ଥିବା ସୁନ୍ଦର ବାଡ଼ିଟାଏ କିଣିଛନ୍ତି ! କ’ଣ ତାହାର ଦରକାର ଥିଲା ?

 

ଉସମାନ୍‍ ଭାବିଲା–ଘରେ ଅନ୍ୟ ସମସ୍ତଙ୍କର ସବୁ ଜିନିଷ ଦରକାରୀ: କିନ୍ତୁ ତା’ପାଇଁ ବନ୍ଧୁକଟିଏ କେବଳ ଅଦରକାରୀ । ନା, ନା, ସେ ନିଶ୍ଚୟ ବନ୍ଧୁକ ଗୋଟିଏ କିଣିବ !

 

ବାପା ବୁଝାଇ ବୁଝାଇ ଦିକ୍‍ଦାର ହେଇ ଶେଷରେ ଅଫିସ୍‍ ଚାଲିଗଲେ । ଅଫିସ୍‍ ଫେରନ୍ତା ଉସମାନ୍‍ ପାଇଁ ସେ ବନ୍ଧୁକଟିଏ କିଣି ଆଣିବେ ବୋଲି ଜବାବ ଦେଇଗଲେ ।

 

ତଥାପି ଉସମାନ୍‍ ଖିଆପିଆ କଲା ନାହିଁ । ମାଆଙ୍କୁ କହିଲା–‘ସଞ୍ଜବେଳେ ବାପା ବନ୍ଧୁକ ଆଣି ଦେଲେ ଯାଇ ଖାଇବି ।’

 

ଉସମାନ୍‌ର ଅନଶନ ସଫଳ ହେଲା । ସେ ବନ୍ଧୁକଟିଏ ପାଇଲା–ଠିକ୍‍ ସେଇ ରବି ପଣ୍ଡାର ବନ୍ଧୁକ ଭଳି ସୁନ୍ଦର କଳା ଚକଚକ ସାନ ବନ୍ଧୁକଟିଏ ।

 

ଉସମାନ୍‍ର ବନ୍ଧୁକ ଅଦରକାରୀ ହେବ କାହିଁକି ? ଅଗଣାରୁ କୁଆ ହୁରୁଡ଼େଇବାଠାରୁ ଆରମ୍ଭ କରି ନିଜର ସାନ ସାନ ଭାଇଭଉଣୀଙ୍କୁ ଡରେଇବା ଏବଂ ସ୍କୁଲରେ ରବି ପଣ୍ଡା ସାଙ୍ଗରେ ବାରମ୍ବାର ଲଢ଼େଇ କରିବା ପର୍ଯ୍ୟନ୍ତ ବହୁ ବିଭିନ୍ନ କାର୍ଯ୍ୟରେ ଉସମାନ୍‍ର ବନ୍ଧୁକଟି ଦରକାର ହେଲା-

 

ସେଦିନ ବାପାଙ୍କ ସାଙ୍ଗରେ ମସଜିଦ୍‍ରୁ ବାହୁଡ଼ିବା ବେଳେ ଉସମାନ୍‍ର ଟିକି ମଥାଟି ଏକ ଗୁରୁତର ଚିନ୍ତାରେ ଭାରାକ୍ରାନ୍ତ ହୋଇ ପଡ଼ିଥିଲା । ବାଟରେ ସେ ହଠାତ୍‍ ବାପାଙ୍କୁ ପଚାରିଲା–‘ଆଚ୍ଛା ଅବ୍‍ବା, ଆଲ୍ଲା ହିନ୍ଦୁ, ନା ମୁସଲମାନ ?’

 

ଉସମାନ୍‍ଠାରୁ ଏପରି ପ୍ରଶ୍ନଟାଏ ଶୁଣିବେ ବୋଲି ବାପା ଆଦୌ ପ୍ରସ୍ତୁତ ନଥିଲେ । ଏ ପ୍ରଶ୍ନର ସେ ବା ଆଉ କି ଉତ୍ତର ଦିଅନ୍ତେ ?

 

ଉସମାନ୍‍ କହିଲା–“ଆଲ୍ଲା ବୋଧହୁଏ ମୁସଲମାନ ନୁହନ୍ତି । ନୋହିଲେ ରବି ପଣ୍ଡାକୁ ଏତେ ବଳୁଆ କରି ମୋତେ କାହିଁକି ନିର୍ବଳୁଆ କରି ଥାଆନ୍ତେ ! ରବି ପଣ୍ଡା ବରାବର ମୋତେ ଲଢ଼େଇରେ ହଟେଇ ଦେଉଛି । ଆଲ୍ଲା ନିଶ୍ଚୟ ହିନ୍ଦୁ !

 

ବାପା ନିରୁତ୍ତର । କେବଳ ତାଙ୍କର ଗମ୍ଭୀର ମୁଖମଣ୍ଡଳରେ କ୍ଷୀଣ ହସର ଏକ ବିଜୁଳିରେଖା ଚହଟିଗଲା ।

Image

 

ଗାରଡ଼

 

ଶେଷରେ ସେଇ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ ଆସିଗଲା ।

 

ଜେଲ୍‍ଠାରୁ ପ୍ରାୟ ଶହେ ହାତ ଦୂରରେ ଗୋଟିଏ ଦେବଦାରୁ ଗଛ ଛାଇରେ ବସିଥିବା ଚାଳିଶ-ପଚାଶ ଜଣ ଲୋକଙ୍କର ଆନନ୍ଦ-ଉତ୍ତେଜନାକୁ ଶୀର୍ଷ ବିନ୍ଦୁରେ ପହଞ୍ଚାଇ ସଶବ୍ଦେ ଜେଲ୍‍ ଫାଟକ ଫିଟିଗଲା ଏବଂ ସର୍ଦ୍ଦାର ସାଧୁ ନାୟକ ହସି ହସି ଏକ ବିଜେତା ବୀରର ଭଙ୍ଗୀରେ ଜେଲ୍‍ ଭିତରୁ ପଦାକୁ ବାହାରି ଆସିଲେ ।

 

ଅପେକ୍ଷମାଣ ଲୋକଙ୍କ ମଧ୍ୟରୁ ସତିଆ ଭୋଇ ଗୋଟିଏ ଫୁଲମାଳ ଆଣି ସାଧୁ ସର୍ଦ୍ଦାରଙ୍କ ଗଳାରେ ଲମ୍ବାଇ ଦେଲା । ତା’ପରେ ଶୁଣାଗଲା ସ୍ଳୋଗାନ–

 

ଆମର ନେତା………….ସାଧୁ ସର୍ଦ୍ଦାର…………

 

ସାଧୁ ସର୍ଦ୍ଦାର କି……………ଜୟ……..

 

ସ୍ଳୋଗାନ୍‍ ଶୁଣି ଜେଲ୍‍ ସାମନା ରାସ୍ତା ଉପରେ ହଠାତ୍‍ କିଛି ଲୋକ ଜମିଗଲେ । ସଙ୍ଗେ ସଙ୍ଗେ ସର୍ଦ୍ଦାର ସାଧୁ ନାୟକଙ୍କୁ ଘେନି ସେଠାରୁ ଏକ କ୍ଷୁଦ୍ର ପଟୁଆର ବାହାରିଲା । ପୂର୍ବ ବ୍ୟବସ୍ଥା ଅନୁଯାୟୀ ପ୍ରଧାନ ରାସ୍ତା ଦେଇ ପଟୁଆର ସହର ପରିକ୍ରମା କରିବ ।

 

ସେତେବେଳେ ଜନତା-ପାର୍ଟି ଅଫିସରୁ ଜଣେ କର୍ମୀ ଆସି ସାଧୁ ସର୍ଦ୍ଦାରଙ୍କୁ ମାଲ୍ୟ-ଭୂଷିତ କଲେ, ଏବଂ ଅତି ବିନୟୀ ହୋଇ କହିଲେ–ମୋର ଟିକିଏ ଡେରି ହୋଇଗଲା, ଆଜ୍ଞା ! ଏମ୍.ଏଲ୍.ଏ. ସକାଳୁ ରାଜଧାନୀକି ବାହାରିଗଲେ । ଆପଣଙ୍କର ଆଜି ଖଲାସ ହେବା କଥା ତାଙ୍କର ମନେ ଅଛି । ପାର୍ଟି ତରଫରୁ ଆପଣଙ୍କୁ ମାଲ୍ୟାର୍ପଣ କରି ସମ୍ବର୍ଦ୍ଧନା ଜଣାଇବାକୁ ସେ ଯିବାବେଳେ ନିର୍ଦ୍ଦେଶ ଦେଇ ଯାଇଛନ୍ତି ।

 

ସମସ୍ତ ପୁଷ୍ପମାଲ୍ୟ–ସମସ୍ତ ସମ୍ବର୍ଦ୍ଧନା ସାଦରେ ଗ୍ରହଣ କରୁଥିବାର ନେତା-ସୁଲଭ ମୁଦ୍ରା ପ୍ରକାଶ କରି ସାଧୁ ସର୍ଦ୍ଦାର ଯୋଡ଼ହସ୍ତରେ ହସି ହସି ଅଟୁଆର ମଧ୍ୟରେ ଚାଲିଥିଲେ ।

 

ସର୍ଦ୍ଦାର ସାଧୁ ନାୟକ ମଫସଲ ଗ୍ରାମର ଲୋକ ହେଲେହେଁ ସହରରେ ନିତାନ୍ତ ଅଜଣା-ଅଶୁଣା ନଥିଲେ । ମାଲିମକଦ୍ଦମାରେ, ପାର୍ଟି ସଂଗଠନରେ ଏବଂ ନିଜର କେତେକ ଗୋପନୀୟ କାର୍ଯ୍ୟରେ ମାସରେ ଅନ୍ତତଃ ଦଶ ବାର ଦିନ ତାଙ୍କୁ ସହରରେ ରହିବାକୁ ପଡ଼ୁଥିଲା । ସର୍ଦ୍ଦାରଙ୍କ ନିଜ ଭାଷାରେ–ଗ୍ରାମାଞ୍ଚଳ ତାଙ୍କର ‘କର୍ମକ୍ଷେତ୍ର’ ଏବଂ ସହର ତାଙ୍କର ‘ଧର୍ମକ୍ଷେତ୍ର’ ।

 

ସହରରୁ ‘ଧର୍ମ’ ଗ୍ରହଣ କରି ଗ୍ରାମାଞ୍ଚଳରେ ‘କର୍ମ’ କରିବା ତ ବର୍ତ୍ତମାନ ରାଜନୀତିର ମର୍ମ !

 

ପଟୁଆର ଭିତରୁ ପୁଷ୍ପମାଲ୍ୟ–ବିଭୂଷିତ ସାଧୁ ସର୍ଦ୍ଦାରଙ୍କୁ ସେଦିନ ସହରରେ ଯେଉଁମାନେ ଚିହ୍ନିଲେ, ସେମାନେ ନିଜ ନିଜ ମଧ୍ୟରେ କୁହାକୁହି ହେଲେ–‘ସାଧୁ ନାୟକ କ’ଣ ଏତେ ଶୀଘ୍ର ଖଲାସ ହୋଇଗଲା ? ଏତେ ବଡ଼ ସଙ୍ଗିନ ମାମଲାକୁ କେତେ ମାସ ଜେଲ୍‌ଦଣ୍ଡ ହୋଇଥିଲା କି ? ଏତିକିରେ କ’ଣ ସାଧୁ ନାୟକ ଡରିବ ? ସେ ତ ଦରପୋଡ଼ା କାଠ ! ତାକୁ ମାଠିବ କିଏ ? ଯେଉଁଥିପାଇଁ ତାହାର ଧନ-ସମ୍ପତ୍ତି, କ୍ଷମତା-ପ୍ରତିପତ୍ତି, ତାହା କ’ଣ ସେ ସହଜେ ଛାଡ଼ିଦେବ ?’

 

ଜନତାପାର୍ଟି ଅଫିସ୍‍ ନିକଟରେ ପଟୁଆର ପହଞ୍ଚିଲା ବେଳକୁ ଦିନ ଗଡ଼ି ପଡ଼ିଲାଣି । ପୂର୍ବରୁ ସେଠାରେ ଶତାଧିକ ବ୍ୟକ୍ତିଙ୍କ ଲାଗି ସେଦିନ ଖିଆପିଆର ବ୍ୟବସ୍ଥା ହୋଇଥିଲା । ଖିଆପିଆ ସାରି ସନ୍ଧ୍ୟା ଚାରିଟା ବାସରେ ସାଧୁ ସର୍ଦ୍ଦାରଙ୍କର ଗ୍ରାମକୁ ଯିବାର କଥା । ଗ୍ରାମରେ ତେଣେ ବହୁ ସମସ୍ୟା, ବହୁକର୍ମ, ବହୁଦାୟିତ୍ୱ…

 

ସାଧୁ ସର୍ଦ୍ଦାରଙ୍କ ନେତୃତ୍ୱ ବିନା କେବଳ ଶାଳପଦା ଗ୍ରାମଟି ନୁହେଁ, ସମଗ୍ର ଶାଳପଦା ପଞ୍ଚାୟତର ଯେ ଏକପ୍ରକାର ଅଚଳ ଅବସ୍ଥା ! ଗଛର ଯେପରି ଗଣ୍ଡି–ମନ୍ଦିରର ଯେପରି ମୁଣ୍ଡି, ଜନତାର ସେହିପରି ନେତା । ଜନତା ତ ମେଷପଲ ! ନେତା ବିନା ସେମାନଙ୍କୁ ରାସ୍ତା ଦେଖାଇବ କିଏ ?

 

ମାନବ ସଭ୍ୟତା ଆଜି ଯେତେ ଅଗ୍ରଗତି କରିଥାଉ ପଛକେ, ଯୁଗେ ଯୁଗେ ଦେଶେ ଦେଶେ ନେତାର ଭୂମିକା ଅପରିହାର୍ଯ୍ୟ–ଅନସ୍ୱୀକାର୍ଯ୍ୟ । ନାନା ରୂପରେ–ନାନା ଭାବରେ ନେତା ରହିଛନ୍ତି ଚିରକାଳ–କେତେବେଳେ ବାହୁବଳରେ, କେତେବେଳେ ବୁଦ୍ଧିବଳରେ, ଆଉ କେତେବେଳେ ବା ଜନମତ ବଳରେ ।

 

କୁଚିଳା ନଦୀ କୂଳେ କୂଳେ ବାସ୍‍ ଚାଲିଛି । ବାସ୍‍ ଇଞ୍ଜନ୍‍ର ଗର୍ଜନକୁ ପରାହତ କରି କେତେକ ଯାତ୍ରୀଙ୍କ ଉନ୍ମାଦନାଭରା ପାଟିଗୋଳ, ହାସ୍ୟରୋଳ ଶୁଣାଯାଉଛି । ମଝିରେ ମଝିରେ ଗଗନପବନକୁ ପ୍ରକମ୍ପିତ କରି ଶୁଣାଯାଉଛି ସ୍ଳୋଗାନ୍‍–‘ଆମର ନେତା…ସାଧୁ ସର୍ଦ୍ଦାର….’

 

ସୂର୍ଯ୍ୟାସ୍ତ ହୋଇଗଲାଣି କେତେବେଳୁ । କିନ୍ତୁ ପଶ୍ଚିମ ଆକାଶର ଫଗୁଖେଳ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । କୁଚିଳା ନଦୀର କୁଟିଳ ଜଳବେଣୀ ଉପରେ ସେଇ ଫଗୁଖେଳ ଛିଟିକି ପଡ଼ିଛି । ନଦୀ କୂଳେ କୂଳେ ମୁଗ ଓ ସୋରିଷ ଖେତ–ସବୁଜ ଓ ହଳଦିଆ ରଙ୍ଗର ଗାଲିଚା ଯେପରି ବିଛାହୋଇ ପଡ଼ିଛି !

 

ପାଖରେ ବସିଥିବା କାଙ୍ଗାଳି ପାତ୍ର କାନରେ ସାଧୁ ସର୍ଦ୍ଦାର କହିଲେ–“ମଙ୍ଗଳପୁରିଆ ତ ଏଥର ଭଲ ରବିଫସଲ ଅମଳ କରିବେ ! ବଟ ମହାନ୍ତି ଖୁବ୍‍ ମାତିବ–ଶାଳପଦିଆଙ୍କ ଉପରେ ପୁରୁଣା ରାଗ ଶୁଝାଇ ନେବା ଭଳି ଲାଗୁଛି ।’’

 

କଙ୍ଗାଳି ପାତ୍ର ସେହିପରି ଅନୁଚ୍ଚ ସ୍ୱରରେ ଉତ୍ତର ଦେଲା–“ଆପଣ ଆସିଗଲେଣି ଆଜ୍ଞା, ଏବେ ଜୋକ ମୁହଁରେ ଲୁଣ ଦେଲାଭଳି ବଟ ମହାନ୍ତି ଭାଙ୍ଗିପଡ଼ିବ । ତା’ଛଡ଼ା ଫସଲ ଅମଳ ବେଳେ ତ ଅଛି ! ଶାଳପଦାର ଦି-ଗୋଡ଼ିଆ ଗୋରୁପଲ କବଳରୁ ଏ ରବି-ଫସଲ କ’ଣ ରକ୍ଷା ପାଇବ ?’’

 

ସାଧୁ ସର୍ଦ୍ଦାର ମୁହଁରେ ଏକ ମାତବ୍ବରୀ ହସ ଫୁଟାଇ କହିଲେ–“ଠିକ୍‍ ଅଛି ! ଶଙ୍କରା ଜେନା, ନାଥ ମଳିକଙ୍କ ଠେଙ୍ଗା ଉଚ୍ଚା ଥିଲେ, ଏକା ରାତିକେ କାମ ଫତେ !’’

 

ଶେଷ ଫେବୃଆରୀର ନାତିଶୀତୋଷ୍ଣ ସନ୍ଧ୍ୟା । ଚଳନ୍ତା ବାସ୍‍ ମଧ୍ୟରେ ତୁହାକୁ ତୁହା ପବନ ପଶି ଯାଉଛି ଏବଂ ସାଧୁ ସର୍ଦ୍ଦାରଙ୍କ ଚନ୍ଦା ମୁଣ୍ଡରେ ଅବଶିଷ୍ଟ ଥିବା ଅଳ୍ପ କେତେ କେରା କେଶକୁ ବାରମ୍ବାର ବିପର୍ଯ୍ୟସ୍ତ କରି ପକାଉଛି । ସର୍ଦ୍ଦାରଙ୍କ ମୁଣ୍ଡ ଭିତରେ ପୁଣି ନାନା ବିପର୍ଯ୍ୟସ୍ତ ଚିନ୍ତା ।

 

କହିବାକୁ ଗଲେ–ତୁଚ୍ଛା ଶୂନ୍ୟରୁ ସେ ଜୀବନ ଆରମ୍ଭ କରିଥିଲେ । ପୈତୃକ ସମ୍ପତ୍ତି ଯାହା କିଛି ଥିଲା, ତାହା ତାଙ୍କର ସ୍କୁଲ ଓ କଲେଜ ପଢ଼ାରେ ନିଃଶେଷ ହୋଇ ଯାଇଥିଲା । କିନ୍ତୁ ସେ ପୁରୁଷ ପୁଅ, ପୁଣି ଉଚ୍ଚ ଖଣ୍ଡାୟତ କୁଳର ଦାୟାଦ । ଚାହୁଁ ଚାହୁଁ ମାତ୍ର ତିନିଟା ବର୍ଷ ମଧ୍ୟରେ ସେ ନିଜ ଗୋଡ଼ରେ ଠିଆ ହୋଇ ପାରିଲେ ।

 

ସାଧୁ ସର୍ଦ୍ଦାରଙ୍କର ମନେ ପଡ଼ିଗଲା–ଦୁଇ ଦୁଇ ଥର ପ୍ରାକ୍‍ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ଫେଲ୍‍ ହେଲା ପରେ ସେ ଦୁଃଖ ଓ ନିରାଶାରେ କଲିକତା ପଳାଇଗଲେ । ସେଇଠି ସହସା ଭାଗ୍ୟ ତାଙ୍କ ପ୍ରତି ପ୍ରସନ୍ନ ହେଲା । ଅଫିମ-ଗଞ୍ଜେଇର ଚୋରା କାରବାରରେ ସେ ଲିପ୍ତ ହୋଇ ପଡ଼ିଲେ । କଲିକତା ନଗରୀରୁ ଶାଳପଦା ଗ୍ରାମ ପର୍ଯ୍ୟନ୍ତ ବ୍ୟବସାୟର ଜାଲିୟାତି-ଜାଲ ବିଛାଇ ଦେଲେ । ଫଳରେ ରାତାରାତି ସେ ବନିଗଲେ ବଡ଼ଲୋକ ।

 

ଏ ସଂସାରରେ ବର୍ତ୍ତମାନ ଧନ ହିଁ ସବୁ–ଧନୀ ହିଁ ପ୍ରକୃତ ‘ବଡ଼ଲୋକ’ । ଧନ ଆଣେ ଜ୍ଞାନ-ଗାରିମା–ଧନ ଆଣିଦିଏ ମାନସମ୍ମାନ, ପ୍ରଭାବ-ପ୍ରତିପତ୍ତି । ଏ କଥା ସାଧୁ ନାୟକ ଭଲଭାବରେ ହୃଦୟଙ୍ଗମ କରିଥିଲେ । ତେଣୁ ଅଳ୍ପ କେଇଟା ବର୍ଷ ମଧ୍ୟରେ ସେ ଧନ ବଳରେ ଏ ଅଞ୍ଚଳର ‘ସର୍ଦ୍ଦାର’ ବା ଜନପ୍ରିୟ ନେତା ପାଲଟି ଗଲେ ।

 

ହଠାତ୍‍ ବାସ୍‍ ଅଟକିଗଲା । ବଟ ମହାନ୍ତିଙ୍କ ହଲାର ମେସିନ୍‍କୁ କେନ୍ଦ୍ରକରି ସେଠି ରାସ୍ତା ପାଖରେ ଏକ ଛୋଟକାଟର ବଜାର । କେଇଜଣ ଯାତ୍ରୀ ବାସ୍‍ରୁ ଓହ୍ଲାଇ ଗଲେ । ବଟ ମହାନ୍ତି ଓ ତାଙ୍କ ଦଳର ଲୋକଙ୍କୁ ଭଲକରି ଶୁଣାଇବା ଲାଗି ସେଠି ବାସ୍‍ ଭିତରୁ ଖୁବ୍‍ ଚଢ଼ା ସ୍ୱରରେ ସ୍ଳୋଗାନ୍ ଶୁଣାଗଲା–ସାଧୁ ସର୍ଦ୍ଦାର କି……ଜୟ……

 

ସେ ଅଞ୍ଚଳରେ ସାଧୁ ସର୍ଦ୍ଦାରଙ୍କର ଜୟ-ଜୟ-କାର ପଡ଼ିଥିଲା ସତ୍ୟ; କିନ୍ତୁ ତହିଁରେ ପ୍ରତିବନ୍ଧକ ହୋଇ ଠିଆ ହେଲେ ପ୍ରଥମେ ମଙ୍ଗଳପୁରର ବଟ ମହାନ୍ତି । ସାତପୁରୁଷୀ ବୁନିଆଦୀ ବଂଶର ଲୋକ ସେ । ତାଙ୍କରି ଆଖି ଆଗରେ ଗଞ୍ଜେଇ-ଅଫିମର ଚୋରା କାରବାର କରି ସାଧୁ ନାୟକ ରାତାରାତି ବଡ଼ଲୋକ ହୋଇଯିବ ଏବଂ ଶାଳପଦା ପଞ୍ଚାୟତରେ ମାମଲତକାର ବୋଲାଇବ–ଏ କଥା ସେ ସହିବେ କିପରି ? ତେଣୁ ସାଧୁ ନାୟକ ଓ ବଟ ମହାନ୍ତିଙ୍କ ମଧ୍ୟରେ ବରାବର ବାଦବିବାଦ, ସଂଘର୍ଷ ଲାଗି ରହିଛି ।

 

ଏଥର ସାଧୁ ନାୟକଙ୍କୁ ଚୋରା କାରବାରରେ ଧରା ପକାଇ ଜେଲ୍‍ ଦଣ୍ଡ ଭୋଗାଇବାରେ ବଟ ମହାନ୍ତିଙ୍କର କମ୍‍ ହାତ ନ ଥିଲା । ସେଥିପାଇଁ ସାଧୁ ସର୍ଦ୍ଦାର ଓ ତାଙ୍କ ଦଳ ବଟ ମହାନ୍ତିଙ୍କ ଉପରେ ଖାଲି ରକ୍ତଚାଉଳ ଚୋବାଉଛନ୍ତି ।

 

ବାସ୍‍ ପୁଣି ଚାଲିବାକୁ ଆରମ୍ଭ କଲା । ସାଧୁ ସର୍ଦ୍ଦାର କନକନ ହୋଇ ରାସ୍ତା ଦୁଇକଡ଼କୁ ଚାହିଁଲେ । କାହିଁ, କେଉଁଠି ହେଲେ ବଟ ମହାନ୍ତି ନଜରରେ ପଡ଼ୁ ନାହାନ୍ତି । ମନେମନେ ଖୁସିଟାଏ ହୋଇ ସେ ଭାବିଲେ–ସାପକୁ ଦେଖି ବେଙ୍ଗ ବିଳରେ ପଶିଛି !

 

ନଦୀବନ୍ଧ ଛାଡ଼ି ଏଥର ବାସ୍‍ ଶାଳପଦା ଗ୍ରାମ ଆଡ଼କୁ ମୁହାଁଇଲା । ଆଗରେ କେନାଲ୍‍ ପୋଲ । ସାଧୁ ସର୍ଦ୍ଦାର ଜନତାପାର୍ଟିର ସକ୍ରିୟ ସଭ୍ୟ ହେଲାପରେ ଗତ ବର୍ଷ ମନ୍ତ୍ରୀଙ୍କ ଉପରେ ଚାପ ପକାଇ କୁଚିଳା ନଦୀରୁ ଶାଳପଦା ଗ୍ରାମ ପର୍ଯ୍ୟନ୍ତ ଏହି କେନାଲ୍‍ଟି କରାଇ ଦେଇଛନ୍ତି । ଫଳରେ ଶାଳପଦା ପଞ୍ଚାୟତର ଶହ ଶହ ଏକର ଚାଷଜମି ଜଳସେଚିତ ହୋଇପାରିଛି ।

 

କେନାଲ୍‍ ପୋଲ ଡେଇଁଲା ପରେ ଅଳ୍ପ ଦୂରରେ ସାବିତ୍ରୀ ଦେବୀ ହାଇସ୍କୁଲଟି ସାଧୁ ସର୍ଦ୍ଦାରଙ୍କର ନିଃସ୍ଵାର୍ଥପର ଦାନରେ ତାଙ୍କର ସ୍ୱର୍ଗୀୟା ମାତୃଦେବୀଙ୍କ ସ୍ମୃତିରକ୍ଷା ପାଇଁ ପ୍ରତିଷ୍ଠିତ ହୋଇଛି । ନିଜେ ସାଧୁ ସର୍ଦ୍ଦାର ସ୍କୁଲ ପରିଚାଳନା ସମିତିର ସମ୍ପାଦକ । ହେଇ, ସ୍କୁଲ ସମାନ ରାସ୍ତା ପାଖରେ ହେଡ଼ମାଷ୍ଟରଙ୍କ ସହିତ କେତେ ଜଣ ଶିକ୍ଷକ ଓ ଛାତ୍ର ଠିଆ ହୋଇଛନ୍ତି । ସେମାନେ ବୋଧହୁଏ ପୂର୍ବରୁ ସାଧୁ ସର୍ଦ୍ଦାରଙ୍କ ଆଗମନର ସମ୍ବାଦ ପାଇ ସମ୍ବର୍ଦ୍ଧନା ଜଣାଇବା ଲାଗି ଅପେକ୍ଷା କରିଛନ୍ତି ।

 

ସତିଆ ଭୋଇ ହଠାତ୍‍ ପାଟିକରି କହିଲା–“ଡ୍ରାଇଭର୍‍ ବାବୁ, ସ୍କୁଲ ପାଖରେ ବାସ୍‍ ରୋକିବେ । ମାଷ୍ଟର ଓ ପିଲାମାନେ ସେଠି ଆମରି ପାଇଁ ତକେଇଛନ୍ତି ।’’

 

ବାସ୍‍ ଅଟକିଲା । ସାଧୁ ସର୍ଦ୍ଦାର କହିଲେ–“ଆଗକୁ ଆଉ ଯିବା କାହିଁକି ? ଏଇଠି ସମସ୍ତେ ଓହ୍ଲାଇପଡ଼ ! ଏଇଠାରୁ ଆମର ବିଭିନ୍ନ ଅନୁଷ୍ଠାନର ଖବର ସବୁ ବୁଝାବୁଝି କରି କରି ଯିବା-!’’

 

ସ୍କୁଲ ପରେ ପୋଲିସ୍‍ଫାଣ୍ଡି । ତା’ପରେ ଶାଳପଦା ହାଟ । ସପ୍ତାହରେ ଦୁଇଥର–ରବିବାର ଓ ବୁଧବାର ହାଟ ବସିଲେ ମଧ୍ୟ ପ୍ରତିଦିନ ସେଠିକା ବଜାରରେ ଗହଳ ଚହଳ ଲାଗିଥାଏ-। ସେଇଠି ସାଧୁ ସର୍ଦ୍ଦାରଙ୍କ କାରବାର କେନ୍ଦ୍ର ।

 

ଜେଲ୍‍ ଚାଲିଗଲା ପରେ ବି ସାଧୁ ସର୍ଦ୍ଦାରଙ୍କର ଚୋରା କାରବାର ବନ୍ଦ ନ ଥିଲା । ସତିଆ ଭୋଇ ରୀତିମତ କାରବାର ଚଳାଇଥିଲା । ଲେଖାଯୋଖାରେ ସାଧୁ ସର୍ଦ୍ଦାରଙ୍କର ମାଉସୀପୁଅ ଭାଇ ସେ–ସମସ୍ତ କାରବାର, ସଲାସୂତ୍ରରେ ତାଙ୍କର ଡାହାଣ ହାତ ।

 

ସଙ୍ଗେ ସଙ୍ଗେ ସେଠାରେ ଲୋକ ଜମିଗଲେ । ନମସ୍କାର ଆଦାନପ୍ରଦାନ, କୁଶଳ ପ୍ରଶ୍ନ ଜିଜ୍ଞାସାବାଦ ସଙ୍ଗେ ସଙ୍ଗେ ସାଧୁ ସର୍ଦ୍ଦାର ଆଗକୁ ଚାଲିଥିଲେ । ସ୍କୁଲ ମାଷ୍ଟର୍‌ମାନେ ଗତ ଦୁଇ ମାସର ବେତନ ପାଇ ନାହାନ୍ତି । ମହିଳାସମିତି ଘରେ ତାଲା ପଡ଼ିଛି । ଫାଣ୍ଡିର କନେଷ୍ଟବଲମାନେ ରୀତିମତ ‘ମାମୁଲି’ ପାଉ ନାହାନ୍ତି । ଏପରି କି ଶଙ୍କରା ଜେନା, ନାଥ ମଳିକ ‘ମାଲପାଣି’ ଟିକକ ପାଇଁ ହଇରାଣ ହେଉଛନ୍ତି । ଏହିପରି କେତେ ସମସ୍ୟା–କେତେ ଆପତ୍ତି-ଅଭିଯୋଗ ।

 

ସମସ୍ତ ଆପତ୍ତି-ଅଭିଯୋଗ–ସମସ୍ତ ସମସ୍ୟାର ଏକମାତ୍ର ସମାଧାନ ସାଧୁ ସର୍ଦ୍ଦାର । ସେ ଯେତେବେଳେ ଆସି ଗଲେଣି, ଏଣିକି ଆଉ ଚିନ୍ତା ନାହିଁ । ତାଙ୍କଭଳି ନେତାଙ୍କ ହସ୍ତରେ ସବୁ ଦାୟିତ୍ୱ, ସବୁ କ୍ଷମତା ଅର୍ପଣ କରି ଜନତା ଏବେ ନିଶ୍ଚିନ୍ତ ।

 

ହାଟ ପରେ ପଶୁ ଡାକ୍ତରଖାନା । ତା’ ପାଖରେ ମଣିଷମାନଙ୍କ ପାଇଁ ଏକ ଡାକ୍ତରଖାନା ବସାଇବାକୁ ସାଧୁ ସର୍ଦ୍ଦାର ଦୁଇବର୍ଷ ହେଲା ଚେଷ୍ଟା ଚଳାଇଛନ୍ତି । ଦୁର୍ଭାଗ୍ୟକୁ ସେ ଜେଲ୍‍ ଚାଲିଗଲେ, ନୋହିଲେ ଏତେବେଳକୁ ଡାକ୍ତରଖାନା କାମ ଆରମ୍ଭ ହୋଇ ସାରନ୍ତାଣି ।

 

ଡାକ୍ତରଖାନା କୋଠାର ଅଧା ତୋଳା କାନ୍ଥଆଡ଼କୁ ଚାହିଁ ସାଧୁ ସର୍ଦ୍ଦାର ଦୀର୍ଘନିଃଶ୍ୱାସଟାଏ ପକାଇଲେ । ତାଙ୍କ ପଛରେ ନାଥ ମଳିକ ପୁରୁଷେ ଉଚ୍ଚ ପାଚିଲା ବାଉଁଣ ଠେଙ୍ଗାଟାଏ ହାତରେ ଧରି ବୀର ଦର୍ପରେ ଚାଲିଥିଲା; ସାଧୁ ସର୍ଦ୍ଦାରଙ୍କ ମନର ଦୁଃଖ ବୁଝି କହି ପକାଇଲା–“ଗଣି ସାହୁ ମନ କରିଥିଲେ, ଏତେବେଳକୁ କୋଠା କାମ ଶେଷ ହୁଅନ୍ତାଣି ।’’

 

ସାଧୁ ସର୍ଦ୍ଦାର ନାଥ ମଳିକକୁ ଜନାନ୍ତିକେ ପଚାରିଲେ–“ଗଣି ସାହୁର କାରବାର କିମିତି ଚାଲିଛି ?’’

 

ନାଥ ମଳିକ ତୁନିତୁନି ଉତ୍ତର ଦେଲା–“କାରବାର ଚାଲିଛି ଠିକ୍‍ । କିନ୍ତୁ ବେଲ ପାଚିଲେ, କାଉର କ’ଣ ଯାଏ ଆସେ ? ସମସ୍ତେ ତ ଆଉ ସାଧୁ ସର୍ଦ୍ଦାର ନୁହଁନ୍ତି, ପର ପାଇଁ–ସର୍ବସାଧାରଣଙ୍କ କାମ ପାଇଁ ପ୍ରାଣ କାନ୍ଦିବ ! ଗଣିଆ ଛୋଟ ଲୋକଟାଏ ଆଜ୍ଞା, ମଦ କାରବାର ପାଇଁ ଆପଣ ତାକୁ ବାଛିଲେ କିମିତି କେଜାଣି ?’’

 

ସାଧୁ ସର୍ଦ୍ଦାର ସମସ୍ତଙ୍କୁ ଶୁଣାଇ ବଡ଼ ପାଟିରେ କହିଲେ–“କଥା ଥିଲା, ଡାକ୍ତରଖାନା କୋଠା ତିଆରି ପାଇଁ ଯେତେ ଖର୍ଚ୍ଚ ଲାଗିବ, ସବୁ ଦେବ ଗଣି ସାହୁ । ତାହାହେଲେ କୋଠା ତିଆରି ବନ୍ଦ ହେଲା କାହିଁକି ? ଚାଲ ସମସ୍ତେ ଗଣି ସାହୁ ଦୋକାନକୁ ! ତାକୁ ପଚାରି ବୁଝିବା !’’

 

ସଞ୍ଜବେଳେ ଗଣି ସାହୁ ଦୋକାନରେ ଭିଡ଼ ଜମିଛି । ଅନେକ ଚା’-ପକୁଡ଼ି ଖାଇବାରେ ବ୍ୟସ୍ତ । କେତେକ, ଦୋକାନରେ ବାଜୁଥିବା ରେଡ଼ିଓ ଶୁଣିବା ଲାଗି–ଆଉ କେତେକ ଖାଲି ଗପସପ କରିବା ଲାଗି ବସି ରହିଚନ୍ତି । ତା’ ଭିତରେ ମଧୁ ପଟ୍ଟନାୟକଙ୍କର କଲେଜ-ପଢ଼ୁଆପୁଅ ବିଶ୍ୱନାଥ ଚା’-ଗ୍ଲାସ୍‍ ହାତରେ ଧରି ବକ୍ତୃତା ଦେବା ଭଙ୍ଗୀରେ ଉପସ୍ଥିତ ସମସ୍ତଙ୍କୁ କହିବାରେ ଲାଗିଛି–“ଚୋର-ଡକାୟତ ହେବେ ଦେଶରେ ନେତା ? ଦାଗୀ ଆସାମୀ କରିବେ ଜନସେବା ? କି ଦୁର୍ଦ୍ଦଶା ହେଲା ଏ ଦେଶର ! ସେବା ଓ ସଚ୍ଚୋଟପଣିଆର ସହାବସ୍ଥାନ କ’ଣ ସମ୍ଭବ ନୁହେଁ ? ମହାତ୍ମା ଗାନ୍ଧୀ କ’ଣ ଏଇଥିପାଇଁ ଏ ଦେଶକୁ ସ୍ୱରାଜ ଆଣିଥିଲେ ?’’

 

ସାଧୁ ସର୍ଦ୍ଦାର ଓ ତାଙ୍କ ଦଳକୁ ଦେଖି ବିଶ୍ୱନାଥର କଣ୍ଠସ୍ୱର ନରମିଗଲା । କେତେ ଜଣ ଲୋକ ପଛଘୁଞ୍ଚା ଦେଇ ସ୍ଥାନ ତ୍ୟାଗ କଲେ । ସାଧୁ ସର୍ଦ୍ଦାର ହସି ହସି ପଚାରିଲେ–“ଭଲ ଅଛ ତ ବିଶ୍ୱନାଥ ବାବୁ ? ପରୀକ୍ଷା କେବେ ? ଚଞ୍ଚଳ ଚଞ୍ଚଳ ମଥା ଲଗାଇ ଦିଅ ! ଭଗବାନ କରନ୍ତୁ–ତୁମେଇ ହେବ ଆମ ଗ୍ରାମର ପ୍ରଥମ ଏମ.ଏ. ।’’

 

ବିଶ୍ୱନାଥ କୌଣସି ଉତ୍ତର ନ ଦେଇ ନୀରବରେ ବସି ଚା’-ପାନ କରିବାରେ ଲାଗିଲା । ଗଣି ସାହୁ, ଦୋକାନରୁ ଉଠି ଆସି ନଥ୍‍କରି ସାଧୁ ସର୍ଦ୍ଦାରଙ୍କୁ ଦଣ୍ଡବତଟାଏ ହେଲା । କିନ୍ତୁ ସାଧୁ ସର୍ଦ୍ଦାରଙ୍କର ସେ ଆଡ଼କୁ ନଜର ନ ଥିଲା । ତାଙ୍କର ନଜର ଥିଲା–ସେଇ କ୍ରୋଧୀ ଯୁବକ ବିଶ୍ୱନାଥ ଉପରେ । କି ଗଦ ଶୁଙ୍ଘାଇ ସେଇ ତମ୍ପ ସାପଟିକି କିପରି ଆୟତ୍ତ କରିବାକୁ ହେବ, ସେ ସେତେବେଳେ କେବଳ ସେଇ କଥା ହିଁ ଚିନ୍ତା କରୁଥିଲେ ।

 

ସାଧୁ ସର୍ଦ୍ଦାର ପୁଣି ବିଶ୍ୱନାଥକୁ ଲକ୍ଷ୍ୟ କରି କହିଲେ–“ବାପା କିପରି ଅଛନ୍ତି ? ତାଙ୍କର ସେ ଶ୍ୱାସରୋଗଟା କମିଛି ନା ? ମୁଁ ଯିବି ତାଙ୍କୁ ଦେଖା କରିବାକୁ । ମୋ ଆସିବା ଖବର ତୁମେ ମଧୁ ଭାଇଙ୍କି କହି ଦେଇଥିବ ।’’

 

ଆଗରେ ଶାଳପଦା ଗ୍ରାମପଞ୍ଚାୟତର ସରପଞ୍ଚ ନିର୍ବାଚନ । ପ୍ରାର୍ଥୀ ଅଛନ୍ତି–ବଟ ମହାନ୍ତି ଆଉ ସତ୍ୟାନନ୍ଦ ଭୋଇ । ପ୍ରାର୍ଥୀ ହିସାବରେ କେହି କାହାକୁ ଊଣା ନୁହନ୍ତି । ଉଭୟଙ୍କ ତରଫରୁ ଜୋରସୋର ପ୍ରଚାର କାର୍ଯ୍ୟ ଚାଲିଛି । ବଟ ମହାନ୍ତିଙ୍କ ପାଇଁ ପ୍ରଚାର କାର୍ଯ୍ୟର ନେତୃତ୍ୱ ନେଇଛି ବିଶ୍ୱନାଥ; ସମ୍ପର୍କରେ ମହାନ୍ତିଏ ତାହାର ପିଉସା । ଆଉ ସତିଆ ଭୋଇ ତ ଖୋଦ୍‍ ସାଧୁ ସର୍ଦ୍ଦାରଙ୍କ ପ୍ରର୍ଥୀ–ଜନତାପାର୍ଟିର ସମର୍ଥନ ମଧ୍ୟ ତା’ ପଛରେ ରହିଛି । ତା’ପାଇଁ ପ୍ରଚାର କରୁଛନ୍ତି କାଙ୍ଗାଳି ପାତ୍ର, ଗଣି ସାହୁ ପ୍ରମୁଖ ବହୁ ମୁଖିଆ ଲୋକ ।

 

ଲେଲ୍‍ରୁ ଖଲାସ ହୋଇ ଆସିଲା ପରେ ସାଧୁ ସର୍ଦ୍ଦାର ଇତି ମଧ୍ୟରେ ଡାକ୍ତରଖାନା-କୋଠା ତିଆରି କାମ ଶେଷ କରାଇ ଦେଇଛନ୍ତି । ତାହାହିଁ ହୋଇଛି ତାଙ୍କ ଦଳ ସପକ୍ଷରେ ପ୍ରଚାର ପାଇଁ ଏକ ବଡ଼ ଅସ୍ତ୍ର । କେବଳ ତାଙ୍କ ବିରୁଦ୍ଧରେ ବିଶ୍ୱନାଥର ପ୍ରଚାର ଫଳରେ ଟିକିଏ ଅଡ଼ୁଆ ଉପୁଜୁଛି ।

 

ସେଦିନ ରାତି ବାରଟାରେ ମଧୁ ପଟ୍ଟନାୟକଙ୍କ ଘରୁ ଫେରି କାଙ୍ଗାଳି ପାତ୍ର ସାଧୁ ସର୍ଦ୍ଦାରଙ୍କୁ ଏକାନ୍ତରେ କହିଲା–“ମାଛ ଥୋପ ଧରିଛି ଆଜ୍ଞା, ଖାଲି ଗିଳିବା ପାଇଁ ଅପେକ୍ଷା !’’

 

ଏମ୍‍.ଏ. ପରୀକ୍ଷା ଦେଇ ସାରିଲା ପରେ ବିଶ୍ୱନାଥ ସାବିତ୍ରୀ ଦେବୀ ହାଇସ୍କୁଲର ହେଡ଼ମାଷ୍ଟର ରୂପେ ନିଯୁକ୍ତି ପାଇବ । ବର୍ତ୍ତମାନ ତାହାର ପରୀକ୍ଷା ଫିସ୍‍ ଆଦି ଯାବତୀୟ ଖର୍ଚ୍ଚ ସାଧୁ ସର୍ଦ୍ଦାର ବହନ କରିବେ । ତା’ ପରିବର୍ତ୍ତେ ବିଶ୍ୱନାଥ ଆସନ୍ତା ସରପଞ୍ଚ ନିର୍ବାଚନରେ କାହାପାଇଁ ପ୍ରଚାର ନ କରି ନୀରବ ରହିବ । ସାଧୁ ସର୍ଦ୍ଦାର ଏହି ପ୍ରସ୍ତାବ କାଙ୍ଗାଳି ପାତ୍ର ଜରିଆରେ ବିଶ୍ୱନାଥ ପାଖକୁ ପଠାଇଥିଲେ । ପ୍ରସ୍ତାବ ସମ୍ପର୍କରେ ଆଜି ରାତିରେ ଚିନ୍ତା କରି ବିଶ୍ୱନାଥ କାଲି ସକାଳେ ନିଜର ମତାମତ ଜଣାଇବାକୁ କହିଛି ।

 

ସାଧୁ ସର୍ଦ୍ଦାର ମୁଖରେ ଏକ ମାମଲତକାରୀ ହସ ଫୁଟାଇ କହିଲେ–“ମାଛ ଏ ଥୋପକୁ ନ ଗିଳି କ’ଣ ଛାଡ଼ିବ ?’’

 

ବୈଠକଖାନାରେ ବସିଥିବା ସାଧୁ ସର୍ଦ୍ଦାରଙ୍କ ପାଖ-ଲୋକ କେଇ ଜଣ ହସିଉଠିଲେ ।

 

କାଙ୍ଗାଳି ପାତ୍ର ଥଟ୍ଟାରେ କହିଲେ–“ହେଃ…ଏ ସବୁ ପୁଣି ଶିକ୍ଷିତ ପିଲା ! ନିଜକୁ କୁଆଡ଼େ ବିପ୍ଳବୀ, ପ୍ରଗତିଶୀଳ ବୋଲାଉଛନ୍ତି ! ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ବିରୁଦ୍ଧରେ ଏମାନେ ପୁଣି ଲଢ଼େଇ କରନ୍ତି ! ସତ କହୁଛି ଆଜ୍ଞା, ଏମାନେ ପାଠଶାଠ ପଢ଼ି ଏତେ ଫମ୍ପା ଆଉ ହାଲକା ବୋଲି ମୋତେ ଜଣା ନ ଥିଲା ।’’

 

ସତିଆ ଭୋଇ ଯୋଗ ଦେଲା–“ସ୍ୱାର୍ଥ ଅଟଇ ବଡ଼ ଗୁରୁ, ଉଦ୍ଧବ କେତେ ତୁ ପଚାରୁ ? ସ୍ୱାର୍ଥ, ସୁବିଧା-ସୁଯୋଗ ଆଗରେ ଶିକ୍ଷିତ-ଅଶିକ୍ଷିତର ଭେଦଭାବ ଆଉ ଆସିଲା କେଉଁଠୁ ?’’

 

ସାଧୁ ସର୍ଦ୍ଦାର କହିଲେ–“ସାହସପୁର ଗୋପୀ ମିଶ୍ର ଆଉ ମୁଁ କଲେଜରେ ପଢ଼ିଲାବେଳେ ଅଧ୍ୟକ୍ଷଙ୍କୁ ଭୂତେଇ ତିନି ଜଣ ହରିଜନ ପିଲାଙ୍କର ସ୍କଲାରସିପ୍‍ ଟଙ୍କା କିପରି ମାରି ନେଇଥିଲୁଁ, ସେ କଥା ଆଗରୁ ଥରେ କହିଛି । ପୁଣି, ପରୀକ୍ଷା ହଲରେ କପି କରୁଥିଲାବେଳେ ମୋତେ ହଇରାଣ କରିଥିଲା ବୋଲି ଜଣେ ଅଧ୍ୟାପକକୁ କିପରି ଗଳି ରାସ୍ତାରେ ବଜେଇଥିଲି, ସେ କଥା ସବୁ ଖବରକାଗଜ ପୃଷ୍ଠାରେ ରହିଛି । ଆଉ, ଆଜି ଏ ମେଞ୍ଚଡ଼ଟୋକା ବିଶ୍ୱନାଥ ‘କଲେଜ ପିଲା’ ବୋଲି ମୋତେ କ’ଣ ଦେଖେଇ ହେଉଛି ?’’

 

ଏତିକିବେଳେ ଶଙ୍କରା ଜେନା, ନାଥ ମଳିକ ଆସି ପହଞ୍ଚିଲେ । ସେମାନେ ସଞ୍ଜ ପହରୁ ମଙ୍ଗଳପୁରକୁ ଏକ ଅଭିଯାନରେ ଯାଇଥିଲେ । ଅଭିଯାନ ସଫଳ ହୋଇଛି ବୋଲି ସେମାନେ ଆସି ସାଧୁ ସର୍ଦ୍ଦାରଙ୍କୁ ଜଣାଇଲେ । ପାଚିଲା ମୁଗ ଓ ସୋରିଷ ଗଛର ଭାର ଘେନି ଭାରୁଆମାନେ ଠିକଣା ଜାଗାରେ ପହଞ୍ଚି ଯାଇଛନ୍ତି ।

 

ସାଧୁ ସର୍ଦ୍ଦାର କହିବାରେ ଲାଗିଲେ–“ବିଶ୍ୱନାଥ କହୁଛି, ଆମେ ସବୁ କୁଆଡ଼େ ଚୋର, ଡକାୟତ ! ଆରେ, ଚୋରି ନ କରୁଛି କିଏ ? ଚୋରି ବିଦ୍ୟାଟା କ’ଣ ଖରାପ ? ଚଉଷଠି କଳା ମଧ୍ୟରେ ଚୋରି ବିଦ୍ୟା ତ ପୁଣି ସ୍ଥାନ ପାଇଛି ! ମଣିଷ, ସମାଜ ବାନ୍ଧି ରହିଲା ଦିନରୁ ଚୋରି, ନାରୀ, ବାଟପାରି ଇତ୍ୟାଦି ରହିଛି । ଆଜି ତାକୁ ଉଡ଼ାଇ ଦେବ କିଏ ? ଯେ ଉଡ଼ାଇ ଦେବା କଥା ତୁଣ୍ଡରେ ଧରୁଛି, ମୋ ମତରେ ସେଇ ହେଉଛି ବଡ଼ ଚୋର !’’

 

କଥାର ଉଚ୍ଛ୍ୱାସରେ ସାଧୁ ସର୍ଦ୍ଦାର ସାମନା ଟେବୁଲ୍‍ ଉପରେ ଦୁମ୍‍ କରି ବିଧାଟାଏ ମାରିଲେ–“ଏ ଆତ୍ମଶ୍ଳାଘା, ନା ଆତ୍ମଗ୍ଳାନି ? ଆତ୍ମଗ୍ଳାନିକୁ ଆତ୍ମଶ୍ଳାଘାରେ ପରିଣତ କରିବା ପାଇଁ ମଣିଷରୂପୀ ଜାନୁଆର୍‌କୁ ପ୍ରକୃତି ତ ‘ବୁଦ୍ଧି’ ନାମକ ଏକ ବିଶେଷ ଶକ୍ତି ଦାନ କରିଛି ! ତେଣୁ ଆଉ ଚିନ୍ତା କାହିଁକି ।’’

 

କ୍ଷେତ୍ର ଠିକ୍ ପ୍ରସ୍ତୁତ ହୋଇ ରହିଥିଲା । ସରପଞ୍ଚ ନିର୍ବାଚନରେ ବଟ ମହାନ୍ତିଙ୍କୁ ବହୁ ଭୋଟରେ ପରାଜିତ କରି ଜନପ୍ରିୟ ଦେଶସେବକ ସାଧୁ ସର୍ଦ୍ଦାରଙ୍କ ପ୍ରାର୍ଥୀ ଶ୍ରୀ ସତ୍ୟାନନ୍ଦ ଭୋଇ ଜୟଯୁକ୍ତ ହେଲେ ।

Image

 

ସାନ-ବଡ଼ ସମାନ

 

ମନ୍ତ୍ରୀମଣ୍ଡଳର ଏକ ଜରୁରୀ ବୈଠକରେ ସେହି ବହୁ ପ୍ରତ୍ୟାଶିତ ଆଇନ୍‍ଟି ଅନୁମୋଦିତ ହୋଇଯାଇଛି । ଶାସକଦଳ ମଧ୍ୟରେ ଗଭୀର ଆନନ୍ଦ-ଉତ୍ତେଜନା । ବିଧାନସଭା ଅଧିବେଶନରେ ଆଇନ୍‍ଟି ପାସ୍‍ ହୋଇଯିବା ମଧ୍ୟ ନିଶ୍ଚିତ । କାରଣ ବିଧାନସଭାରେ ଶାସକ ଦଳର ପୂର୍ଣ୍ଣସଂଖ୍ୟା ଗରିଷ୍ଠତା ରହିଛି ।

 

ବିରୋଧୀ ଦଳମାନଙ୍କର କାରଣ ଅକାରଣରେ ପ୍ରତିବାଦ କରିବା କଥା; କିନ୍ତୁ ସେମାନେ ବିଧି-ମୁତାବକ ପ୍ରତିବାଦ କରିଥିଲେ । ମୁଖ୍ୟମନ୍ତ୍ରୀ ବିଧାନସଭା ଗୃହରେ ଦୀର୍ଘ ତିନିଘଣ୍ଟା କାଳ ଏକ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇ ବିରୋଧୀ ଦଳମାନଙ୍କର ସମସ୍ତ ଅଭିଯୋଗ ଖଣ୍ଡନ କରିଥିଲେ ଏବଂ ସମଗ୍ର ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏହି ପ୍ରଗତିଶୀଳ ଆଇନ୍‍ଟି ସମର୍ପଣ କରି କହି ଥିଲେ–ପ୍ରକୃତ ସାମ୍ୟବାଦୀ ରାଷ୍ଟ୍ର ଗଠନରେ ସରକାରଙ୍କର ଏହା ଏକ ଦୃଢ଼ ପଦକ୍ଷେପ !

 

ଅବଲୀଳା କ୍ରମେ ଆଇନ୍‍ଟି ବିଧାନସଭାରେ ପାସ୍‍ ହୋଇଗଲା । ପ୍ରକୃତ ସାମ୍ୟବାଦୀ ସମାଜ ଗଠନର ମୂଳଦୁଆ ପଡ଼ିଲା ବୋଲି ଶାସକଦଳର ନେତା ଓ କର୍ମୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ସଭା-ସମିତିମାନ କରି ପ୍ରଚାର କରିବାରେ ଲାଗିଲେ । ଏହି ବିରାଟ ରାଜ୍ୟର ପାଞ୍ଚକୋଟି ନାଗରିକ ସମସ୍ତେ ଏକ–କେହି ବଡ଼ ନୁହନ୍ତି କି କେହି ସାନ ନୁହନ୍ତି–ସମସ୍ତେ ସମାନ । ଏହା ଶୁଣ ଜନସାଧାରଣଙ୍କ ମଧ୍ୟରେ ଏକ ଶିହରଣ ଖେଳିଗଲା ଯେପରି !

 

ସମଗ୍ର ଜନସାଧାରଣଙ୍କର ପ୍ରତିନିଧି ହେଉଛନ୍ତି–ଅଢ଼େଇଶହ ବିଧାନସଭା ସଦସ୍ୟ । ସେମାନଙ୍କର ପ୍ରତିନିଧି–ମନ୍ତ୍ରୀମଣ୍ଡଳର ବାଇଶ ଜଣ ସଭ୍ୟ । ସେମାନଙ୍କର ପ୍ରତିନିଧି–ଜଣେ ମୁଖ୍ୟମନ୍ତ୍ରୀ । ତେଣୁ ସମଗ୍ର ରାଜ୍ୟରେ ଏକମାତ୍ର ମୁଖ୍ୟମନ୍ତ୍ରୀ ହିଁ ବଡ଼ ହୋଇପାରନ୍ତି । ରାଜ୍ୟର ପାଞ୍ଚକୋଟି ଲୋକ ତାଙ୍କ ସହିତ ସମାସ୍କନ୍ଧ ହେବେ ; କିମ୍ବା ତାଙ୍କଠାରୁ ସାନ ହେବେ, କିନ୍ତୁ କେବେହେଲେ ବଡ଼ ହୋଇ ପାରିବେ ନାହିଁ ।

 

ତେଣୁ ସେହି ପ୍ରଗତିଶୀଳ ଆଇନରେ ବ୍ୟବସ୍ଥା ଥିଲା ଯେ, ମୁଖ୍ୟମନ୍ତ୍ରୀଙ୍କର ଉଚ୍ଚତା ପାଞ୍ଚଫୁଟ୍‍ ଛ’ଇଞ୍ଚ । ରାଜ୍ୟର କୌଣସି ବ୍ୟକ୍ତି ଏହି ପାଞ୍ଚଫୁଟ୍‍ ଛ’ଇଞ୍ଚରୁ ବେଶୀ ବଡ଼ ହୋଇପାରିବ ନାହିଁ । କେହି ବଡ଼ ହେଲେ, ସେ ଆଇନ୍-ଅନୁଯାୟୀ ଦଣ୍ଡ ପାଇବ । କାରଣ ରାଜ୍ୟର ସାମ୍ୟବାଦୀ ନୀତିର ସେ ବିରୁଦ୍ଧାଚରଣ କରୁଛି ।

 

ସୌଭାଗ୍ୟବଶତଃ ମନ୍ତ୍ରୀମଣ୍ଡଳର ସମସ୍ତ ସଭ୍ୟଙ୍କର ଉଚ୍ଚତା ପାଞ୍ଚଫୁଟ୍‍ ଛ’ଇଞ୍ଚରୁ ଊଣା ଥିଲା ଏବଂ ସମସ୍ତ ବିଧାନସଭାର ସଦସ୍ୟ ଉଚ୍ଚତାରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ବଡ଼ ନଥିଲେ । ବିରୋଧୀ ଦଳର ନେତା ଶ୍ରୀଯୁକ୍ତ ଜଗନ୍ନାଥ ପଟ୍ଟନାୟକ ଉଚ୍ଚତାରେ ଠିକ୍‍ ପାଞ୍ଚଫୁଟ ଛ’ଇଞ୍ଚ ଥିବାରୁ କୌଣସି ମତେ ସେହି ଆଇନ୍‍ କବଳରୁ ରକ୍ଷା ପାଇଗଲେ ।

 

କିନ୍ତୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶହ ଶହ ନରନାରୀ ଯେଉଁମାନଙ୍କର ଉଚ୍ଚତା ପାଞ୍ଚଫୁଟ ଛ’ଇଞ୍ଚରୁ ଅଧିକ ଥିଲା, ସେମାନେ ପୋଲିସ୍‍ ଦ୍ୱାରା ଧରା ହୋଇଗଲେ । ଏପରିକି ଶାସକ ଦଳର କେତେ କର୍ମୀ ମଧ୍ୟ ଏଇ ଆଇନ୍‍ ହାତରୁ ଖସି ଯାଇ ପାରିଲେ ନାହିଁ ।

 

ଆଇନ୍ ଅଦାଲତରେ ସେମାନଙ୍କର ବିଚାର ହେଲା । ବିଚାରରେ ପ୍ରାୟ ସମସ୍ତେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‍ଦଣ୍ଡ ଭୋଗିଲେ । ଜେଲରେ ପଶିଲା ପରେ ଆଉ ସେହି ହତଭାଗା ହତଭାଗିନୀମାନଙ୍କର କୌଣସି ସମ୍ବାଦ ମିଳିଲା ନାହିଁ । ରାଜ୍ୟର ସୁଦୃଢ଼ ସାମ୍ୟବାଦୀ ସମାଜ ପ୍ରତିଷ୍ଠା ପାଇଁ ସେମାନେ ଆତ୍ମୋତ୍ସର୍ଗ କରିଛନ୍ତି ବୋଲି ଚାରିଆଡ଼େ ପ୍ରଚାରିତ ହୋଇଗଲା ।

 

ନିଜ ନିଜ ଶିଶୁ ଓ ତରୁଣୀ ବୟସର ସନ୍ତାନ-ସନ୍ତତିଙ୍କୁ ଘେନି ବାପ-ମାଆମାନେ ବଡ଼ ଅଡ଼ୁଆରେ ପଡ଼ିଲେ । ପିଲାମାନେ ଯେପରି ପାଞ୍ଚଫୁଟ ଛ’ଇଞ୍ଚରୁ ଅଧିକ ଉଚ୍ଚ ନ ହୁଅନ୍ତି, ସେଥିପାଇଁ ଅନେକ ଡାକ୍ତର ପରାମର୍ଶ କରିବାରେ ଲାଗିଲେ ।

 

କେତେକ ଯୁବକ-ଯୁବତୀ ଭୟରେ ଆତ୍ମଗୋପନ କଲେ । କେହି କେହି ଆଇନ୍‍କୁ ଏଡ଼ାଇବା ପାଇଁ ରାଜ୍ୟଛାଡ଼ି ବିଦେଶକୁ ପଳାଇଗଲେ । ତୁଷାନଳ ପରି ସମଗ୍ର ରାଜ୍ୟର କ୍ରମବର୍ଦ୍ଧିଷ୍ଣୁ ଯୁବ-ସମାଜ ମଧ୍ୟରେ ଭୟ ଓ ଆତଙ୍କ କୁହୁଳିବାରେ ଲାଗିଲା ।

 

ସମାଜରେ ସାମ୍ୟବାଦ ପ୍ରତିଷ୍ଠା କ’ଣ ସହଜ କଥା ?

 

ମୁଖ୍ୟମନ୍ତ୍ରୀ ବେତାର ଭାଷଣ ଜରିଆରେ ପୁଣି ଥରେ ଜନସାଧାରଣଙ୍କୁ ଚେତାଇ ଦେଲେ–ସାମ୍ୟବାଦ ପ୍ରତିଷ୍ଠାପାଇଁ ବହୁ ସାଧ୍ୟ-ସାଧନା ଲୋଡ଼ା–ବହୁ ତ୍ୟାଗ, ବହୁ ଆତ୍ମବଳି ଆବଶ୍ୟକ । ପ୍ରଥମେ ରାଜ୍ୟର ସମସ୍ତେ ସମାନ ହେବା ବଡ଼କଥା । ଆଇନ୍‍ ବଳରେ ସମାଜରେ ବଡ଼-ସାନ, ଉଚ୍ଚ-ନୀଚ ଭେଦ ଲୋପ ପାଇଗଲେ, ଆମ୍ଭେମାନେ ଯାଇ ସେହି ସମ୍ୟବାଦ-ସ୍ୱର୍ଗରେ ପହଞ୍ଚି ପାରିବା ।

 

ପାଇକପଡ଼ା ଗ୍ରାମର ଶ୍ରୀ ହରିହର ସେନାପତି ବହୁଦିନ ହେଲା କୁଆଡ଼େ ଲୁଚି ଲୁଚି ବୁଲୁଛନ୍ତି । ଥାନାରୁ ପୋଲିସ୍‍ ଆସି ତାଙ୍କୁ କେତେଥର ଖୋଜିଗଲାଣି । କିନ୍ତୁ ତାଙ୍କ ପତ୍ତା ମିଳୁ ନାହିଁ-। ପୋଲିସ୍‍ ଖବର ପାଇଛି–ଶ୍ରୀ ସେନାପତିଙ୍କର ଉଚ୍ଚତା କୁଆଡ଼େ ପାଞ୍ଚଫୁଟ ଆଠଇଞ୍ଚ ।

 

ସେଦିନ ସକାଳବେଳା ପାଇକପଡ଼ା ଗ୍ରାମ ମୁଣ୍ଡର ହରିଜନ ବସ୍ତିକୁ ପୋଲିସ୍‍ ଆସି ଘେରାଉ କରିନେଲେ । ପୋଲିସ୍‍ର ସତର୍କ ଦୃଷ୍ଟି ଏଡ଼ାଇ ଶ୍ରୀ ସେନାପତି ଆଉ କେତେ ଦିନ ଆତ୍ମଗୋପନ କରି ରହିପାରନ୍ତେ ।

 

ପ୍ରତିଦିନ ପରି ସେଦିନ ମଧ୍ୟ ରାତି ପାହାନ୍ତାରୁ ଉଠି ସେନାପତି ସ୍ନାନ ଶୌଚାଦି ନିତ୍ୟକର୍ମ ଶେଷ କରିଥିଲେ । ଗୀତା, କୋରାନ୍‍ ଓ ବାଇବେଲରୁ କିଛି କିଛି ଅଂଶ ପଢ଼ିସାରି ସେ ହରିଜନ ବସ୍ତିର ସେହି ଅନ୍ଧାରୁଆ ଝାଟିମାଟି କାନ୍ଥର ଚାଳଘରେ ବସି କ’ଣ ଲେଖୁଥିଲେ । ଆଗରେ ତାଙ୍କର ଜଳୁଥିଲା ଏକ ନିଷ୍ପ୍ରଭ ମହମବତୀ ।

 

ପୋଲିସ୍‍ର ଲକ୍ଷ୍ୟ ଅବ୍ୟର୍ଥ ।

 

ଆଉ ସମୟ ନଥିଲା । ପୋଲିସ୍‍ ଆସିବା ଖବର ପାଇବା ମାତ୍ରେ ଶ୍ରୀ ସେନାପତି ଆତ୍ମଗୋପନ କରିବାର କୌଣସି ଉପାୟ ନ ଦେଖି ଏକ ଅଦ୍ଭୁତ କାଣ୍ଡ କରି ବସିଲେ । ହରିଜନ ବନ୍ଧୁମାନଙ୍କର ମନା ମାନିଲେ ନାହିଁ । ଏହା ଯେପରି ତାଙ୍କର ପୂର୍ବକଳ୍ପିତ ହୋଇ ରହିଥିଲା ।

 

ପୋଲିସ୍‍ ଆସି ତାଙ୍କ ପାଖରେ ପହଞ୍ଚିଲା ବେଳକୁ ସେ ପ୍ରାୟ ସଂଜ୍ଞାହୀନ ହୋଇ ପଡ଼ିଥିଲେ । ଘର ଚଟାଣରେ ତାଜା ଲାଲ-ରକ୍ତର ଧାର ଛୁଟିଥିଲା । ତାଙ୍କର ଦୁଇଟିଯାକ ପାଦ ବଳାଗଣ୍ଠି ଉପରୁ କଟାଯାଇ ଅଲଗା ହୋଇ ପଡ଼ିଥିଲା । ଟାଣ ହାତମୁଠାରେ ରହିଥିଲା ଧାରୁଆ ରକ୍ତବୋଳା ଖଣ୍ଡିଏ ଛୁରା ।

 

ସେହି ଅବସ୍ଥାରେ ପୋଲିସ୍‍ ତାଙ୍କୁ ବାନ୍ଧି ଘେନିଗଲା । କେବଳ ପାଇକପଡ଼ା ଗ୍ରାମର ନୁହେଁ, ସେଦିନ ସେ ଖଣ୍ଡମଣ୍ଡଳରେ ହରିହର ସେନାପତିଙ୍କ ଲାଗି ହା-ହାକାର ପଡ଼ିଗଲା । ବୁଢ଼ା-ବୁଢ଼ୀମାନେ ଆଖିରୁ ଲୁହଗଡ଼ାଇ କହିବାରେ ଲାଗିଲେ–ସେ କାହାର କ’ଣ କ୍ଷତି କରୁଥିଲା ? ନିଜର ଲେଖାପଢ଼ା, ରୋଗୀସେବା, ଗାଁ ଲୋକଙ୍କ ଭଲମନ୍ଦ ଘେନି ତ ସେ ପଡ଼ିଥିଲା ! ସରଳ ପରୋପକାରୀ ପଣ୍ଡିତ ଲୋକଟା ପ୍ରତି କାହିଁକି ଏ ଦଣ୍ଡ ?

 

ସୁସ୍ଥ ହେଲା ପରେ ଶ୍ରୀ ସେନାପତିଙ୍କୁ ଯେତେବେଳେ ଆଇନ୍‍ ଅଦାଲତରେ ହାଜର କରାଗଲା, ହାକିମ ତାଙ୍କୁ ଅନେକ କଥା ପଚାରିଥିଲେ । ଶ୍ରୀ ସେନାପତି ମଧ୍ୟ ହାକିମକୁ ଯଥାଯଥ ଉତ୍ତର ଦେଇଥିଲେ ! ତହିଁର ପ୍ରଧାନ ପ୍ରଧାନ କଥାଗୁଡ଼ିକ ହେଉଛି ଏହିପରି ।

 

ହାକିମ–ଆପଣଙ୍କର ଉଚ୍ଚତା କେତେ ?

 

ସେନାପତି–ପାଞ୍ଚଫୁଟ ପାଞ୍ଚଇଞ୍ଚ ।

 

ହାକିମ–ଏହି ଉଚ୍ଚତା ପାଦଯୋଡ଼ିକ କଟାହେବା ପୂର୍ବରୁ, ନା ପରେ ?

 

ଶ୍ରୀ ସେନାପତି ନୀରବ ରହିଥିଲେ ।

 

ହାକିମ–ଦେଖନ୍ତୁ, ରାଜ୍ୟରେ ସାମ୍ୟବାଦ ପ୍ରତିଷ୍ଠା କରିବା ସରକାରଙ୍କ ଲକ୍ଷ୍ୟ । ସେଥିପାଇଁ ପ୍ରଗତିଶୀଳ ଆଇନ୍‍ ଚାଲୁ ରହିଛି । ଆପଣ କିପରି ସମସ୍ତଙ୍କଠାରୁ ନିଜକୁ ବଡ଼ ବୋଲାଇ…

 

ଶ୍ରୀ ସେନାପତି ହାକିମଙ୍କ କଥାରେ ବାଧାଦେଇ କହି ଉଠିଲେ–ପ୍ରକୃତ ସମ୍ୟବାଦ ଗୋଡ଼ରେ ନଥାଏ, ଥାଏ ମଥାରେ । ପ୍ରକୃତ ସାମ୍ୟବାଦ ଧନରେ ନଥାଏ, ଥାଏ ମନରେ । ଲୋକ ଦେଖାଣିଆ ତୁଚ୍ଛା ଆଚାରରେ ନୁହେଁ, ସତ୍ୟ ବିଚାରରେ ସମସ୍ତେ ସମାନ ହେବାହିଁ ବଡ଼କଥା !

 

ତା’ପରେ–ହାକିମଙ୍କ ବିଚାରରେ ଶ୍ରୀ ସେନାପତିଙ୍କୁ ଜେଲଦଣ୍ଡ ଆଦେଶ ହୋଇଗଲା ।

 

ଦଶବର୍ଷ ପରେ ଯେତେବେଳେ ଅନ୍ୟ ଏକ ରାଜନୈତିକ ଦଳ ଶାସକ କ୍ଷମତାକୁ ଆସିଲେ–ରାଜ୍ୟରେ ଯେତେବେଳେ ନୂତନ ମନ୍ତ୍ରୀମଣ୍ଡଳ ଦାୟିତ୍ୱ ଗ୍ରହଣ କଲେ, ସେତେବେଳେ ଦେଖାଗଲା–ଜେଲରେ ଗୋଡ଼ଖଣ୍ଡିଆ ହରିହର ସେନାପତି ସେ ପର୍ଯ୍ୟନ୍ତ ଜୀବିତ ଅଛନ୍ତି । ସେ ହେଉଛନ୍ତି ଏକମାତ୍ର ବ୍ୟକ୍ତି, ଯେ କି ରାଜ୍ୟରେ ସୁଦୃଢ଼ ସାମ୍ୟବାଦୀ ସମାଜ ପ୍ରତିଷ୍ଠା ପାଇଁ ଆତ୍ମୋତ୍ସର୍ଗ କରିନାହାନ୍ତି ।

Image

 

‘ଓଡ଼ିଆ’ ଏକ ଓଟର ନାମ

 

ସେମାନଙ୍କୁ ଆପଣ ଜାଣନ୍ତି–ରାମ, ଶାମ, ଯଦୁ, ମଧୁ, ଇତ୍ୟାଦି । ସେମାନେ ସବୁ ଆପଣଙ୍କ ନିଜର ଲୋକ–ଜ୍ଞାତି କୁଟୁମ୍ବ । ହୁଏତ ଆପଣ ନିଜେ ସେମାନଙ୍କ ମଧ୍ୟରୁ ଜଣେ ହୋଇପାରନ୍ତି ।

 

ରାମ କହନ୍ତି–ଆମ ଦେଶ ସୁଜଳା ସୁଫଳା ।

 

ଶାମ ମତ ଦିଅନ୍ତି–ପୁଣି ନାନାପ୍ରକାର ଖଣିଜ ସମ୍ପଦରେ ଭରା ଏ ରାଜ୍ୟ ।

 

ଯଦୁ ପ୍ରକାଶ କରନ୍ତି–କେବଳ ସେତିକି ନୁହେଁ–ଶକ୍ତି, ସାହସ, ଜ୍ଞାନ, ଗରିମା, ଧର୍ମ, ସଂସ୍କାର, ସବୁଥିରେ ଆମେ ଅଗ୍ରଗାମୀ ।

 

ମଧୁ ଯୋଗ ଦିଅନ୍ତି–ସମଗ୍ର ପୃଥିବୀରେ ଆମେ ସବୁଠାରୁ ବଡ଼ । ଆମର ବଡ଼ଦାଣ୍ଡ, ମହୋଦଧି, ମହେନ୍ଦ୍ରଗିରି, ମହାନଦୀ, କବିସମ୍ରାଟ–କେହି କ୍ଷୁଦ୍ର ନୁହଁନ୍ତି ।

 

ଦିନ ପରେ ଦିନ–ମାସ ପରେ ମାସ ବୈଠକଖାନାର ଆରାମଚେୟାରରେ ବସି ସେମାନେ ଏହିପରି ଚର୍ଚ୍ଚା କରନ୍ତି–ଦେଶ ଓ ଜାତି ବିଷୟରେ ଗୁରୁଗମ୍ଭୀର ଚିନ୍ତା କରନ୍ତି । ବିଜୁଳିପଙ୍ଖାର ଥଣ୍ଡାପବନରେ ମଧ୍ୟ ସେମାନଙ୍କ ମଥା ଗରମ ହୋଇଯାଏ । କେତେବେଳେ ଗରମ କଫି, କେତେବେଳେ ବା ବରଫ ସରବତ୍‍ ଖାଉଥିଲେ ମଧ୍ୟ ସେମାନଙ୍କ ମନ-ମେଜାଜ୍‍ ଠିକ୍‍ ରହିପାରେ ନା ।

 

ଯଦୁ ପଚାରନ୍ତି–ଆମ ଦେଶ ସୁଜଳା ସୁଫଳା ସତ୍ୟ, ତଥାପି ଆମଦେଶରେ ଖାଦ୍ୟାଭାବ ପଡ଼ୁଛି କାହିଁକି ?

 

ମଧୁ ଯୋଗ ଦିଅନ୍ତି–ଠିକ୍‍କଥା । ଦେଶ ସୁଜଳାସୁଫଳା ହୋଇ ମଧ୍ୟ–ଖଣିଜସମ୍ପଦରେ ପରିପୂର୍ଣ୍ଣ ଥାଇ ମଧ୍ୟ ଆମର ଅଭାବ ଅନାଟନ ଘୁଞ୍ଚୁ ନାହିଁ–ଆମର ଦାରିଦ୍ର୍ୟ ଦୂର ହୋଇପାରୁ ନାହିଁ-। ବିଦେଶରୁ ଖାଦ୍ୟଶସ୍ୟ ଆସିଲେ ଯାଇ ଆମ ପେଟରେ ଦାନା ପଡ଼ୁଛି–ବାହାରୁ ତେଲ ଆସିଲେ ଯାଇ ଆମ ଘରେ ଆଲୁଅ ଜଳୁଛି ।

 

ରାମ କହନ୍ତି–ହଁ, ଏକ ସ୍ୱର୍ଣ୍ଣପ୍ରସୂ ଭୂମିରେ କିଛି ଅଭାବ ନାହିଁ ସତ୍ୟ; କିନ୍ତୁ ଦେଖୁଛନ୍ତି ତ–ଦେଶରେ ଭଲମନ୍ଦ, ଦୈବୀ–ଦୁର୍ବିପାକ ବରାବର ଲାଗି ରହିଛି । ତେଣୁ ବାହାରୁ ଧାର କରଜ କରି, କିମ୍ବା ଦାନ ଆଣି, ଆମର ସାମୟିକ ଅଭାବ ଅସୁବିଧା ମେଣ୍ଟାଇବାରେ କ୍ଷତି କ’ଣ ?

 

ଶାମ ମତ ପ୍ରକାଶ କରନ୍ତି–ଆପଣମାନେ ଯାହା କୁହନ୍ତୁ ପଛକେ, ସବୁ ଆମ ସରକାରଙ୍କ ଦୋଷ । ଏତେ କଷ୍ଟରେ ଭୋଟ ଦେଇ ଆମେ ଯେଉଁମାନଙ୍କୁ ଶାସନ-କାର୍ଯ୍ୟ ଚଳାଇବା ଲାଗି ପଠାଇଲୁଁ, ସେମାନେ ଆଉ କଲେ କ’ଣ ? ଆପେ ବଞ୍ଚିଲେ ବାପର ନାମ । ନିଜର ସୁଖ-ସୁବିଧା ସବୁ ନିଜେ କରିନେଲେ । ଦେଶ ଓ ଜାତିର ଉନ୍ନତି କଥା ସେମାନେ ଏକାବେଳକେ ପାସୋରି ଦେଲେ । ଆମର ଦୁଃଖ-ଦୁର୍ଦ୍ଦଶା ଘୁଞ୍ଚାଇ ପାରିଲେ ନାହିଁ ।

 

କିଛିକ୍ଷଣ ନୀରବତା ମଧ୍ୟରେ କଟିଗଲା । ଦେଶର ସକଳ ପ୍ରକାର ଦୁର୍ଗତିପାଇଁ ଯେ ସରକାର ଦାୟୀ–ଏହିକଥାର ଉପଲବ୍ଧିପାଇଁ ସେ ନୀରବତା ଯେପରି ଲୋଡ଼ା ପଡ଼ୁଥିଲା ।

 

ରାମ, ଶାମ, ଯଦୁ, ମଧୁ ଇତ୍ୟାଦି ଆଲୋଚନା ଶେଷରେ ଏକମତ ହେଲେ ଯେ–ଦେଶର ଉନ୍ନତିପାଇଁ, ଜନସାଧାରଣଙ୍କ ମଙ୍ଗଳ ପାଇଁ ଶାସନକଳକୁ ଆହୁରି କାର୍ଯ୍ୟ କରିବାକୁ ହେବ–ସରକାରଙ୍କୁ ଅଧିକ ସତର୍କ ରହିବାପାଇଁ ପଡ଼ିବ ।

 

ଡିସେମ୍ବର ମାସର ଶୀତ–ଥୁରୁ ଥୁରୁ ରାତି । ସରକାରଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ଘମାଘୋଟ ଆଲୋଚନାରେ ଲାଗିଛନ୍ତି ସମସ୍ତେ–ରାମ, ଶାମ, ଯଦୁ, ମଧୁ ଇତ୍ୟାଦି । ରାତି ଆସି ଦଶଟା ବାଜିଲାଣି । ଭୋକ ଲାଗୁଥିଲେ ହେଁ ନୈଶଭୋଜନକୁ ଯିବାଲାଗି ସମସ୍ତେ କୁଣ୍ଠିତ !

 

ରାମ କହିଲେ–ଏ ଶୀତରାତିରେ ଖାଇବା କାମଟା ବଡ଼ କଷ୍ଟକର । ଖାଇବା ଥାଳିରୁ ନିଜହାତରେ ରୋଟି ବା ଭାତଗୁଣ୍ଡା ନେଇ ପାଟି ପାଖରେ ପହଞ୍ଚାଇବା କି ମୁସ୍କିଲ !

 

ଶାମ ଯୋଗ ଦେଲେ–କେବଳ ଶୀତଦିନେ କାହିଁକି, ଖରାଦିନେ ମଧ୍ୟ । ଖରାଦିନେ ଝାଳନାଳ ହୋଇ ଖାଇବା କାମଟା ଭାରି ଖରାପ ଲାଗେ ।

 

ଯଦୁ ମତ ଦେଲେ–ବିଶେଷତଃ ଏଇ ଶୀତ ଆଉ ଖରାଦିନରେ କେହି ଜଣେ ଆମକୁ ଖୁଆଇ ଦେବା ଦରକାର ।

 

ମଧୁ ପ୍ରକାଶ କଲେ–ଏ ଦିଗରେ କ’ଣ ସରକାରଙ୍କର କିଛି କର୍ତ୍ତବ୍ୟ ନାହିଁ ? ଦେଶବାସୀଙ୍କୁ ଖୁଆଇ ଦେବାଲାଗି ସରକାର ସମୁଚିତ ବ୍ୟବସ୍ଥା କରିବା ଆବଶ୍ୟକ । ଧରନ୍ତୁ, ନାରୀମାନଙ୍କୁ ଯଦି ସରକାର ଏଇ ଖୁଆଇଦେବା କାର୍ଯ୍ୟରେ ନିଯୁକ୍ତ କରନ୍ତେ, ତାହାହେଲେ ଜନସାଧାରଣଙ୍କର ତ ଉପକାର ହୁଅନ୍ତା; ସଙ୍ଗେ ସଙ୍ଗେ ଦେଶର ନାରୀସମାଜ ମଧ୍ୟରେ ବର୍ତ୍ତମାନ ଦେଖା ଦେଇଥିବା ବେକାର-ସମସ୍ୟାର ମଧ୍ୟ ସମାଧାନ ହୋଇପାରନ୍ତା ।

 

ପ୍ରସ୍ତାବଟି ସମସ୍ତଙ୍କର ପସନ୍ଦ ହେଲା । ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏହି ପ୍ରସ୍ତାବଟି ଏକ ଖୋଲା ଚିଠିଜରିଆରେ ପଠାଇବା ପାଇଁ ସେଦିନ ସର୍ବସମ୍ମତି କ୍ରମେ ସ୍ଥିର କରାଗଲା ।

 

ଦେଶର ଦୁର୍ଗତି, ଆଉ ଜାତିର ଦୁର୍ଭାଗ୍ୟ ! ଦିନକୁଦିନ ସେମାନଙ୍କର ଦୁର୍ଦ୍ଦଶା, ଅଭାବ-ଅସୁବିଧା ବୃଦ୍ଧି ପାଇବାରେ ଲାଗିଲା । ବଡ଼ ଦହଗଞ୍ଜରେ–ଦୟନୀୟ ଅବସ୍ଥାରେ ସେମାନେ କାଳକାଟିବାରେ ଲାଗିଲେ–ରାମ, ଶାମ, ଯଦୁ, ମଧୁ ଇତ୍ୟାଦି ସମସ୍ତେ ।

 

ଶେଷରେ, ସେମାନେ ଘରଦ୍ୱାର ଛାଡ଼ି କୌଣସି ଜୀବିକା ଅନ୍ୱେଷଣରେ ବାହାରିବାକୁ ବାଧ୍ୟ ହେଲେ ।

 

ଦକ୍ଷିଣଦିଗ ଅଭିମୁଖେ ସେମାନଙ୍କର ଯାତ୍ରା ଆରମ୍ଭ ହେଲା । ବହୁକଷ୍ଟ ସହି–ସବୁ ବାଧା-ବିଘ୍ନ ଅତିକ୍ରମ କରି ସେମାନେ ଯାଇ ଯେତେବେଳେ ଋଷିକୁଲ୍ୟା ନଦୀକୂଳରେ ପହଞ୍ଚିଲେ, ସେତେବେଳକୁ ସେମାନେ ବଡ଼ ଶ୍ରାନ୍ତକ୍ଳାନ୍ତ ଓ ହତାଶ ହୋଇ ପଡ଼ିଥିଲେ । ସେତେବେଳେ ପୁଣି ଋଷିକୂଲ୍ୟା ଦୁଇକୂଳ ଖାଇ ବହି ଚାଲିଛି ।

 

ଯଦୁ କହିଲେ–ଆଃ…ବଡ଼ କଷ୍ଟ । ଆଉ କେତେଦିନ ଏ ନିରୁଦ୍ଦେଶ ଯାତ୍ରା ?

 

ମଧୁ ଯୋଗ ଦେଲେ–ହଁ, ଏ ଭରାନଈଟା ପୁଣି ପାରି ହେବା କିପରି ? ଋଷିକୂଲ୍ୟା ପାରି ହୋଇଗଲେ, ସେପାଖରେ ଯେ ଆମ୍ଭେମାନେ ସୁଖରେ ରହିବା, ତାହାର ତ କୌଣସି ସୂଚନା ମିଳୁନାହିଁ !

 

ରାମ ପ୍ରକାଶ କଲେ–ମୋର ଖାଲି ଘରକଥା ମନେ ପଡ଼ୁଛି । ଅଭାବ-ଅସୁବିଧା ଥାଉ ପଛକେ, ସ୍ତ୍ରୀଙ୍କର ସେ ଆଦର, ସୋହାଗ–ଘରର ସେ ସୁଖଶାନ୍ତି, ଆଉ କ’ଣ ଏଆଡ଼େ ମିଳିବ ?

 

ଶାମ ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇଦେଲେ–ନା, ଚାଲନ୍ତୁ ଫେରିଯିବା !

 

ଦକ୍ଷିଣଦିଗରୁ ସେମାନେ ଫେରିଆସିଲେ–ରାମ, ଶାମ, ଯଦୁ, ମଧୁ ଇତ୍ୟାଦି ସମସ୍ତେ ।

 

କିଛିଦିନ ପରେ ସେମାନେ ପୁଣି ଉତ୍ତରଦିଗ ଅଭିମୁଖେ ବହିର୍ଗତ ହେଲେ । ସେହିପରି କଷ୍ଟ ସହି, କେତେ ବାଧାବିଘ୍ନ ଅତିକ୍ରମ କରି ସେମାନେ ଯାଇ ଧୀରେ ସୁସ୍ଥେ ସୁବର୍ଣ୍ଣରେଖା ନଦୀକୂଳରେ ଉପସ୍ଥିତ ହେଲେ । ସେମାନଙ୍କର ସୌଭାଗ୍ୟକୁ ସୁବର୍ଣ୍ଣରେଖା ସେତେବେଳେ ଶୁଖିଲା ଥିଲା । ଆଖି ଆଗରେ ବାଲି, ଆଉ ବାଲି । ଆରକୂଳକୁ ଲାଗି ଭୀରୁ-ମନ୍ଥର ମରୁନଦୀ ଭଳି କ୍ଷୀଣ ଜଳଧାରଟିଏ–ସେମାନଙ୍କ ନିକଟରେ ହୁଏତ ଅଦୂରର ଆଶା–ବୈତରଣୀ !

 

ସେହି ବାଲୁକା-ବିସ୍ତାର କୌଣସିମତେ ପାରି ହୋଇ ସେମାନେ ଯେତେବେଳେ ଆଗକୁ ଚାଲିଥିଲେ, ପଥମଧ୍ୟରେ ହଠାତ୍‍ ଗୋଟିଏ ବାଘ ଆସି ସେମାନଙ୍କର ବାଟ ଓଗାଳିଲା । ମହାବଳ ବାଘ । ମଣିଷ-ରକ୍ତ ଚାଖିଛି କି ନା–କିଏ ଜାଣେ ? କିନ୍ତୁ ତାହାର ଗର୍ଜନ-ତର୍ଜନରେ ସେମାନେ ଭୟରେ ଅସ୍ତବ୍ୟସ୍ତ ହୋଇ ପଡ଼ିଲେ–ରାମ, ଶାମ, ଯଦୁ, ମଧୁ ଇତ୍ୟାଦି ସମସ୍ତେ ।

 

ଉତ୍ତରାପଥ ସେମାନଙ୍କ ପାଇଁ ରୁଦ୍ଧ ବୋଲି ଅନୁଭୂତ ହେଲା । ଅଗତ୍ୟା ପ୍ରାଣ ବଞ୍ଚାଇ ସେମାନେ ଘରମୁହାଁ ଫେରି ଆସିଲେ । ଜୀବିକା ଅନ୍ୱେଷଣରେ ଘରଦ୍ୱାର ଛାଡ଼ି ଆଉ ସେମାନେ ବାହାରକୁ ଯିବା ଲାଗି ମନ ବଳାଇଲେ ନାହିଁ ।

 

ସେଦିନ ଏକ ଅଳସ ଅପରାହ୍‍ଣରେ ସେମାନେ ଘରବାରଣ୍ଡାରେ ବସି ଆପଣା ଦେଶ ଓ ଜାତି ବିଷୟରେ ନାନାକଥା ଆଲୋଚନା କରୁଛନ୍ତି, ଏତିକିବେଳେ ପାଣିପାଗ ପ୍ରତିକୂଳ ହୋଇଉଠିଲା ।

 

ରାମ କହିଲେ–ଏଇତ, ଆକାଶ ମେଘାଚ୍ଛନ୍ନ ହୋଇ ଗଲାଣି । ଈଶାନ କୋଣରୁ ଝଡ଼-ବତାସ ବହିଲାଣି ।

 

ଶାମ ଯୋଗ ଦେଲେ–ହଁ, ଏ ବଡ଼ ଅଶୁଭ ଲକ୍ଷଣ । ଆମେ ସବୁ କରିବା କ’ଣ ?

 

ଯଦୁ କହିଲେ–ଝଡ଼ବତାସ ଆସୁ, ସେଥିପାଇଁ ଏତେ ଚିନ୍ତା କାହିଁକି ? ପାଖରେ ତ ଦିନେ ଓଳିଏ ଚଳିବାପାଇଁ ଖାଦ୍ୟଦ୍ରବ୍ୟ ରହିଛି । ଚାଲନ୍ତୁ, ଦୁଆର ଝରକା ବନ୍ଦ କରି ଘରଭିତରେ ଆରାମରେ ଶୋଇପଡ଼ିବା !

 

ମଧୁ ପରାମର୍ଶ ଦେଲେ–ନାହିରେ ଟିକିଏ ଟିକିଏ ତେଲ ଦେଇ ଶୋଇଲେ, ବଢ଼ିଆ ନିଦ ହୁଅନ୍ତା !

 

ନିମିଷକ ମଧ୍ୟରେ ଘୁଙ୍ଗୁଡ଼ି ମାରି ସେମାନେ ନିଘୋଡ଼ ନିଦରେ ଶୋଇପଡ଼ିଲେ–ରାମ, ଶାମ, ଯଦୁ, ମଧୁ, ଇତ୍ୟାଦି ସମସ୍ତେ ।

 

ଆପଣଙ୍କ ମଧ୍ୟରୁ କେହି କହି ପାରିବେ କି–ସେମାନଙ୍କର ନିଦ କେବେ ଭାଙ୍ଗିବ ?

Image

 

ଗୋଟିଏ ଗଳ୍ପର ଖସଡ଼ା

 

ଗଳ୍ପର ନାମକରଣ କ’ଣ ହୋଇପାରେ ? ଗଳ୍ପଟି ପଢ଼ିସାରିଲା ପରେ ଆପଣ ତାହା ଭାବି ଦେଖିବେ । ଅନ୍ତତଃ ବର୍ତ୍ତମାନ ପାଇଁ ଗଳ୍ପର ନାମକରଣ ହେଉ–‘ଠିକାଦାର୍’ ।

 

ଗଳ୍ପର ସ୍ଥାନ–ରବିତଳ ।

 

ଗଳ୍ପର କାଳ–ନିତ୍ୟପ୍ରବୃତ୍ତ ବର୍ତ୍ତମାନ ।

 

ଏବଂ ଗଳ୍ପର ପାତ୍ର–ଶ୍ରୀ ଗଣନାଥ ପଣ୍ଡା ।

 

ଏବେ ଗଳ୍ପଟି ଆଡ଼େ ଅବଧାନ ହେଉ !

 

ବହୁଦିନ ହେଲା ଗଣନାଥ ବାବୁ ନିଜ ଅଞ୍ଚଳରେ ଜନସେବା କାର୍ଯ୍ୟରେ ଜୋକପରି ଲାଗି ରହିଛନ୍ତି । ଦେଶକୁ ସ୍ୱାଧୀନ କରିବା ଲାଗି ସଙ୍କଳ୍ପ କରି ଦିନେ ସେ କଲେଜ ପଢ଼ା ଛାଡ଼ିଥିଲେ–ଉଚ୍ଚ ଚାକିରିକୁ ମଧ୍ୟ ପାଦରେ ଆଡ଼େଇ ଦେଇଥିଲେ । ଥରେ ତିନିମାସ ପାଇଁ ଜେଲରେ ବି ଅଟକ ପଡ଼ିଥିଲେ ।

 

ଦେଶ ସ୍ୱାଧୀନ ହେଲା । ଗଣନାଥ ବାବୁ ଲକ୍ଷ୍ୟସାଧନରେ କୃତକାର୍ଯ୍ୟ ହେଲେ । ତାହାପରେ ମଧ୍ୟ ନିଃସ୍ୱାର୍ଥ ଜନସେବକର ବ୍ରତ ଗ୍ରହଣ କରି ଚାଲିଛନ୍ତି ।

 

ଦେଶର ପ୍ରଥମ ଓ ଦ୍ୱିତୀୟ ସାଧାରଣ ନିର୍ବାଚନରେ ସେ ଅପ୍ରତିଦ୍ୱନ୍ଦ୍ୱୀ ଭାବରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତୃତୀୟ ସାଧାରଣ ନିର୍ବାଚନରେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ହେଲେ ଶ୍ରୀ ନିଶାକର ଦାସ । ନିଶାକର ବାବୁ ପ୍ରଗତିଶୀଳ ଭାବରେ ଜନସେବା କରିବାକୁ ବହୁ ପ୍ରଚାର କରିଥିଲେ ମଧ୍ୟ ଗଣନାଥବାବୁଙ୍କ ନେତୃତ୍ୱ ନିକଟରେ ପରାଜିତ ହେଲେ ।

 

ଆସନ୍ତା ଚତୁର୍ଥ ସାଧାରଣ ନିର୍ବାଚନରେ ଗଣନାଥ ବାବୁଙ୍କର ତୃତୀୟ ପ୍ରତିଦ୍ୱନ୍ଦ୍ୱୀ ଶ୍ରୀ ଆଶିଷ ଦଳବେହେରା । ଆଶିଷ ବାବୁ ମଧ୍ୟ ନୂତନ ବୈପ୍ଳବିକ ଦୃଷ୍ଟିକୋଣ ଘେନି ଜନସେବା କରିବାକୁ ରୀତିମତ ଉଦ୍ୟମ ଚଳାଇଛନ୍ତି ।

 

ଗଣନାଥ ବାବୁଙ୍କର ଜନତାପାର୍ଟି, ନିଶାକର ବାବୁଙ୍କର ଲୋକତାନ୍ତ୍ରିକ ଦଳ ଏବଂ ଆଶିଷ ବାବୁଙ୍କର ଗଣ ସଙ୍ଗଠନ ପକ୍ଷରୁ ଭୋଟ୍‌ପ୍ରଚାରରେ ନିର୍ବାଚନମଣ୍ଡଳୀ ସରଗରମ ହୋଇ ଉଠିଲା ।

 

ତିନୋଟି ଦଳର କର୍ମୀମାନଙ୍କ ମଧ୍ୟରେ କଳିଗୋଳ, ସଂଘର୍ଷ ହେଲା–ପ୍ରଚାରକମାନଙ୍କ ମଧ୍ୟରେ ମାଡ଼ପିଟ ଲାଗିଲା । ଏପରିକି କେତେଜଣଙ୍କୁ ଡାକ୍ତରଖାନା ଦ୍ୱାର ଦର୍ଶନ କରିବାକୁ ପଡ଼ିଲା-

 

ସ୍ଥିତପ୍ରଜ୍ଞ ଭଳି ଗଣନାଥ ବାବୁ ହସି ହସି ମନ୍ତବ୍ୟ କଲେ–ଜନସେବା ହିଁ ଜନସେବା । ତହିଁରେ ପୁଣି ଏତେ ଜାତିଭେଦ କାହିଁକି ? ଜଣେ ଗଣତାନ୍ତ୍ରିକ ପନ୍ଥାରେ ଜନସେବା କରିବାକୁ କହୁଛି ତ, ଅନ୍ୟଜଣେ ସମାଜବାଦୀ ଉପାୟରେ ଜନସେବା କରିବାକୁ ଚାହୁଁଛି । ପୁଣି ଆଉ ଜଣେ ସାମ୍ୟବାଦୀ ଢାଞ୍ଚାରେ ଜନସେବା କରିବାକୁ ପ୍ରଚାର କରୁଛି । ଜନସେବା ଯଦି ସମସ୍ତଙ୍କର ଲକ୍ଷ୍ୟ ହୁଏ, ତାହାହେଲେ ସେହି ଲକ୍ଷ୍ୟସାଧନର ସାମାନ୍ୟ ପନ୍ଥା ଘେନି ଏତେ କଳିଗୋଳ, ମାଡ଼ପିଟ କାହିଁକି ?

 

ସମସ୍ତ ପ୍ରକାର ସଂଘର୍ଷ, ମାଡ଼ଗୋଳକୁ ଏଡ଼ାଇ ଦୁଃସ୍ଥ ଦୁର୍ଗତ ଜନସମାଜର ସେବା କରିଯିବା ପାଇଁ ଗଣନାଥ ବାବୁ ଆପଣା କର୍ମୀମାନଙ୍କୁ ପରାମର୍ଶ ଦେଲେ ।

 

ଗତ ପନ୍ଦରବର୍ଷ ମଧ୍ୟରେ ଗଣନାଥ ବାବୁଙ୍କ ସେବା କାର୍ଯ୍ୟରେ ଏକ ସଂକ୍ଷିପ୍ତ ତାଲିକା:–ଏ ଅଞ୍ଚଳରେ ତିନୋଟି ହାଇସ୍କୁଲ, ପାଞ୍ଚଟି ମାଇନର ସ୍କୁଲ ସେ ବସାଇଛନ୍ତି । ଜମିରେ ଜଳସେଚନ ପାଇଁ ସାପୁଆନଈରୁ କେନାଲ୍‍ଟିଏ କରାଇଛନ୍ତି । ଚାରୋଟି ପୋଖରୀ, ପନ୍ଦରଟି କୂଅ ଏବଂ ଅଠରଟି ଟିଉବଓ୍ୱେଲ୍‍ ଖୋଳାଇଛନ୍ତି । ନଈ-ନାଳରେ ପାଞ୍ଚଟି ପକ୍‍କାପୋଲ ବସାଇ ନିର୍ବାଚନମଣ୍ଡଳୀର ଚାରିଆଡ଼େ ସୁବିଧାରେ ଯାତାୟାତ ପାଇଁ ସବୁଦିନିଆ ରାସ୍ତା କରାଇଛନ୍ତି । ଦୁଇଟି ହାଟ, ଗୋଟିଏ ପୋଲିସ୍‍ ଫାଣ୍ଡି, ଗୋଟିଏ ହସ୍ପିଟାଲ, ଚାରିଟି ଡିସ୍ପେନସାରି ଏବଂ ପାଞ୍ଚଟି ବ୍ରାଞ୍ଚ ପୋଷ୍ଟଅଫିସ୍‍ ବସାଇଛନ୍ତି । ଏ ଅଞ୍ଚଳକୁ କେଉଁ ବର୍ଷ ବନ୍ୟାକ୍ଳିଷ୍ଟ, ଆଉ କେଉଁ ବର୍ଷ ବା ମରୁଡ଼ି-ପ୍ରପୀଡ଼ିତ ବୋଲି ଘୋଷଣା କରାଇ ସରକାରଙ୍କଠାରୁ ଋଣ ତଥା ରିଲିଫ୍‍ ଆକାରରେ ପ୍ରଚୁର ଟଙ୍କା ଆଣି ଜନସାଧାରଣଙ୍କୁ ବାଣ୍ଟିଛନ୍ତି । ପଞ୍ଚାୟତଶିଳ୍ପ ନାମରେ ଏବଂ ବିଭିନ୍ନ ସମବାୟସମିତି ଜରିଆରେ ମଧ୍ୟ ସରକାରୀ ତହବିଲରୁ ହଜାର ହଜାର ଟଙ୍କା ଆଣି ଜନତା ମେଳରେ ଖଟାଇଛନ୍ତି । ବହୁ ଶିକ୍ଷିତ, ଅର୍ଦ୍ଧଶିକ୍ଷିତ ଯୁବକଙ୍କୁ ଭଲ ଭଲ ସରକାରୀ, ବେସରକାରୀ ଚାକିରିମାନ ଯୋଗାଇଛନ୍ତି । ବିଭିନ୍ନ ଗ୍ରାମ ମଧ୍ୟରେ ଚାଲିଥିବା ଅନେକ କଳିତକରାଳ, ମାଲିମକଦ୍ଦମା ମେଣ୍ଟାଇ ଦେଇଛନ୍ତି । ନିଜ ବ୍ୟକ୍ତିତ୍ୱର ପ୍ରଭାବ ପକାଇ ଅନେକ ଝିଅଙ୍କ ପାଇଁ ବର ଏବଂ ବହୁଯୁବକଙ୍କ ପାଇଁ କନ୍ୟା ଯୋଗାଡ଼ କରିଛନ୍ତି । ଇତ୍ୟାଦି, ଇତ୍ୟାଦି…

 

ଏହାହିଁ ତ ପ୍ରକୃତସେବା–ଜନତା ଜନାର୍ଦ୍ଦନର ଆରାଧନା !

 

ସେବା ମଣିଷ ଜୀବନର ଏକ ମିସନ୍; ଏହାକୁ କ’ଣ କେହି ପ୍ରଫେସନ୍‍ ରୂପେ ଗ୍ରହଣ କରିପାରେ ? ସେବାକୁ କୌଣସି ବ୍ୟକ୍ତି ଜୀବିକା କରିପାରେ କି ? ସେବାକାର୍ଯ୍ୟର କେହି ଠିକା ନେଇପାରେ କି ?

 

କିନ୍ତୁ ଆଶିଷ ବାବୁ ଅପପ୍ରଚାର ଚଳାଇଛନ୍ତି–ଗଣନାଥ ବାବୁ ଜନସେବାକୁ ଜୀବିକା କରି ଏପର୍ଯ୍ୟନ୍ତ ଚଳୁଛନ୍ତି–ଜନସେବା ନାମରେ ଆତ୍ମସେବା କରି ଚାଲିଛନ୍ତି ।

 

ଜନସେବକ ତ ହାଓ୍ୱା ଖାଇ ବଞ୍ଚିବ ନାହିଁ । ସଂସାରରେ ଚଳିବାକୁ ହେଲେ, ଆଉ ଆଉ ପାଞ୍ଚଜଣଙ୍କ ପରି ତାହାର ମଧ୍ୟ ସର୍ବନିମ୍ନ ଅଶନ-ବସନ ଲୋଡ଼ା । ଏ କଥା ଜନତାକୁ ବୁଝାଇବ କିଏ-?

 

ନିଶାକର ବାବୁ ମଧ୍ୟ କୁତ୍ସା କରିବାରେ ଲାଗିଛନ୍ତି–ଗତ ପନ୍ଦରବର୍ଷ କାଳ ଗଣନାଥ ବାବୁ ଜନସେବାର ତ ଠିକା ନେଇଥିଲେ; କି ଜନସେବାଟା କରି ପକାଇଛନ୍ତି ? ଏବେ ପୁଣି ଆଉ ପାଞ୍ଚବର୍ଷ ପାଇଁ ସେ ସେବା-କାର୍ଯ୍ୟର ଠିକା ନେବାକୁ ବାହାରିଛନ୍ତି । ଭୋଟର ଭାଇ-ଭଉଣୀମାନେ, ଠକ ଠିକାଦାରଙ୍କୁ ଚିହ୍ନିରଖ ।

 

କିନ୍ତୁ ଏହା ତ ସବୁ ପ୍ରତିଦ୍ୱନ୍ଦ୍ୱୀମାନଙ୍କର ରଣଧ୍ଵନି–ଶତ୍ରୁ ପକ୍ଷର ବ୍ୟୁହ-ରଚନା ।

 

ଗଣନାଥ ବାବୁ ସେଥିପାଇଁ ପ୍ରସ୍ତୁତ ଅଛନ୍ତି । ତାଙ୍କର ବକ୍ତବ୍ୟ ହେଉଛି–ପୂର୍ବରୁ ମୁଁ କିଛି ଜନସେବା କରିଥିଲେହେଁ ଏ ଅଞ୍ଚଳ ପାଇଁ ତଥାପି ମୋର ବହୁ କାର୍ଯ୍ୟ କରିବାକୁ ରହିଛି ।

 

ଏଥର ଜନସାଧାରଣଙ୍କଠାରୁ ଭୋଟ ପାଇଲେ, ଏଠାରେ ଏକ କଲେଜ କରିବି । ମୋ ନିର୍ବାଚନମଣ୍ଡଳୀର ପିଲାମାନେ ଘରେ ପଖାଳ ଖାଇ ଉଚ୍ଚଶିକ୍ଷା ପାଇପାରିବେ । ସମଗ୍ର ଗ୍ରାମାଞ୍ଚଳରେ ବିଦ୍ୟୁତୀକରଣ କରାଇବି । ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଗୋଟିଏ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠାନ ଠିଆ କରାଇବି । ଥାନାପଡ଼ିଆ ପାଖରେ ଗୋଟିଏ ସିନେମା ହାଉସ୍‍ ଏବଂ ଗ୍ରାମେ ଗ୍ରାମେ ରିକ୍ରେସନ୍‍ ସେଣ୍ଟର୍‍ମାନ ବସାଇବି । ଏ ଅଞ୍ଚଳରେ କେହି ଭୋକଉପାସରେ ସଢ଼ିବେ ନାହିଁ–କେହି ଗରିବ ହୋଇ ରହିବେ ନାହିଁ । ଏଥର ମୁଁ ନିର୍ବାଚିତ ହୋଇ ଆସିଲେ, ସମଗ୍ର ନିର୍ବାଚନମଣ୍ଡଳୀରେ ଏକା ବେଳକେ ଘିଅ, ମହୁ ଭସାଇଦେବି । ଇତ୍ୟାଦି, ଇତ୍ୟାଦି…

 

ନିଜର ଦୁଇଜଣଯାକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବହୁଭୋଟରେ ପରାଜିତ କରି ଏଥର ମଧ୍ୟ ଗଣନାଥ ବାବୁ ବିଧାନସଭାକୁ ନିର୍ବାଚିତ ହୋଇ ଆସିଲେ ।

 

ଏଇଠି ଗଳ୍ପଟିର ଶୀର୍ଷବିନ୍ଦୁ ବୋଲି ଧରାଯାଇପାରେ ।

 

ଗଣନାଥ ବାବୁଙ୍କର ଅକ୍ଳାନ୍ତ ଅଦମନୀୟ ଜନସେବା ସତ୍ତ୍ୱେ ସେହି ନିର୍ବାଚନମଣ୍ଡଳୀର ଦୁଃଖଦୁର୍ଦ୍ଦଶା ଘୁଞ୍ଚିଲା ନାହିଁ–ଜନସାଧାରଣଙ୍କର ଅଭାବ-ଅସୁବିଧା ମେଣ୍ଟିଲା ନାହିଁ । ଦାବାନଳ ପରି ଅଶାନ୍ତି-ଅସନ୍ତୋଷ କ୍ରମେ ଚାରିଆଡ଼େ ବ୍ୟାପିବାରେ ଲାଗିଲା ।

 

କିନ୍ତୁ ଏଥିପାଇଁ ଦାୟୀ କିଏ ?–ସେବକ ନା ସେବିତ ?

 

ଗଣନାଥ ବାବୁ ବିଚଳିତ ହୋଇପଡ଼ିଲେ । ତାଙ୍କର ବାରବର୍ଷର ତପସ୍ୟା କ’ଣ ଏହିପରି ଶୁଖୁଆପୋଡ଼ାରେ ପରିସମାପ୍ତ ହେବ ? ସେବକ ଓ ସେବିତ–ସେବାକାର୍ଯ୍ୟର ଏହି ଦୁଇଟିପକ୍ଷ ମଧ୍ୟରୁ ସବୁ ଦାୟ-ଦାୟିତ୍ୱ କ’ଣ କେବଳ ସେବକର ? ସେବିତ କ’ଣ ସମାଜର ଖାଲି ଗୋଟାଏ ନିଷ୍କ୍ରିୟ ନିରବଲମ୍ବ ଶ୍ରେଣୀ ?

 

ବର୍ତ୍ତମାନ ନିମ୍ନମତେ ଗଳ୍ପଟିର ଉପସଂହାର କରାଯାଉ !

 

ପ୍ରହରାଜପୁର ଗ୍ରାମବାସୀମାନେ ସର୍ବସାଧାରଣ ପୋଖରୀରୁ ଦଳ ସଫା କରୁନାହାନ୍ତି; ସେଥିପାଇଁ ଗଣନାଥ ବାବୁଙ୍କ ଉପସ୍ଥିତି ଲୋଡ଼ା । ପାଇକପଡ଼ା ଅଞ୍ଚଳରେ ଶ୍ରାବଣମାସର ବନ୍ୟା ପରେ ଲୋକେ ଚାଷବାସ ନକରି ହାତଗୋଡ଼ ଟେକି ବସିଛନ୍ତି; ସେଥିପାଇଁ ଗଣନାଥ ବାବୁଙ୍କ ସାହାଯ୍ୟ ସହଯୋଗ ଆବଶ୍ୟକ । ଫକୀରଗଞ୍ଜର ଲୋକେ ତଗାବି ଋଣ, ଭୂବନ୍ଧକ ବ୍ୟାଙ୍କ ଋଣ ଆଦି ଯେ କୌଣସି ଉପାୟରେ ପାଇବାକୁ ଜିଦ୍‍ ଧରିଛନ୍ତି; ସେଥିପାଇଁ ଗଣନାଥ ବାବୁଙ୍କର ସୁପାରିସ୍‍ ଲୋଡ଼ା । ଅଣ୍ଡିଆପାଲିର ହରିଜନମାନେ ଡକାୟତି କରି ୩୯୧ ଦଫାରେ ଚାଲାଣ ହୋଇଯାଇଛନ୍ତି; ସେଥିପାଇଁ ଗଣନାଥ ବାବୁଙ୍କର ତଦ୍‍ବିର କରିବା ଅତ୍ୟନ୍ତ ଜରୁରୀ । ସାନ ଡୁଙ୍ଗରୀ ଗ୍ରାମବାସୀମାନେ କାଳୀପୂଜାକୁ ପୌରାଣିକ ନାଟକ କରିବେ କି ସାମାଜିକ ନାଟକ କରିବେ; ସେଥିପାଇଁ ଗଣନାଥ ବାବୁଙ୍କ ନିର୍ଦ୍ଦେଶ ଦରକାର । ଚିତ୍ରତାରିକା ହେମାମାଳିନୀଙ୍କର ଏକ ରଙ୍ଗୀନ୍‍ ଫଟୋ ପଞ୍ଚାୟତସମିତି ଚେୟାରମ୍ୟାନଙ୍କ ଶୋଇବା ଘରେ କି ବୈଠକଖାନାରେ ଟଙ୍କାଯିବ; ସେଥିପାଇଁ ଗଣନାଥ ବାବୁଙ୍କ ପରାମର୍ଶ ପ୍ରୟୋଜନ । ଇତ୍ୟାଦି, ଇତ୍ୟାଦି…

 

ଜନସାଧାରଣ ଭୋଟ୍‍ ଦେଇ ତାଙ୍କୁ ନିର୍ବାଚିତ କରିଛନ୍ତି । ଗୋରୁମୁଣ୍ଡ ଥାପନା କରିଦେଇ ସେମାନେ ଏବେ ନିଶ୍ଚିନ୍ତ । କିନ୍ତୁ ନିର୍ବାଚିତ ପ୍ରତିନିଧି ଜନସେବକ ଗଣନାଥ ବାବୁ ଶ୍ରାନ୍ତକ୍ଳାନ୍ତ, ବ୍ୟସ୍ତବିବ୍ରତ ହେଲେ ଚଳିବ କିପରି ? ଜନତାର ସମସ୍ତଦାବି, ସମସ୍ତ ଅଧିକାର ତାଙ୍କୁ ବିନା ଦ୍ୱିଧାରେ ପୂରଣ କରିବାକୁ ହିଁ ପଡ଼ିବ ।

 

ଗଣନାଥ ବାବୁଙ୍କର ଶେଷରେ ମୋହଭଙ୍ଗ ହେଲା ।

 

ଗଣ ଯେତେବେଳେ ସକଳ ପୁରୁଷକାର ହରାଇ ବସିଛି, ଗଣନାଥ ବାବୁଙ୍କର ଆଉ ଚାରା କ’ଣ ? ତାଙ୍କ ସେବାର ବା ଆଉ ମୂଲ୍ୟ କେତେ ?

 

ହା ବିଚରା ଜନସେବୀ ଗଣନାଥ ପଣ୍ଡା !

Image

 

ଦୁଇଟି ମିନି ଗଳ୍ପ

 

ସେବାସଂଘ

 

ଦେଶର ନାରୀ-ସମାଜ ଆଗରେ ଆଜି ଏକ ଜଟିଳ ଓ ଗୁରୁତର ସମସ୍ୟା ।

 

ଗତ ଦୁଇଦିନ ହେଲା ସେବାସଂଘର ବାର୍ଷିକ ଅଧିବେଶନ ଚାଲିଛି । ପୁରୁଷ-ପ୍ରଧାନ ସମାଜରେ ନାରୀଜାତିର ସର୍ବାଙ୍ଗୀନ ମୁକ୍ତି ସମ୍ପର୍କରେ ଚାଲିଛି ଘମାଘୋଟ ଆଲୋଚନା–ତୁମୂଳ ତର୍କ-ବିତର୍କ ।

 

ମିଟିଙ୍ଗ୍ ଶେଷରେ ସଂଘ ସମ୍ପାଦିକା ଶ୍ରୀମତୀ ମନୀଷା ଦେବୀ ସାମ୍ବାଦିକମାନଙ୍କୁ ଏକ ଇସ୍ତାହାର ପ୍ରକାଶ ପାଇଁ ଦେଲେ । ସେହି ଇସ୍ତାହାରରେ ଥିବା ସେବାସଂଘର ତିନିଟିଯାକ ପ୍ରଗତିଶୀଳ ପ୍ରସ୍ତାବ ସମଗ୍ର ଦେଶରେ ଏକ ଆଲୋଡ଼ନ ସୃଷ୍ଟି କଲା ।

 

ପ୍ରଥମ ପ୍ରସ୍ତାବ–ଦେଶର ପ୍ରାପ୍ତବୟସ୍କା କନ୍ୟାମାନେ ସ୍ୱ-ଇଚ୍ଛାରେ ନିଜର ସୁବିଧା-ସୁଯୋଗ ଅନୁଯାୟୀ ବିବାହ କରି ପାରିବେ । ବିବାହ-ବ୍ୟାପାରରେ ପିତାମାତା ବା ମଧ୍ୟସ୍ଥି ଅଭିଭାବକଙ୍କର ହସ୍ତକ୍ଷେପ କରିବାର ଅଧିକାର ନାହିଁ ।

 

ଦ୍ୱିତୀୟ ପ୍ରସ୍ତାବ–ଦେଶର ପତ୍ନୀମାନେ ନିଜ ନିଜର ସ୍ୱାମୀମାନଙ୍କ ସହିତ ଏକଶଯ୍ୟାରେ ଶୟନ କରିବା ବାଧ୍ୟତାମୂଳକ ନୁହେଁ । ସ୍ୱାମୀସେବା, ପତିପରିଚର୍ଯ୍ୟା ଆଦି ଏକାନ୍ତ ଇଚ୍ଛାଧୀନ ।

 

ତୃତୀୟ ପ୍ରସ୍ତାବ–ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ନାରୀଜାତିର ଏକ ପ୍ରଧାନ ସମ୍ବଳ । ଏହି ଦୃଷ୍ଟିରୁ ଦେଶର ଜନନୀମାନେ ପ୍ରସବ ପରେ କେବଳ ଏକୋଇଶ ଦିନ ପର୍ଯ୍ୟନ୍ତ ଦୈନିକ ମାତ୍ର ଦୁଇଥର ଲେଖାଏଁ ନିଜ ନିଜର ସନ୍ତାନସନ୍ତତିଙ୍କୁ ସ୍ତନ୍ୟପାନ କରାଇବେ ।

 

ସଂଘର ସମସ୍ତ ସଭ୍ୟା ଏହି ପ୍ରସ୍ତାବଗୁଡ଼ିକ ଅନୁସାରେ କାର୍ଯ୍ୟ କରିବାକୁ ସଂକଳ୍ପ କଲେ-

 

ବର୍ଷକ ପରେ ପୁଣି ଯେତେବେଳେ ସେବାସଂଘର ଅଧିବେଶନ ବସିଲା, ସେତେବେଳେ ଦେଖାଗଲା–ଅବସ୍ଥା ଅତି ସାଙ୍ଘାତିକ ।

 

ସଂଘର ପ୍ରବୀଣା ସଭାନେତ୍ରୀ ଶ୍ରୀମତୀ ଭାରତୀ ଦେବୀ ଜଣାଇଲେ–ଇତିମଧ୍ୟରେ ମୋ ଝିଅ ଦୁଇଥର ବିଭାହୋଇ ସାରିଲାଣି ଏବଂ ଦୁଇଥରଯାକ ତାହାର ବିବାହ-ବନ୍ଧନ ଛିନ୍ନ ହୋଇଯାଇଛି । ବର୍ତ୍ତମାନ ସେ ଅନ୍ତଃସତ୍ତ୍ୱା । ମୁଁ ଏବେ କରିବି କ’ଣ ? ସେ ଆଉ ବିବାହ କରିପାରିବ କି ? ବିବାହ କଲେ, ତାହା ପୁଣି କେତେଦିନ ପାଇଁ ? ତେଣୁ ଆମର ଗୃହୀତ ପ୍ରଥମ ପ୍ରସ୍ତାବଟି ବଦଳାଇବାକୁ ପଡ଼ିବ ।

 

କେବଳ ସେତିକି ନୁହେଁ । ସଂଘର ବହୁ ବିବାହିତା ସଦସ୍ୟା–ବିଶେଷତଃ ଯେଉଁମାନେ ନବବିବାହିତା–ସେମାନେ ପ୍ରକାଶ କଲେ ଯେ ଗୃହୀତ ଦ୍ୱିତୀୟ ପ୍ରସ୍ତାବ ଅନୁଯାୟୀ କାର୍ଯ୍ୟ କରିବା ସେମାନଙ୍କ ପକ୍ଷରେ ପ୍ରାୟ ଅସମ୍ଭବ ହୋଇପଡ଼ିଛି ।

 

ସଂଘ ସମ୍ପାଦିକା ଶ୍ରୀମତୀ ମନୀଷା ଦେବୀ ମଧ୍ୟ ସ୍ୱୀକାର କଲେ–ଆମର ତୃତୀୟ ପ୍ରସ୍ତାବ ଅନୁସାରେ ମୁଁ କାର୍ଯ୍ୟ କରିପାରୁ ନାହିଁ । ମୋର ପ୍ରଥମ ସନ୍ତାନ ତିନିମାସର ପୁଅଟିକି ଦୈନିକ ବାରମ୍ବାର ସ୍ତନ୍ୟପାନ ନ କରାଇଲେ, ମୁଁ ରହିବି କେମିତି ?

 

ସଂଘର ସମସ୍ତ ସଭ୍ୟା ଏବେ ହୁଦୟଙ୍ଗମ କଲେ–ସେବା ଏକ ଉଚ୍ଛ୍ୱସିତ ଉତ୍ସର୍ଗ । ଏହା ଉଦ୍‍ଭ୍ରାନ୍ତର ଉତ୍‍ଖାତ କେଳି ହୋଇ ନ ପାରେ !

 

ଦେଶର ନାରୀ-ସମାଜ ସମକ୍ଷରେ ବର୍ତ୍ତମାନ ପ୍ରଶ୍ନ–ପ୍ରେମ ପାଇଁ କୌଣସି ଅନୁଷ୍ଠାନିକ ପ୍ରେସ୍କ୍ରିପସନ୍‍ ଦିଆଯାଇପାରେ କି ? ସେବାପାଇଁ ସଂଘର ଆବଶ୍ୟକତା ଅଛି କି ? ଦୟା-ଦରଦ ପାଇଁ ଦଳ ବାନ୍ଧିବାର ପ୍ରୟୋଜନ ଅଛି କି ?

 

ଦଳବଳ

 

ଜଣେ ଦୁଇଜଣ ଲୋକ ନରହତ୍ୟା କଲେ, ପେନାଲ୍‍ କୋଡ଼୍‍ର ଦୁଇଶହ ଊନଶତ କିମ୍ବା ତିନିଶହ ଧାରା ଅନୁଯାୟୀ ଦଣ୍ଡନୀୟ ଅପରାଧ ।

 

କିନ୍ତୁ ଦେଶର ବହୁଲୋକ ଦଳବଦ୍ଧ ହୋଇ ନରହତ୍ୟା କଲେ ?

 

ଧୀରବାବୁଙ୍କ ଚିନ୍ତାର ସୂତ୍ର ଅଡ଼ୁଆ ହୋଇଯାଏ–ବିଚାରଧାରା ଓଲଟପାଲଟ ହୋଇଯାଏ ।

 

ଅଭିଯୋଗ ହୁଏ–ସେ କୁଆଡ଼େ କଳାବଜାର କରୁଛନ୍ତି–ଟିକସ ଫାଙ୍କୁଛନ୍ତି–ଜାଲ୍‍ ଜୁଆଚୋରି କରୁଛନ୍ତି–ନିଜର ତିନି ତିନିଟା କାରଖାନାର ଶ୍ରମିକମାନଙ୍କୁ ଶୋଷଣ କରି ଆପଣା ପୁଞ୍ଜି ବଢ଼ାଉଛନ୍ତି–ସୁରାରେ ସନ୍ତରଣ କରୁଛନ୍ତି–ବହୁକନ୍ୟା, ବହୁ ବଧୂଙ୍କ ସହିତ ବିହାର କରୁଛନ୍ତି–ଇତ୍ୟାଦି, ଇତ୍ୟାଦି ।

 

ଏହି ଚୋରି ନାରୀ, ଅନ୍ୟାୟ-ଅନୀତି, ଶୋଷଣ-ପୀଡ଼ନ ଯଦି ବହୁଲୋକଙ୍କ ସହ ଦଳବଦ୍ଧ ହୋଇ ସେ କରନ୍ତି ?

 

କେତେକ ନାମଜ୍ୟାଦା ଓକିଲ ଏବଂ କେତେକ ଟାଣୁଆ ମାଲଙ୍କ ସଙ୍ଗେ ପରାମର୍ଶ କରି ଧୀରବାବୁ ଏକ ପଞ୍ଚବାର୍ଷିକ ଯୋଜନା ପ୍ରସ୍ତୁତ କଲେ ।

 

ପ୍ରଥମ ବର୍ଷ ମଧ୍ୟରେ ଦେଶରେ ଏକ ବିରାଟ ଦଳ ଗଠିତ ହୋଇଗଲା–ବହୁକର୍ମୀ, ବହୁସଭ୍ୟଙ୍କର ଏକ ବଳିଷ୍ଠ ସଂଗଠନ । ଧୀରବାବୁ ହେଲେ ସେ ଦଳର ଅପ୍ରତିଦ୍ୱନ୍ଦ୍ୱୀ ନେତା ।

 

ଦ୍ୱିତୀୟ ବର୍ଷ ସାଧାରଣ ନିର୍ବାଚନରେ ଲଢ଼ି ଧୀରବାବୁଙ୍କ ଦଳ ଜୟଯୁକ୍ତ ହେଲା ଏବଂ ଦେଶରେ ଏକ ଲୋକପ୍ରିୟ ସରକାର ଗଠନ କଲା ।

 

ତୃତୀୟ ଓ ଚତୁର୍ଥ ବର୍ଷ ଏକକ ସଂଖ୍ୟାଗରିଷ୍ଠ ଦଳର ନେତା ରୂପେ ଧୀରବାବୁ ଦେଶର ନିରଙ୍କୁଶ ଶାସନ ଚଳାଇ ଗଲେ ।

 

ପଞ୍ଚମ ବର୍ଷ ବେଳକୁ ଦେଖାଗଲା–ସାରାଦେଶରେ ଯେପରି ନାରୀ ଚୋରି, ଅନ୍ୟାୟ-ଅନୀତି, ଶୋଷଣ-ପୀଡ଼ନ ପ୍ରଭୃତିର ଜାତୀୟ-କରଣ ହୋଇଯାଇଛି ! ଧୀରବାବୁଙ୍କର ଏକାବେଳେକେ ସାତଖୁନ୍‍ ମାଫ୍‍ । ତାଙ୍କର ବଢ଼ନ୍ତିରୁ ବଢ଼ନ୍ତି ହୋଇଚାଲିଛି ।

 

ତଥାପି ତୃପ୍ତି କାହିଁ ? ଶାନ୍ତି କାହିଁ ?

 

ଧୀରବାବୁ ଏକାକୀ ଦୁଇଟି ଆଙ୍ଗୁଳି ପାଟିରେ ପୂରାଇ ପାରିଥିଲେ । ଏବେ ଦଳବଳ ଘେନି ପାଞ୍ଚଟିଯାକ ଆଙ୍ଗୁଳି ପାଟିରେ ପୂରାଇବାକୁ ସମର୍ଥ ହେଲେ । ଦେହରେ ତାଙ୍କର ଅତିଭୋଜନର କ୍ଳାନ୍ତି ଓ ବିରକ୍ତି–ମନରେ ସବୁ ପାଇ କିଛି ପାଇ ନଥିବାର ଅତୃପ୍ତି ଓ ଅଶାନ୍ତି–ଚେତନାରେ ସମାଜଦ୍ରୋହର ଶତ ଶତ ବୃଶ୍ଚିକ ଦଂଶନ !

Image

 

ଦେହ ଓ ଦେହୀ

 

ରାତି ଦୁଇଟା । ଜାତୀୟ ରାଜପଥ ଉପରେ ଦ୍ରୁତଗାମୀ ବାସ୍‍ ଅଣନିଃଶ୍ୱାସୀ ହୋଇ ଛୁଟିଛି । ଆସନ୍ତାକାଲି ସକାଳେ ଠିକ୍‍ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ଲାଗି ସେ ଯେପରି ବ୍ୟସ୍ତ ଓ ବ୍ୟଗ୍ର ହୋଇଉଠିଛି !

 

ଗୋପା ନିଜର ଅଠରବର୍ଷ ବୟସର ପରିପୁଷ୍ଟ ଶରୀରର ସମସ୍ତ ଭାରା ବସନ୍ତର ବାମବାହୁ ଓ କାନ୍ଧଉପରେ ଲଦି ଦେଇ ଢୁଳେଇ ପଡ଼ିଛି । ବସନ୍ତ ତାକୁ ଦୁଇ-ତିନିଥର ଡାକି ଉଠାଇ ଦେଲାଣି । କିନ୍ତୁ ଅଝଟ ଅମାନିଆ ପିଲା ବାରଣ କରାଯାଇଥିବା କାର୍ଯ୍ୟରେ ହାତ ଦେଲା ଭଳି ଗୋପା ଚେଇଁ ଉଠି ଅଳ୍ପସମୟ ବସିଲା ପରେ ପୁଣି ବସନ୍ତ ଉପରେ ଢୁଳାଇ ଶୋଉଛି ।

 

ବାସ୍‍ ଭିତରେ ଥିବା ଗୋଟିଏ କ୍ଷୀଣାଭ ଆଲୋକ ବ୍ୟତୀତ ଅନ୍ୟ ସବୁ ଲିଭାଇ ଦିଆଯାଇଛି । ସେହି ପ୍ରାୟାନ୍ଧକାର ଶୀତଳ ପରିବେଶରେ ଅଧିକାଂଶ ଯାତ୍ରୀ ଶୋଇଯାଇଛନ୍ତି । ଜଣେ ଚନ୍ଦାମୁଣ୍ଡିଆ ମୋଟା ଭଦ୍ରଲୋକ ବସନ୍ତର ପଛସିଟରେ ଶୋଇ ବର୍ଷାରାତିରେ ବେଙ୍ଗ ରଡ଼ିକଲା ପରି ଘୁଙ୍ଗୁଡ଼ି ମାରୁଛନ୍ତି । ସବା ପଛସିଟରେ ଦୁଇଜଣ ମଫସଲୀ ଯାତ୍ରୀ ଠାକୁରଙ୍କ ଦୋଳଯାତ୍ରା ବିଷୟରେ ଗଳ୍ପ ଯୋଡ଼ିଦେଇଛନ୍ତି । ସେମାନେ ବୋଧହୁଏ ପୁରୀ ଶ୍ରୀକ୍ଷେତ୍ରରୁ ବାହୁଡ଼ିଛନ୍ତି । ଘୁମନ୍ତ କଣ୍ଡକ୍ଟର୍‍ର ସିଟ୍‍ତଳେ ଟୋକା କ୍ଲିନର୍‍ଟି ଠିଆହୋଇ ବାସ୍‍ ବାହାରକୁ ମୁଣ୍ଡ କାଢ଼ି ବିଡ଼ି ଟାଣୁଛି ଏବଂ ବେଳେ ବେଳେ ବାସ୍‍ ଭିତରକୁ କଚିମ ଭଳି ମୁଣ୍ଡଟିକୁ ଓଟାରି ଆଣି ଯାତ୍ରୀମାନଙ୍କ ଉପରେ ଆଖି ବୁଲାଇ ନେଉଛି ।

 

ବସନ୍ତ ଗୋପାକୁ ଚାହିଁଲା । ପାନପତ୍ର ଭଳି ଗୋପାର ଛୋଟ ଗୋରା ମୁହଁଟି ନିଦ-ଅଳସରେ ଦିଶୁଥିଲା ବେଶ୍‍ ଭୀରୁ-ମଦିର । ମୁଦ୍ରିତ ପଦ୍ମପାଖୁଡ଼ା ପରି ଶାନ୍ତ ନିଥର ଥିଲା ତାହାର ଘୁମନ୍ତ ଆଖିଯୋଡ଼ିକ । ସାନ ସାନ ଭଅଁର ଭଳି କେରି କେରି ଚୂର୍ଣ୍ଣ କୁନ୍ତଳ ତାହାର କପାଳ ଉପରେ ପବନରେ ଉଡ଼ି ବୁଲୁଥିଲା । ତାହାର ସରୁ ସରୁ ନାକପୁଡ଼ାରୁ ନିଃଶ୍ୱାସ ପବନ ଆସି ବାଜୁଥିଲା ବସନ୍ତର ଚିବୁକ ଓ ଗଣ୍ଡଦେଶରେ ।

 

ନିଜ ଭିତରେ ଏକ ମଧୁର ଭାବାବେଶ ଅନୁଭବ କରୁଥିଲା ବସନ୍ତ । ଆଖିରେ ତାହାର ନିଦ ନଥିଲା । ହଠାତ୍‍ ସେ ଲକ୍ଷ୍ୟକଲା–କଣ୍ଡକ୍ଟର୍‍ ସିଟ୍‍ ପାଖରେ ଠିଆ ହୋଇଥିବା ସେହି ଟୋକା କ୍ଲିନର୍‍ଟା ବଲ ବଲ କରି ଗୋପାଆଡ଼େ ଚାହିଁ ରହିଛି । ଗୋପାଛାତିରୁ ସେତେବେଳେ ଶାଢ଼ିଟା ପବନରେ ଖସି ଯାଇଥିଲା । ତାହାର ଉଦ୍ଧତ ଛାତିରେ ଯୌବନର ସେହି ବିସ୍ମୟକର କାରୁକାର୍ଯ୍ୟ ମଧ୍ୟରେ ଚକଚକ କରୁଥିଲା ସୁନାହାରର ଲକେଟ୍‍ଟି ।

 

ସୁନା ଲକେଟ୍‍, ନା ଯୌବନର ସେହି ବିସ୍ମୟକର କାରୁକାର୍ଯ୍ୟ–କାହାଉପରେ କ୍ଲିନର୍‍ ଟୋକାର ଦୃଷ୍ଟି ପଡ଼ିଥିଲା, ବସନ୍ତ ବୁଝିପାରିଲା ନାହିଁ । ସଙ୍ଗେ ସଙ୍ଗେ ନିଜହାତରେ ସେ ଗୋପାର ଶାଢ଼ିଟା ସଜାଡ଼ି ଦେଲା ।

 

ଅଳସ ଆଖି ଫିଟାଇ ଗୋପା ଚାହିଁଲା । ବସନ୍ତ କହିଲା–ତୋର ଭାରି ନିଦ ଗୋପା ! ଏମିତି ବସି ବସି ଆଉ ଢୁଳାନା । ଏଇଠି ଗୁଞ୍ଜିଗାଞ୍ଜି ହେଇ ମୋ କୋଳରେ ଶୋଇପଡ଼୍‍ ।

 

ନିମିଷକ ମଧ୍ୟରେ ଗୋପା ବସନ୍ତ-କୋଳରେ ନିଦେଇ ଗଲା । ଆସନ୍ତାକାଲି ଦିନ ଏଗାରଟା ବେଳେ ତାହାର ଇଣ୍ଟରଭିଉ । ଟିକିଏ ଶୋଇଯାଉ ବିଚାରୀ ! ବସନ୍ତକୁ କଷ୍ଟ ଲାଗିଲେ ବି ସେ ଟିକିଏ ତା’ କୋଳରେ ଦେହଭାରା ଦେଇ ଆରାମ କରୁ ! ସକାଳୁ ଶିଶିରଧୁଆ ସୂର୍ଯ୍ୟମୁଖୀ ଭଳି ସତେଜ ହେଇ ଇଣ୍ଟରଭିଉ ଦେଉ !

 

ଫାର୍ଷ୍ଟ୍ ବି.ଏ. ପାସ୍‍କରି ଗୋପା ବର୍ଷେ ହେଲା ଘରେ ବସିଛି । ବାପା ତାହାର ଗରିବ କିରାଣିଟିଏ । ଘରେ ଗୋପାର ମାଆ, ଆଉ ଦୁଇଟି ସାନ-ଭାଇଭଉଣୀ । ଏହି ଚାରିପ୍ରାଣୀ କୁଟୁମ୍ବର ବୋଝ ବୋହି ଗୋପାକୁ ଅଧିକ ପଢ଼ାଇବା ବାପାଙ୍କ ପକ୍ଷରେ ସମ୍ଭବ ହେଲା ନାହିଁ । ଏ ବର୍ଷ ବି ବହୁ ଚେଷ୍ଟା ସତ୍ତ୍ୱେ ଗୋପାର ବାହାଘର ହୋଇପାରିଲା ନାହିଁ । ଗୋଟିଏ ଦୁଇଟି ସ୍ଥାନରେ ପ୍ରସ୍ତାବ ପଡ଼ିଥିଲା । କିନ୍ତୁ ଯୌତୁକ-ଦାବି ପୂରଣ କରିବା ସଙ୍ଗେ ସଙ୍ଗେ କରଣ-କୁଳରେ ବାହାଘର ଖର୍ଚ୍ଚ ତୁଲାଇବା ବାପାଙ୍କ ଆଗରେ ଏକ ବିରାଟ ସମସ୍ୟା ହୋଇ ଦେଖାଗଲା ।

 

ନିଜେ ବସନ୍ତ ମଧ୍ୟ ଆପଣାର ଜଣେ ପଢ଼ାସାଙ୍ଗ ସହିତ ଗୋପାର ବିବାହ ପ୍ରସ୍ତାବ ପକାଇଥିଲା । ପଢ଼ାସାଙ୍ଗଟି କର୍ମଜୀବନରେ ପ୍ରତିଷ୍ଠିତ ହେଲାପରେ ବିବାହ କରିବ ବୋଲି ଜବାବ ଦେଇଛି ।

 

ତେଣୁ ବାପା ସ୍ଥିର କଲେ–ଝିଅ ମୋର ନିକମା ହୋଇ ଘରେ ବସିବ କାହିଁକି ? ଚାକିରିଟାଏ କରୁ !

 

ଚାକିରି ପାଇଁ ବିଭିନ୍ନ ଆଡ଼କୁ ଦରଖାସ୍ତ କରାଗଲା । ଦୈବାତ୍‍ ଗୋଟିଏ ସ୍ଥାନରୁ ଇଣ୍ଟରଭିଉ ଦେବା ଲାଗି ଡାକରା ଆସିଲା ।

 

ବର୍ତ୍ତମାନ ସମସ୍ୟା–ଇଣ୍ଟରଭିଉ ଦେବା ପାଇଁ ଗୋପା ଦୂର ସହରକୁ ଯିବ କିପରି ? କିଏ ତାକୁ ସଙ୍ଗରେ ଘେନି ଯିବ ? ଏ ମାର୍ଚ୍ଚମାସରେ ବାପାଙ୍କୁ ଛୁଟି ମିଳିବା କଷ୍ଟକର । ତେଣୁ ଦାୟିତ୍ୱ ଆସି ପଡ଼ିଲା ବସନ୍ତ ଉପରେ ।

 

ବସନ୍ତ ଘର ଗୋପା ଘରର ପଡ଼ୋଶୀ । ବସନ୍ତର ବାପା ମଧ୍ୟ କିରାଣିଟିଏ । କିନ୍ତୁ ଗାଁରେ ତାଙ୍କର ଜମିବାଡ଼ି ଥିବାରୁ ଅବସ୍ଥା ଟିକିଏ ସ୍ୱଚ୍ଛଳ । ବସନ୍ତର ଭାଇନା ପୁରୋହିତ-କାମ କରି ବେଶ୍‍ ଦି’ପଇସା ମଧ୍ୟ ରୋଜଗାର କରନ୍ତି । ଏମ୍‍.ଏସ୍‍.ସି: ପାସ୍‍ କରି ବସନ୍ତ ସେତେବେଳେ ଆଇ.ଏ.ଏସ୍. ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲା ଗୋପାର ମାଆ କହିଲେ–ତୋ ଛଡ଼ା ଆମର ଆଉ ବିଶ୍ୱାସୀ ଲୋକ ଏଠି କିଏ ଅଛି ବାପ ? ତୁ ଗୋପାକୁ ସାଙ୍ଗରେ ଘେନି ଯା !

 

ଗୋପାର ବାପା ମଧ୍ୟ କହିଲେ–ବସନ୍ତ ଛଡ଼ା ଆଉ କାହାରି ହାତରେ ମୁଁ ଗୋପାର ଦାୟିତ୍ୱ ଦେଇପାରିବି ନାହିଁ । ସେ ଯିବ ଯଦି ଯାଉ, ନୋହିଲେ ଗୋପାର ଇଣ୍ଟରଭିଉ ଦେବା ବନ୍ଦ ।

 

ଗୋପାର ଦାୟିତ୍ୱ ବସନ୍ତ ହାତରେ–ଜଣେ ସୁନ୍ଦରୀ ଯୁବତୀର ଦାୟିତ୍ୱ ଜଣେ ଯୁବକ ଉପରେ–ଯେଉଁ ଯୁବକ କି ଯୁବତୀଟିର ଭାଇବନ୍ଧୁ ନୁହେଁ–ଜ୍ଞାତି-କୁଟୁମ୍ବ କେହି ନୁହେଁ । ଏହା ଯେ ନିଆଁ ହାତରେ ଘିଅର ଦାୟିତ୍ୱ ! ତଥାପି ବସନ୍ତ ସେ ଦାୟିତ୍ୱ ଗ୍ରହଣ କଲା ।

 

ଗୋପା ବସନ୍ତକୋଳରେ ନିଶ୍ଚିନ୍ତରେ ଶୋଇଯାଇଛି । ବସନ୍ତର କୋଳଟା ଯେପରି ତାହାର ନିର୍ଭୟ ଆଶ୍ରୟ ! ମନରେ କିଛି ଗ୍ଳାନି ନାହିଁ–ଚିନ୍ତା ନାହିଁ–ଆଶଙ୍କା ବି ନାହିଁ । ଚଢ଼େଇ-ଛୁଆ ତା’ମାଆର ଡେଣା ତଳେ ଉଷୁମ ଆଶ୍ରୟ ପାଇଲା ଭଳି ଗୋପା ବସନ୍ତକୋଳରେ ପାଇଛି ପରମ ଆଶ୍ରୟ । ସେ ଆଶ୍ରୟ ସ୍ନେହ ସୋହାଗରେ, ପ୍ରେମର ସ୍ପର୍ଶରେ ଶୁଦ୍ଧ ପବିତ୍ର । ବସନ୍ତ ଧୀରେ ଧୀରେ ଗୋପାର ପିଠି ଓ ବାହୁ ଆଉଁଷି ଦେବାରେ ଲାଗିଲା ।

 

ପାଞ୍ଚ ବର୍ଷ ହେଲା ବସନ୍ତ ଏଇ ହୁଣ୍ଡୀ ଝିଅଟା ସହିତ ଅତି ଘନିଷ୍ଠ ଭାବରେ ମିଳିମିଶି ଚଳିଆସିଛି । ତାହାର କାନମୋଡ଼ି, ଗାଲଟିପି ପାଠ ବତାଇ ଦେଇଛି–ଚାଲି-ଚଳଣି, ଆଚାର-ବ୍ୟବହାର ଶିଖାଇଛି । କେତେ ଗାଳି, କେତେ ବିରକ୍ତି, କେତେ ହସଖୁସି, ପୁଣି କେତେ ରାଗ-ରୁଷା, ମାନ-ଅଭିମାନ ! ପରସ୍ପରର ସାନ୍ନିଧ୍ୟ ଲାଭକରି ଦୁହିଁଙ୍କ ତାରୁଣ୍ୟ ସ୍ନିଗ୍‌ଧ-ମଧୁର ହୋଇଉଠିଛି ।

 

ବସନ୍ତ ଭାବିଲା–ଗୋପା ତାହାର କେତେ ନିଜର–କେତେ ଆପଣାର ! ଗୋପାର କଥାବାର୍ତ୍ତା, ଚାଲିଚଳଣି, ଆଚାର ବ୍ୟବହାର, ଏପରି କି ଗୋପାର ଏହି ଲବଣୀପିତୁଳା ଦେହଟି ତାହାର କେତେ ଘନିଷ୍ଠ–କେତେ ପରିଚିତ ! ଆପଣା ଲୋକର ଦାୟିତ୍ୱ ସେ ଆପେ ଗ୍ରହଣ ନ କରିବ କିପରି ?

 

ବାସ୍‍ର ସେହି ଟୋକା କ୍ଲିନର୍‍ଟା ପୁଣି ବଲ ବଲ କରି ତାଙ୍କ ଆଡ଼େ ଚାହିଁଛି । ଜଣେ ଅନୂଢ଼ା ଯୁବତୀକୁ କୋଳରେ ଶୁଆଇ ଜଣେ ଯୁବକ ତାହାର ଦେହ ଆଉଁଷି ଦେଉଛି–ଏହା ଯେପରି ସେ କ୍ଲିନର୍‍ ଟୋକାର ଚକ୍ଷୁଃଶୂଳ ହୋଇଉଠିଛି ! ତା’ ମୁହଁରୁ ସନ୍ଦେହ ଓ ପ୍ରଶ୍ନବାଚୀର ମୁଦ୍ରା ସ୍ପଷ୍ଟ ବାରି ହୋଇପଡ଼ୁଛି ।

 

ବସନ୍ତ ମନେମନେ କହିଲା–ରାସ୍କେଲ୍‍ ଛୋଟ ଲୋକଗୁଡ଼ାକ ! ମଣିଷ ମଣିଷ ମଧ୍ୟରେ କୌଣସି ସମ୍ପର୍କକୁ ଏମାନେ ଭଲଦୃଷ୍ଟିରେ ଦେଖିବା ପାଇଁ ଅଭ୍ୟସ୍ତ ନୁହନ୍ତି । ଏମାନଙ୍କ ଆଖିରେ ଦୁଇଜଣ ଯୁବକ-ଯୁବତୀର ସମ୍ପର୍କ କେବଳ ଆବିଳତାପୂର୍ଣ୍ଣ, ପଙ୍କିଳ ପାପମୟ ସମ୍ପର୍କ ।

 

କ୍ଲିନର୍‍ଟାକୁ ଭଲକରି ଦେଖାଇବା ପାଇଁ ବସନ୍ତ ଆହୁରି ଘନିଷ୍ଠ ଓ ଅନ୍ତରଙ୍ଗ ଭାବରେ ଗୋପାର ଦେହ ଆଉଁଷି ଦେବାରେ ଲାଗିଲା ।

 

ଜଣେ ରୂପସୀ ଯୁବତୀର ରକ୍ତମାଂସର ଦେହ ! ବସନ୍ତ ଭାବିଲା–କ’ଣ ବା ଅଛି ସେଥିରେ ? ସାଧାରଣ ଦେହଭଳି ସେ ଦେହରେ ମଧ୍ୟ ଝାଳ ଜମେ–ଘା ଘାଉଲି ଫୁଟେ–ଦୁର୍ଗନ୍ଧ ହୁଏ । ତଥାପି ସେ ଦେହଟାକୁ ଘେନି ଏତେ ତମ୍ବିତୋଫାନ, ହଟଚମଟ କାହିଁକି ? କି ରୋମାନ୍‍ସ ଅଛି ତହିଁରେ ?

 

ବସନ୍ତର ମନେ ପଡ଼ିଗଲା–ପ୍ରାୟ ଦୁଇବର୍ଷ ତଳେ ଖରାଦିନେ ଗୋପାର ମୁହଁ, ବେକ ଓ କାନ୍ଧରେ ଗରମ ଘା ସବୁ ବାହାରିଥିଲା । ବସନ୍ତ ସେ ଘା’ଗୁଡ଼ାକୁ ଡେଟଲ୍‍ ଗରମପାଣିରେ ଧୋଇ ପାଉଡର ଲଗାଇ ଦେଇଥିଲା । କାହିଁ, ଗୋପାର ଦେହତ ତାକୁ ଅସ୍ୱାଭାବିକ ବା ଅସାଧାରଣ ବୋଧହୋଇ ନଥିଲା !

 

ତେବେ କାହିଁକି ଜଣେ ଯୁବତୀର ଦେହକୁ ଘେନି ଏତେ ସନ୍ଦେହ ? –ଏତେ କଦର୍ଯ୍ୟ ସମ୍ପର୍କର ପରିକଳ୍ପନା ? ବସନ୍ତ ମନରେ ପ୍ରଶ୍ନ ଉଠିଲା–ନାରୀଦେହ କାହିଁକି ହେବ ନରକର ଦ୍ୱାର ? କାହିଁକି ତାହା ସ୍ୱର୍ଗର ସୋପାନ ରୂପେ ବିବେଚିତ ନ ହେବ ?

 

ଏଇ ଦେହକୁ ଦେବାଳୟ କରିବା ପାଇଁ ତ ଆମର ପୂର୍ବପୁରୁଷମାନେ କେତେପ୍ରକାର ଯୋଗ, କେତେ ଆସନ ପ୍ରାଣାୟାମର ବ୍ୟବସ୍ଥା କରିଯାଇଛନ୍ତି ! ଆମ ପରମ୍ପରାରେ ତ କାୟା-ସାଧନା, ପିଣ୍ଡବ୍ରହ୍ମାଣ୍ଡ ତତ୍ତ୍ୱ ବେଶ୍‍ ଉଚ୍ଚସ୍ଥାନ ଲାଭକରିଛି ! ଆଜି କାହିଁକି ତେବେ ସେହି ଦେହ ବିଷୟରେ ଏତେ ବିକାର ଓ ବିସମ୍ବାଦ ?

 

ଫ୍ରୟେଡ଼୍‍ ପ୍ରମୁଖ କେତେକ ପାଶ୍ଚାତ୍ୟ ମନୋବିଜ୍ଞାନୀଙ୍କ କଥା ବସନ୍ତ ସ୍ମରଣ କଲା । ଏହି କାହାଳ ରୋଗୀଗୁଡ଼ାକହିଁ ଏବେ ଦେହ ସମ୍ପର୍କରେ ଏପରି କଦର୍ଯ୍ୟ ଧାରଣା ସୃଷ୍ଟି କରିଛନ୍ତି–ମଣିଷ ମଣିଷ ମଧ୍ୟରେ ଥିବା ସମ୍ପର୍କ ଭିତରେ ଆବିଳତା ପୂରାଇ ଦେଇଛନ୍ତି । ବାପ ଝିଅକୁ ସୁଖ ପାଉଛି, ମାଆ ପୁଅକୁ ସ୍ନେହ କରୁଛି–ତାହା କୁଆଡ଼େ କାମ ଓ ଯୌନାବେଗ ପ୍ରଣୋଦିତ !

 

ଏମାନଙ୍କ ଦୃଷ୍ଟିରେ ଜଳ-ସ୍ଥଳ, ଗଗନ-ପବନ ଚାରିଆଡ଼େ ଯୌନତା–ଚାରିଆଡ଼େ କାମଭାବ । ହା ହତୋସ୍ମି ! ନିପଟ କାହାଳ ରୋଗୀ ଛଡ଼ା ଏହି ମନୋବିଜ୍ଞାନୀଙ୍କୁ ଆଉ କ’ଣ ବୋଲା ଯାଇପାରେ ? ବସନ୍ତ ମନେମନେ ହସିବାରେ ଲାଗିଲା ।

 

ବାସ୍‍ ଦ୍ରୁତଗତିରେ ଛୁଟି ଚାଲିଛି । ଡିଜେଲ୍‍ ଇଞ୍ଜିନ୍‍ର ଗୁଁ-ଗୁଁ ଶବ୍ଦ ଯେପରି ସେହି କ୍ଲିନର୍‍ ଟୋକାର ଈର୍ଷାପୂର୍ଣ୍ଣ ସନ୍ଦେହୀ ମନକୁ ପ୍ରକାଶ କରି କରି ଯାଉଛି ! ବସନ୍ତ ହାତଘଣ୍ଟାକୁ ଚାହିଁଲା ସାଢ଼େଚାରି ବାଜିଗଲାଣି । ପୂର୍ବଆକାଶରେ ଉଷାର ଆଗମନୀ ପାଇଁ ଆୟୋଜନ ଚାଲିଛି । ପ୍ରଭାତୀ ଆଲୋକର ପହିଲି ରେଖା ପ୍ରସ୍ଫୁଟିତ ହେବା ପୂର୍ବରୁ କେତୋଟି ଯୂଥଭ୍ରଷ୍ଟ ନିଶାଚର ପକ୍ଷୀ ରତରତ ହୋଇ ବସାକୁ ବାହୁଡ଼ି ଯାଉଛନ୍ତି ।

 

ପରିବେଶ ଶୀତଳତର ହୋଇଉଠିଛି । ବସନ୍ତ ଲକ୍ଷ୍ୟକଲା–ଥଣ୍ଡାରେ ଗୋପାର ଦେହ ଥରି ଥରି ଉଠୁଛି । ତାହାର ଲୋମମୂଳ ସବୁ ଟାଙ୍କୁରି ଉଠିଲାଣି । ପିନ୍ଧାଶାଢ଼ିର ପଣତଟା ଗୋପା ଦେହରେ ଭଲଭାବରେ ଜଡ଼ାଇଦେଇ ବସନ୍ତ ପରମ ଆଦରରେ ପୁଣି ତାକୁ ଆଉଁଷି ଦେବାରେ ଲାଗିଲା ।

 

ଗୋପାର ସେହି ସୁନ୍ଦର ପବିତ୍ର ଦେହ ବସନ୍ତ ନିକଟରେ ମର ପୂଜା-ବେଦୀ ବ୍ୟତୀତ ଆଉ କ’ଣ ହୋଇପାରେ ?

Image